ଭୁବନେଶ୍ବର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭର୍ଚୁଆଲ୍ ମାଧ୍ୟମରେ ଦେଶର ୭୫ଟି ରାଜ୍ୟରେ ୭୫ଟି ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ ୟୁନିଟ୍କୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଓଡ଼ିଶାରେ କଟକ, ଖୋର୍ଦ୍ଧା, ପୁରୀ ଓ କେନ୍ଦୁଝର ଜିଲ୍ଲାରେ ଏଭଳି ୟୁନିଟ୍ ରହିଛି। କଟକର ସାଲେପୁର ୟୁକୋ ବ୍ୟାଙ୍କ ସ୍ଥାପନ କରିଥିବା ୟୁନିଟ୍ର ଉଦ୍ଘାଟନୀ କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ଯୋଗ ଦେଇଥିଲେ। ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ୍ ସମ୍ମୁଖରେ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ଏକ ୟୁନିଟ୍ ସ୍ଥାପନ କରାଯାଇଛି। ସେହି ୟୁନିଟ୍ର ଉଦ୍ଘାଟନୀ ଅବସରରେ ବ୍ୟାଙ୍କର ପରିଚାଳନା ନିର୍ଦେଶକ ଓ ସିଇଓ ଏସ୍ କେ ଦାଶ, ଭାରତୀୟ ରିଜର୍ଭ ବ୍ୟାଙ୍କର ଲୋକପାଳ ପିକେ ନାୟକ, ବ୍ୟାଙ୍କ ଅଫ୍ ଇଣ୍ଡିଆର ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ ମହାପ୍ରବନ୍ଧକ ରାଜେଶ ରାମ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
ସର୍ବଭାରତୀୟ ସ୍ତରରେ ଆୟୋଜିତ କାର୍ଯ୍ୟକ୍ରମରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ପ୍ରମୁଖ ଯୋଗ ଦେଇଥିଲେ। ଡିବିୟୁରେ ସଂଚୟ ଖାତା, ବାଲାନ୍ସ ଯାଞ୍ଚ, ପାସବୁକ ପ୍ରିଣ୍ଟ, ଫଣ୍ଡ ଟ୍ରାନ୍ସଫର, ସ୍ଥାୟୀ ଜମାରେ ନିବେଶ, ଋଣ ଆବେଦନପତ୍ର, ଜାରି ହୋଇଥିବା ଚେକ୍ କ୍ଷେତ୍ରରେ ପେମେଣ୍ଟ ବନ୍ଦ ରଖିବା, ଡେବିଟ ଓ କ୍ରେଡିଟ କାର୍ଡ ଆବେଦନ, ଆକାଉଣ୍ଟ ଷ୍ଟେଟମେଣ୍ଟ ଦେଖିବା, ଟିକସ ପଇଠ, ଦେୟ ପୈଠ, ନୋମିନେସନ ଆଦି ଡିଜିଟାଲ ବ୍ୟାଙ୍କିଙ୍ଗ ସୁବିଧା ଗ୍ରାହକମାନଙ୍କୁ ପ୍ରଦାନ କରାଯିବ। ଡିବିୟୁଗୁଡିକ ଡିଜିଟାଲ ଆର୍ଥିକ ସାକ୍ଷରତାର ପ୍ରସାର କରିବେ ଏବଂ ସାଇବର ସୁରକ୍ଷା ସଚେତନତା ଓ ନିରାପତ୍ତା ନେଇ ଗ୍ରାହକମାନଙ୍କୁ ପ୍ରଶିକ୍ଷିତ କରିବାକୁ ଗୁରୁତ୍ୱ ପ୍ରଦାନ କରିବେ। ଦେଶର ୧୧ଟି ସରକାରୀ, ୧୨ଟି ଘରୋଇ ଏବଂ ଗୋଟିଏ କ୍ଷୁଦ୍ର ଆର୍ଥିକ ବ୍ୟାଙ୍କ ଏହି ଡିଜିଟାଲ୍ ୟୁନିଟ୍ଗୁଡ଼ିକୁ ସ୍ଥାପନ କରିଛନ୍ତି।