ଭୁବନେଶ୍ବର: ସୂଚନା ପ୍ରଯୁକ୍ତି ରପ୍ତାନି କ୍ଷେତ୍ରରେ ଓଡ଼ିଶା ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିଛି। ୨୦୨୩-୨୪ରେ ରାଜ୍ୟରୁ ୭୫୦୦ କୋଟି ଟଙ୍କାର ଆଇଟି ରପ୍ତାନି ହୋଇଥିବା ଆକଳନ କରାଯାଇଛି। ଏ ସମ୍ପର୍କରେ ସରକାର ବିଧାନସଭାରେ ସୂଚନା ଦେଇଛନ୍ତି। ବର୍ଷକ ଭିତରେ ଆଇଟି ରପ୍ତାନିରେ ୧୦୦୦ କୋଟି ଟଙ୍କାର ବୃଦ୍ଧି ଘଟିଛି।

Advertisment

୧୯୯୮-୯୯ରେ ଆଇଟି ରପ୍ତାନି ପରିମାଣ ମାତ୍ର ୫୪ କୋଟି ଟଙ୍କା ଥିଲା ଯାହା ୧୯୯୯-୨୦୦୦ ସୁଦ୍ଧା ୯୧ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା। ତା’ପରଠାରୁ ଏହି ରପ୍ତାନି ନିରନ୍ତର ଭାବେ ବୃଦ୍ଧି ପାଉଛି। ୨୦୦୪-୦୫ ସୁଦ୍ଧା ଆଇଟି ରପ୍ତାନି ୩୮୨ କୋଟି ଟଙ୍କା, ୨୦୦୯-୧୦ରେ ୧୧୯୮ କୋଟି ଟଙ୍କା ଏବଂ ୨୦୨୪-୧୫ ସୁଦ୍ଧା ୨୫୬୪ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା। ଏହାର ପରବର୍ତ୍ତୀ ବର୍ଷଗୁଡ଼ିକରେ ରପ୍ତାନି ଆହୁରି ବଢ଼ିଥିଲା। ୨୦୧୫-୧୬ରେ ୨୯୦୦ କୋଟି ଟଙ୍କା, ୨୦୧୬-୧୭ରେ ୩୪୦୦ କୋଟି ଟଙ୍କା, ୨୦୧୭-୧୮ରେ ୩୮୦୦ କୋଟି ଟଙ୍କା, ୨୦୧୮-୧୯ରେ ୪୦୦୦ କୋଟି ଟଙ୍କା, ୨୦୧୯-୨୦ରେ ୪୫୦୦ କୋଟି ଟଙ୍କା, ୨୦୨୦-୨୧ରେ ୫୦୦୦ କୋଟି ଟଙ୍କା, ୨୦୨୧-୨୨ରେ ୫୫୦୦ କୋଟି ଟଙ୍କା ଓ ୨୦୨୨-୨୩ରେ ୬୫୦୦ କୋଟି ଟଙ୍କାର ଆଇଟି ରପ୍ତାନି ହୋଇଛି।