୭୬% ଏଲ୍‌ଇଡି ବଲ୍‌ବ ବିପଜ୍ଜନକ

ନୂଆଦିଲ୍ଲୀ: ଭାରତରେ ବିକ୍ରି କରାଯାଇଥିବା ୭୬% ଏଲ୍‌ଇଡି ବଲ୍‌ବ ବିପଜ୍ଜନକ ବୋଲି ଏକ ସର୍ଭେରୁ ଜଣାପଡ଼ିଛି। ଏହି ବଲ୍‌ବଗୁଡ଼ିକ ପାଇଁ ଉପଭୋକ୍ତା ନିରାପତ୍ତା ଦୃଷ୍ଟିରୁ ଧାର୍ଯ୍ୟ କରାଯାଇଥିବା ମାନଦଣ୍ଡଗୁଡ଼ିକ ନିର୍ମାତାମାନେ ପାଳନ କରିନାହାନ୍ତି। ବଜାର ଗବେଷଣା ସଂସ୍ଥା ନିଲ୍‌ସନ୍‌ ପକ୍ଷରୁ କରାଯାଇଥିବା ଏକ ସର୍ଭେରୁ ଏହା ଜଣାପଡ଼ିଛି।
ଦେଶରେ ପ୍ରମୁଖ ସହରଗୁଡ଼ିକରେ ଥିବା ୨୦୦ଟି ଇଲେକ୍ଟ୍ରିକାଲ୍‌ ଷ୍ଟୋର୍‌ରେ ଏହି ସର୍ଭେ କରାଯାଇଥିଲା। ସେହି ସମୟରେ ଷ୍ଟୋର୍‌ଗୁଡ଼ିକରେ ବିକ୍ରି ହେଉଥିବା ବଲ୍‌ବଗୁଡ଼ିକ ନିରାପତ୍ତା ମାନଦଣ୍ଡ ଅନୁସାରେ ପ୍ରସ୍ତୁତ ହୋଇନଥିବା ଜଣାପଡ଼ିଥିଲା। ବ୍ୟବହାରକାରୀଙ୍କ ପାଇଁ ସେଗୁଡ଼ିକ ବିପଜ୍ଜନକ ମଧ୍ୟ ଥିଲା। ଅଧିକ ବିପଜ୍ଜନକ ଏଲ୍‌ଇଡି ବଲ୍‌ବ ଦେଶର ରାଜଧାନୀ ଦିଲ୍ଲୀର ବିଭିନ୍ନ ଷ୍ଟୋର୍‌ରେ ଦେଖିବାକୁ ମିଳିଥିଲା। ନିଲ୍‌ସନ୍‌ ପକ୍ଷରୁ କୁହାଯାଇଛି ଯେ ବିପଦପୂର୍ଣ୍ଣ ଅଣ-ବ୍ରାଣ୍ଡେଡ୍‌ ଏଲ୍‌ଇଡି ବଲ୍‌ବଗୁଡ଼ିକ ସରକାରଙ୍କ ମେକ୍‌ ଇନ୍‌ ଇଣ୍ଡିଆ ଅଭିଯାନ ପ୍ରତି ବିପଦ। ଏହା ସଂଗଠିତ କ୍ଷେତ୍ରରେ କାରବାର କରୁଥିବା ବ୍ରାଣ୍ଡେଡ୍‌ କଂପାନିଗୁଡ଼ିକ ପାଇଁ ମଧ୍ୟ ବିପଦ ବୋଲି ରିପୋର୍ଟରେ କୁହାଯାଇଛି।
ଚଳିତ ବର୍ଷ ଅଗଷ୍ଟ ମାସରେ ବ୍ୟୁରୋ ଅଫ୍‌ ଇଣ୍ଡିଆନ୍‌ ଷ୍ଟାଣ୍ଡାର୍ଡସ୍‌ (ବିଆଇଏସ୍‌) ପକ୍ଷରୁ ଏଲ୍‌ଇଡି ବଲ୍‌ବ ନିର୍ମାଣ କରୁଥିବା କଂପାନିଗୁଡ଼ିକୁ ବିଆଇଏସ୍‌ ନିରାପତ୍ତା ଯାଞ୍ଚ ପାଇଁ ସେମାନଙ୍କ ଉତ୍ପାଦନଗୁଡ଼ିକୁ ପଞ୍ଜୀକରଣ କରିବା ନିମନ୍ତେ କୁହାଯାଇଥିଲା। ଅଧିକାଂଶ ଏଲ୍‌ଇଡି ବଲ୍‌ବ ଚୀନ୍‌ରୁ ଚୋରାଚାଲାଣ କରାଯାଉଥିବାରୁ ସେଗୁଡ଼ିକର ପଞ୍ଜୀକରଣ ହୋଇପାରୁନାହିଁ।
ନିଲ୍‌ସନ୍‌ ସର୍ଭେରୁ ଏହା ମଧ୍ୟ ଜଣାପଡ଼ିଛି ଯେ ୪୮% ଏଲ୍‌ଇଡି ବଲ୍‌ବ ପ୍ୟାକେଟ୍‌ର ନିର୍ମାତାଙ୍କ ଠିକଣା ଲେଖାଯାଇନାହିଁ। ସେହିପରି ୩୧% ବଲ୍‌ବରେ ନିର୍ମାତାଙ୍କ ନାମ ମଧ୍ୟ ଲେଖା ହୋଇନଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର