ସ୍ବାଧୀନତାର ୭୫ ବର୍ଷ: କିଭଳି ରହିଛି ଦେଶର ପ୍ରଗତି
ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ ସ୍ବାଧୀନତାର ୭୫ତମ ବର୍ଷ ପୂର୍ତ୍ତି ପାଳନ କରିବାକୁ ଯାଉଛି। ଦେଶ ସ୍ବାଧୀନତା ହେବା ବେଳେ ଅର୍ଥନୀତିର ସ୍ଥିତି ଯାହା ଥିଲା ଏବେ ସେଥିରେ ବଡ଼ ଧରଣର ପରିବର୍ତ୍ତନ ହୋଇଛି। ଏକ ଗରିବ ଦେଶ ଭାବେ ଯାତ୍ରା ଆରମ୍ଭ କରିଥିବା ଭାରତ ଏବେ ବିଶ୍ବର ପ୍ରମୁଖ ଅର୍ଥନୈତିକ ମହାଶକ୍ତି ଭାବେ ପରିଗଣିତ ହେଉଛି। ୧୯୫୦-୫୧ ବେଳକୁ ଦେଶର ମୋଟ ଘରେଇ ଉତ୍ପାଦ (ଜିଡିପି) ପରିମାଣ ଥିଲା ମାତ୍ର ୨.୭୯ ଲକ୍ଷ କୋଟି ଟଙ୍କା। ୨୦୨୧-୨୨ ସୁଦ୍ଧା ତାହା ୧୪୭.୩୬ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ସେହି ସମୟ ଭିତରେ ଜାତୀୟ ମୁଣ୍ଡପିଛା ଆୟ ୧୨,୪୯୩ ଟଙ୍କାରୁ ବୃଦ୍ଧି ପାଇ ୯୧,୪୮୧ ଟଙ୍କା ହୋଇଛି। ୧୯୪୭-୪୮ ଆର୍ଥିକ ବର୍ଷରେ ସରକାର ରାଜସ୍ବ ବାବଦରେ ୧୭୧.୭୫ କୋଟି ଟଙ୍କା ସଂଗ୍ରହ କରିପାରିଥିଲେ। ୨୦୨୧-୨୨ରେ ୨୦,୭୮,୯୩୬ କୋଟି ଟଙ୍କାର ରାଜସ୍ବ ସଂଗ୍ରହ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ବିଦେଶୀ ମୁଦ୍ରା ଭଣ୍ଡାର ଦୃଷ୍ଟିରୁ ମଧ୍ୟ ଭାରତ ବେଶ ଦୃଢ଼ ହୋଇପାରିଛି। ୧୯୫୦-୫୧ ଆର୍ଥିକ ବର୍ଷରେ ଦେଶର ଗଚ୍ଛିତ ମୁଦ୍ରା ଭଣ୍ଡାରରେ ୯୧୧ କୋଟି ଟଙ୍କାର ବିଦେଶୀ ମୁଦ୍ରା ଥିଲା। ୨୦୨୨ ଅଗଷ୍ଟ ୫ ସୁଦ୍ଧା ସେହି ଭଣ୍ଡାରରେ ଥିଲା ୪୫,୪୨,୬୧୫ କୋଟି ଟଙ୍କାର ବିଦେଶୀ ମୁଦ୍ରା। ବିଶ୍ବର ପଞ୍ଚମ ବୃହତ ବିଦେଶୀ ମୁଦ୍ରା ଭଣ୍ଡାର ଭାରତ ପାଖରେ ରହିଛି। ବୈଦେଶିକ ବାଣିଜ୍ୟ କାରବାରରେ ମଧ୍ୟ ଭାରତ ଆଶ୍ଚର୍ଯ୍ୟଜନକ ବିକାଶ ହାସଲ କରିଛି। ୧୯୫୦-୫୧ ବେଳକୁ ଦେଶର ମୋଟ ବୈଦେଶିକ କାରବାର ୧,୨୧୪ କୋଟି ଟଙ୍କା ଥିଲା। ସେତେବେଳେ ଆମଦାନି ଓ ରପ୍ତାନିରେ ବିଶେଷ ଅନ୍ତର ରହୁନଥିଲା। ମାତ୍ର ଅର୍ଥନୀତିରେ ଉଦାରୀକରଣ ପରେ ସେଥିରେ ଉନ୍ନତି ଘଟିଥିଲା। ୨୦୨୨ ଜୁଲାଇରେ ୧୪,୩୦୦ କୋଟି ଡଲାରର ବୈଦେଶିକ କାରବାର ହୋଇଛି। ବର୍ତ୍ତମାନ ରପ୍ତାନି ତୁଳନାରେ ଆମଦାନି ଯଥେଷ୍ଟ ଅଧିକ ରହୁଛି। ସେଥିପାଇଁ ୨୧୦୦ କୋଟି ଡଲାରର ବାଣିଜ୍ୟ ନିଅଣ୍ଟ ସୃଷ୍ଟି ହୋଇଛି। ୧୯୫୦-୫୧ରେ ଦେଶର ଖାଦ୍ୟଶସ୍ୟ ଉତ୍ପାଦନ ମାତ୍ର ୫୦.୮ ନିୟୁତ ଟନ୍ ଥିଲା। ମାତ୍ର ୧୯୬୦ ଓ ୧୯୭୦ ବେଳକୁ ଆରମ୍ଭ କରାଯାଇଥିବା ସବୁଜ ବିପ୍ଳବ ଏହି କ୍ଷେତ୍ରର ଦୃଶ୍ୟପଟ୍ଟ ବଦଳାଇ ଦେଇଥିଲା। ୨୦୨୧-୨୨ରେ ଦେଶର ଖାଦ୍ୟଶସ୍ୟ ଉତ୍ପାଦନ ପରିମାଣ ୩୧୬.୦୬ ନିୟୁତ ଟନ୍ ହୋଇଛି। ଖାଦ୍ୟ ଓ କୃଷି ସଂଗଠନ (ଏଫ୍ଏଓ) ମତରେ ଦୁଗ୍ଧ, ଡାଲି, ଝୋଟ, ଚାଉଳ, ଗହମ, ବାଦାମ, ଆଖୁ, ପନିପରିବା, ଫଳ ଓ କପାର ଏକ ପ୍ରମୁଖ ଉତ୍ପାଦନକାରୀ ହେଉଛି ଭାରତ।
ଦେଶ ସ୍ବାଧୀନ ହେବା ପରେ ପ୍ରତିରକ୍ଷା ବଜେଟ୍ରେ ବଡ଼ ଧରଣର ବୃଦ୍ଧି ହୋଇଛି। ୧୯୪୭ରେ ପ୍ରତିରକ୍ଷା କ୍ଷେତ୍ରକୁ ୯୨.୭୪ କୋଟି ଟଙ୍କା ଦିଆଯାଇଥିଲା ଯାହା ମୋଟ ବଜେଟ୍ର ୪୬ ପ୍ରତିଶତ ଥିଲା। ୨୦୨୨ ବଜେଟ୍ରେ ପ୍ରତିରକ୍ଷା କ୍ଷେତ୍ରକୁ ୫,୨୫,୧୬୬ କୋଟି ଟଙ୍କା ଦିଆଯାଇଛି। ସରକାରଙ୍କ ମୋଟ ବ୍ୟୟରେ ଏହି କ୍ଷେତ୍ରର ଭାଗ ୧୩.୩ ପ୍ରତିଶତ ରହିଛି। ଭାରତ ସ୍ବାଧୀନ ହେବା ବେଳକୁ ଦେଶରେ ୮୦,୦୦୦ରୁ ଅଧିକ ଟେଲିଫୋନ୍ ସଂଯୋଗ ଥିଲା। ୭୫ ବର୍ଷ ପରେ ୨୦୨୨ ମେ’ରେ ଦେଶରେ ୧୧୭ କୋଟି ଟେଲିଫୋନ୍ ଗ୍ରାହକ ରହିଛନ୍ତି। ଦେଶର ୬୫.୮ କୋଟି ଲୋକଙ୍କ ପାଖରେ ଇଣ୍ଟରନେଟ୍ ସଂଯୋଗ ପହଞ୍ଚିପାରିଛି।