ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଡ଼ିଶାରେ ୭୬ଟି ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି। ଏହି ପ୍ରକଳ୍ପଗୁଡ଼ିକରେ ମୋଟ୍‌ ବ୍ୟୟ ୧,୪୧,୭୦୨ କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି। ମାତ୍ର କିଛି ପ୍ରକଳ୍ପର କାର୍ଯ୍ୟକାରିତା ବିଳମ୍ବିତ ହେଉଥିବାରୁ ପ୍ରକଳ୍ପ ଖର୍ଚ୍ଚ ୧,୪୬,୩୮୦ କୋଟି ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ଏହି ତାଲିକାରେ ୧୫୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ କାର୍ଯ୍ୟକାରୀ କରାଯାଉଥିବା ପ୍ରକଳ୍ପଗୁଡ଼ିକୁ ବିଚାରକୁ ନିଆଯାଇଛି। ଏହି ପ୍ରକଳ୍ପଗୁଡ଼ିକରେ ୬୬,୧୪୦ କୋଟି ଟଙ୍କା ବ୍ୟୟ ହୋଇଥିବା ଜଣାପଡ଼ିଛି।

Advertisment

ସୂଚନା ଅନୁସାରେ ଓଡ଼ିଶାରେ ସଡ଼କ ପରିବହନ ଓ ରାଜପଥ କ୍ଷେତ୍ରରେ ସର୍ବାଧିକ ୩୫ଟି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି। ଏହା ବ୍ୟତୀତ ରେଳବାଇର ୧୬, ଇସ୍ପାତରେ ୨, ବିଦ୍ୟୁତ୍‌ ଶକ୍ତିରେ ୨, ଖଣିରେ ୬, କୋଇଲା କ୍ଷେତ୍ରରେ ୧୩ ଏବଂ ପେଟ୍ରୋଲିୟମ୍ ଓ ଶିକ୍ଷା କ୍ଷେତ୍ରରେ ଗୋଟିଏ ଲେଖାଏଁ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି। ୧୯୯୪ରେ ମଞ୍ଜୁର ହୋଇଥିବା ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପର କାମ ୨୦୨୬ ଡିସେମ୍ବର ସୁଦ୍ଧା ଶେଷ ହେବା ଆଶା କରାଯାଉଛି। ଏହି ପ୍ରକଳ୍ପରେ ୩୫୫୦ କୋଟି ଟଙ୍କା ବ୍ୟୟ କରାଯିବ ବୋଲି ପ୍ରାରମ୍ଭିକ ପର୍ଯ୍ୟାୟରେ ଧାର୍ଯ୍ୟ କରାଯାଇଥିଲା। ମାତ୍ର ବିଳମ୍ବ କାରଣରୁ ପ୍ରକଳ୍ପ ମୂଲ୍ୟ ୫,୦୮୯.୩୭ କୋଟି ଟଙ୍କାକୁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ଏହି ପ୍ରକଳ୍ପରେ ୪୯୧୦.୨୨ କୋଟି ଟଙ୍କା ବ୍ୟୟ ହୋଇସାରିଲାଣି।

ପ୍ରକଳ୍ପର ୮୬ ପ୍ରତିଶତ କାର୍ଯ୍ୟ ଶେଷ ହୋଇଥିବା ଜଣାପଡ଼ିଛି। ସେହିପରି, ୨୦୧୭ରେ ମଞ୍ଜୁର ହୋଇଥିବା ଜୟପୁର-ନବରଙ୍ଗପୁର ରେଳପଥ ପ୍ରକଳ୍ପ ଲାଗି ୭୪୮ କୋଟି ଟଙ୍କାର ବ୍ୟୟ ଅଟକଳ ଧାର୍ଯ୍ୟ କରାଯାଇଥିଲେ ମଧ୍ୟ ଟଙ୍କାଟିଏ ବି ଖର୍ଚ୍ଚ ହୋଇନାହିଁ। ୨୦୦୫ରେ ମଞ୍ଜୁର ହୋଇଥିବା ତାଳଚେର-ବିମଳାଗଡ଼ ରେଳପଥର ୪୦ ପ୍ରତିଶତ କାମ ଶେଷ ହୋଇଛି। ସେଥିରେ ୧୭୫୭.୭୫ କୋଟି ଟଙ୍କା ବ୍ୟୟ କରାଯାଇଛି। ଏହି ପ୍ରକଳ୍ପରେ ୧୯୨୮ କୋଟି ଟଙ୍କା ବ୍ୟୟ କରିବାକୁ ଅଟକଳ ଧାର୍ଯ୍ୟ କରାଯାଇଛି। ୨୦୨୨ ଅଗଷ୍ଟରେ ମଞ୍ଜୁର ହୋଇଥିବା ତାଳଚେର ଥର୍ମାଲ୍‌ ବିଦ୍ୟୁତ୍‌ ପ୍ରକଳ୍ପ ତୃତୀୟ ପର୍ଯ୍ୟାୟରେ ୧୧,୮୪୪ କୋଟି ଟଙ୍କା ବ୍ୟୟ କରାଯିବ। ଏହି ପ୍ରକଳ୍ପର ୨୧.୪୦ ପ୍ରତିଶତ କାମ ଶେଷ ହୋଇଥିବା ବେଳେ ସେଥିରେ ୩୭୦୩ କୋଟି ଟଙ୍କା ବ୍ୟୟ କରାଯାଇଛି। ୨୦୨୭ ଡିସେମ୍ବରରେ ଏହି ପ୍ରକଳ୍ପ କ‌ାର୍ଯ୍ୟକ୍ଷମ ହେବା ଆଶା କରାଯାଉଛି। ସେହି ସମୟ ବେଳକୁ ପ୍ରକଳ୍ପ ଖର୍ଚ୍ଚ ୧୨,୫୩୯ କୋଟି ଟଙ୍କାକୁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି।