ଚିନି କଳକୁ ମିଳିବ ୭୪୦୦ କୋଟି ଋଣ

ନୂଆଦିଲ୍ଲୀ: ଇଥାନଲ୍‌ କାରଖାନା ସ୍ଥାପନ କରିବା ପାଇଁ ଦେଶର ଚିନି କଳଗୁଡ଼ିକୁ କେନ୍ଦ୍ର ସରକାର ଋଣ ସହାୟତା ପ୍ରଦାନ କରିବେ। ସେମାନଙ୍କୁ ୭୪୦୦ କୋଟି ଟଙ୍କାର ଋଣ କମ୍‌ ସୁଧରେ ପ୍ରଦାନ କରିବାକୁ ଯୋଜନା ପ୍ରସ୍ତୁତ କରାଯାଉଛି। ନିକଟରେ ଉନ୍ମୋଚନ ହୋଇଥିବା ଏକ ସ୍କିମ୍ ଅଧୀନ‌ରେ ଏହି ଋଣ ପ୍ରଦାନ କରାଯିବ। ଚିନି କଳଗୁଡ଼ିକୁ ଇଥାନଲ୍‌ କାରଖାନା ସ୍ଥାପନ କରିବା ଓ ସେଗୁଡ଼ିକର କ୍ଷମତା ସମ୍ପ୍ରସାରଣ କରିବା ପାଇଁ ଋଣ ପ୍ରଦାନ କରାଯିବ। ଏହି ସ୍କିମ୍ ପାଇଁ ସରକାର ୪୪୦୦ କୋଟି ଟଙ୍କାର ଋଣ ବିଷୟରେ ଘୋଷଣା କରିଥିଲେ। ଚିନି କଳଗୁଡ଼ିକୁ ପାଞ୍ଚ ବର୍ଷ ପାଇଁ ୧୩୩୨ କୋଟି ଟଙ୍କାର ଋଣ ଛାଡ଼ ସୁବିଧା ମିଳିବ। ଏହା ବ୍ୟତୀତ ଏକ ବର୍ଷର ମୋରାଟୋରିୟମ୍ ଅବଧି ମଧ୍ୟ ମିଳିବ। ଏହି ସ୍କିମ୍‌ରେ ୧୩,୪୦୦ କୋଟି ଟଙ୍କାର ଋଣ ପାଇଁ ମୋଯ ୨୮୨ଟି ଆବେଦନ ପହଞ୍ଚିଥିଲା। ସେଥି ମଧ୍ୟରୁ ୬୦୦୦ କୋଟି ଟଙ୍କାର ୧୧୪ଟି ଆବେଦନକୁ ମଞ୍ଜୁରି ପ୍ରଦାନ କରାଯାଇଛି। ବଳକା ୧୬୮ଟି ଆବେଦନକୁ ମଞ୍ଜୁରି ପ୍ରଦାନ କରିବା ପାଇଁ ଆଉ ୭୪୦୦ କୋଟି ଟଙ୍କାର ଋଣ ନିମନ୍ତେ ସରକାର କ୍ୟାବିନେଟ୍ ବୈଠକରେ ପ୍ରସ୍ତାବ ଉପସ୍ଥାପନ କରିବା ଉପରେ ଖାଦ୍ୟ ମନ୍ତ୍ରଣାଳୟ ବିଚାର କରୁଛି। ଏହି ଋଣ ପାଇଁ ୧୬୦୦ କୋଟି ଟଙ୍କାର ସବ୍‌ସିଡି ବୋଝ ମଧ୍ୟ ମୁଣ୍ଡାଇବାକୁ ପଡ଼ିବ। ଇଥାନଲ୍ କାରଖାନା ସ୍ଥାପନ କରିବା ପାଇଁ କେବଳ ନିର୍ଦିଷ୍ଟ କେତେକ ଚିନି କଳକୁ ଯୋଗ୍ୟ ବିବେଚିତ କରାଯାଇଥିଲା। ସେହି ନିୟମକୁ ସରକାର ପରିବର୍ତ୍ତନ କରିବେ। ସବୁ ପ୍ରକାର ଚିନି କଳ ଯେଭଳି ଇଥାନଲ୍ କାରଖାନା ସ୍ଥାପନ କରିବା ପାଇଁ ଆବେଦନ କରିପାରିବେ, ସେନେଇ ନିୟମରେ ସଂଶୋଧନ ଅଣାଯିବ। ଆଖୁରୁ ଇଥାନଲ୍ ପ୍ରସ୍ତୁତ କରାଯିବ। ସେହି ଇଥାନଲ୍‌କୁ ପେଟ୍ରୋଲ୍‌ରେ ମିଶାଇ ବିକ୍ରି କରାଯିବ। ଏହା ଜରିଆରେ ତେଲ ଆମଦାନି ଉପରେ ଦେଶର ଯେଉଁ ନିର୍ଭରଶୀଳତା ରହିଛି ତାହା ହ୍ରାସ ପାଇବ ବୋଲି ଆଶା କରାଯାଉଛି।

ଉଲ୍ଲେଖଯୋଗ୍ୟ, ଭାରତ ‌ହେଉଛି ବିଶ୍ବର ଦ୍ବିତୀୟ ବୃହତ ଚିନି ଉତ୍ପାଦନକାର। ୨୦୧୮-୧୯ରେ ଏହା ୩୧.୫ ନିୟୁତ ଟନ୍ ଚିନି ଉତ୍ପାଦନ କରିବ ବୋଲି ଆକଳନ କରାଯାଇଛି। ତାହା ପୂର୍ବବର୍ଷର ୩୨.୫ ନିୟୁତ ଟନ୍ ଉତ୍ପାଦନ ଠାରୁ ସାମାନ୍ୟ କମ୍ ରହିବ।

ସମ୍ବନ୍ଧିତ ଖବର