ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ସ୍କିମ୍‌ ଲାଗି ୭୫,୦୨୧ କୋଟି ଟଙ୍କାର ଅଟକଳକୁ ଆଜି କ୍ୟାବିନେଟ୍‌ର ଅନୁମୋଦନ ମିଳିଛି। ଏହା ବ୍ୟତୀତ ୧.୨୬ ଲକ୍ଷ କୋଟି ଟଙ୍କାରେ ଗୁଜରାଟ ଓ ଆସାମରେ ସ୍ଥାପନ ହେବାକୁ ଥିବା ତିନିଟି ସେମିକଣ୍ଡକ୍ଟର ପ୍ରକଳ୍ପ ଏବଂ ଖରିଫ ଋତୁରେ ଚାଷୀଙ୍କୁ ୨୪ ହଜାର କୋଟି ଟଙ୍କା ସାର ସବ୍‌ସିଡି ପ୍ରଦାନ କରିବା ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ମିଳିଛି। ଏ ସମ୍ପର୍କରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ ରୁଫ୍‌ ଟପ୍ ସୋଲାର ସ୍ଥାପନ ଲାଗି ସବ୍‌ସିଡି ପ୍ରଦାନ କରାଯିବ। ଏହି ସ୍କିମ୍‌ରେ ଏକ କୋଟି ପରିବାରକୁ ୩୦୦ ୟୁନିଟ୍ ବିଜୁଳି ମାଗଣ‌ାରେ ଦିଆଯିବ। ଏହି ସ୍କିମ୍‌ରେ ୨ କିଲୋୱାଟ୍‌ ବ୍ୟବସ୍ଥା ଲାଗି କେନ୍ଦ୍ର ସରକାର ୬୦ ପ୍ରତିଶତ ଏବଂ ୨-୩ କିଲୋୱାଟ୍‌ କ୍ଷମତା ଲାଗି ୪୦ ପ୍ରତିଶତ ସବ୍‌ସିଡି ପ୍ରଦାନ କରିବେ। ସେହି ଅନୁସାରେ ୧ କିଲୋୱାଟ୍ ବ୍ୟବସ୍ଥା ଲାଗି ୩୦ ହଜାର ଟଙ୍କା, ୨ କିଲୋୱାଟ୍ ଲାଗି ୬୦ ହଜାର ଟଙ୍କା ଏବଂ ୩ କିଲୋୱାଟ୍ ଲାଗି ୭୮ ହଜାର ଟଙ୍କାର ସବ୍‌ସିଡି ପ୍ରଦାନ କରାଯିବ। ଜାତୀୟ ପୋର୍ଟାଲ୍ ଜରିଆରେ ଗ୍ରାହକମାନେ ସବ୍‌ସିଡି ପାଇଁ ଆବେଦନ କରିପାରିବେ ଏବଂ ଭେଣ୍ଡର ଚୟନ କରିପାରିବେ। ପ୍ରତି ଜିଲ୍ଲାରେ ସରକାର ଏକ ମଡେଲ୍‌ ସୋଲାର ଗ୍ରାମ ମଧ୍ୟ ବିକାଶ କରିବେ। ଏହି ସ୍କିମ୍ ଦ୍ବାରା ୧୭ ଲକ୍ଷ ପ୍ରତ୍ୟକ୍ଷ ନିଯୁକ୍ତି ସୃଷ୍ଟି ହେବ।

Advertisment

ସେହିପରି, ଆଜିର କ୍ୟାବିନେଟ୍ ବୈଠକରେ ଖରିଫ ଋତୁରେ ଫସଫରସ ଓ ପଟାସ (ପିଆଣ୍ଡକେ) ସାର ଲାଗି ୨୪,୪୨୦ କୋଟି ଟଙ୍କାର ସବ୍‌ସିଡିକୁ ମଞ୍ଜୁର କରାଯାଇଛି। ଚାଷୀମାନେ କ୍ବିଣ୍ଟାଲ ପିଛା ୧୩୫୦ ଟଙ୍କାରେ ଡିଏପି ସାର କିଣିପାରିବେ। ଖରିଫ ଋତୁ ପାଇଁ ଫସ୍‌ଫରସ ସାର ଲାଗି ବସ୍ତା ପିଛା ସବ୍‌ସିଡି ପରିମାଣ ୨୦ ଟଙ୍କା ୮୨ ପଇସାରୁ ବୃଦ୍ଧି ପାଇ ୨୮ ଟଙ୍କା ୭୨ ପଇସା ହୋଇଛି। ସେମିକଣ୍ଡକ୍ଟର ପ୍ରକଳ୍ପଗୁଡ଼ିକ ସଂକ୍ରାନ୍ତରେ ସୂଚନା ଦେଇ ଟେଲିକମ୍ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ଯେ ଟାଟା ଇଲେକ୍ଟ୍ରୋନିକ୍ସ ଗୁଜରାଟର ଧୋଲେରାରେ ୯୧,୦୦୦ କୋଟି ଟଙ୍କା ନିବେଶ କରିବ। ଟାଟା ସେମିକଣ୍ଡକ୍ଟର ଆସେମ୍ବଲି ଆଣ୍ଡ୍ ଟେଷ୍ଟ ପକ୍ଷରୁ ଆସାମର ମୋରିଗାଁରେ ୨୭୦୦୦ କୋଟି ଟଙ୍କା ନିବେଶ କରାଯିବ। ସିଜି ପାୱାର ତରଫରୁ ଗୁଜରାଟର ସାନନ୍ଦରେ ୭୬୦୦ କୋଟି ଟଙ୍କା ନିବେଶ କରାଯିବ। ଏହି ପ୍ରକଳ୍ପଗୁଡ଼ିକର କାମ ଆସନ୍ତା ୧୦୦ ଦିନରେ ଆରମ୍ଭ ହେବ ବୋଲି ସେ କହିଛନ୍ତି।

ସେହିପରି, ଖଣି ଓ ଖଣିଜ ବିକାଶ ଓ ନିୟନ୍ତ୍ରଣ ଆଇନ ୧୯୫୭ର ଦ୍ବିତୀୟ ଅନୁଚ୍ଛେଦକୁ ମଧ୍ୟ କ୍ୟାବିନେଟ୍ କମିଟି ଆଜି ଅନୁମୋଦନ ଦେଇଛି। ୧୨ଟି ଗୁରୁତ୍ବପୂର୍ଣ୍ଣ ଧାତବ ସାମଗ୍ରୀର ରୟାଲଟି ଧାର୍ଯ୍ୟ ଲାଗି ‌ଏହା କରାଯାଇଛି। ସେହି ୧୨ଟି ଖଣିଜ ପଦାର୍ଥ ଗୁଡ଼ିକ ହେଲା ବେରିଲିୟମ, କାଡ୍‌ମିୟମ, କୋବାଲ୍ଟ, ଗାଲିୟମ, ଇଣ୍ଡିୟମ, ରେନିୟମ, ସେଲେନିୟମ, ଟାଣ୍ଟାଲର୍ଣ୍ଣ, ଟେଲୁରିୟମ, ଟାଇଟାନିୟମ, ଟଙ୍ଗଷ୍ଟନ ଏବଂ ଭାନାଡିୟମ। ଏହାଫଳରେ ୨୪ଟି ଗୁରୁତ୍ବପୂର୍ଣ୍ଣ ଖଣିଜ ସାମଗ୍ରୀର ରୟାଲଟି ହାର ଧାର୍ଯ୍ୟ ଓ ସଂଶୋଧନ କାର୍ଯ୍ୟ ସମ୍ପାଦନ ହୋଇଛି।