ସିଏମ୍‌ଆଇଇ ତଥ୍ୟ: ୭୮ ଲକ୍ଷ ଲୋକ ଫେରିପାଇଲେ କାମଧନ୍ଦା

ନୂଆଦିଲ୍ଲୀ : ଚଳିତ ବର୍ଷ ଜୁନ୍‌ରେ ନିଯୁକ୍ତି ସ୍ଥିତିରେ ବଡ଼ ଧରଣର ସୁଧାର ଘଟିଛି। ମହାମାରୀର ଦ୍ବିତୀୟ ଲହର ପ୍ରଭାବରେ ୨ କୋଟି ୨୭ ଲକ୍ଷ ଲୋକ ଜୀବିକା ହରାଇଥିଲେ। ସେମାନଙ୍କ ମଧ୍ୟରୁ ୭୮ ଲକ୍ଷ ଲୋକଙ୍କୁ ଜୁନ୍‌ ମାସରେ କାମଧନ୍ଦା ମିଳିଛି। ସେମାନେ ଜୀବିକା ଫେରିପାଇଛନ୍ତି। ଅର୍ଥନୈତିକ କାର୍ଯ୍ୟକଳାପରେ ଦ୍ରୁତ ଗତିରେ ସୁଧାର ହେଉଥିବାରୁ ବେକାର ହୋଇପଡ଼ିଥିବା ଲୋକଙ୍କ ସଂଖ୍ୟା ହ୍ରାସ ପାଉଛି ବୋଲି ଘରୋଇ କ୍ଷେତ୍ରର ସଂସ୍ଥା ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନମି (ସିଏମ୍‌ଆଇଇ) ପକ୍ଷରୁ କୁହାଯାଇଛି।

ଆଶ୍ବସ୍ତିର ବିଷୟ ଏହା ଯେ ଜୁନ୍ ମାସରେ ଅଣ-କୃଷି କ୍ଷେତ୍ର ନିଯୁକ୍ତିରେ ସୁଧାର ଘଟିଛି। ସିଏମ୍‌ଆଇଇ ପକ୍ଷରୁ କୁହାଯାଇଛି ଯେ ଜୁନ୍‌ ମାସରେ ଯେଉଁ ୭୮ ଲକ୍ଷ ଲୋକ କାମଧନ୍ଦା ଫେରିପାଇଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ସହରାଞ୍ଚଳରେ ବାସ କରୁଛନ୍ତି। ସେମାନଙ୍କ ମଧ୍ୟରୁ ୬୨ ଲକ୍ଷ ଲୋକ ହେଉଛନ୍ତି ବେତନଭୋଗୀ। ସହରାଞ୍ଚଳରେ ଅତିରିକ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ଖୁଚୁରା କାରବାର, ବୟନ ଓ ନିର୍ମାଣ କାର୍ଯ୍ୟ ଆଗରେ ରହିଛନ୍ତି। ଖୁଚୁରା କାରବାର କ୍ଷେତ୍ରରେ ନିଯୁକ୍ତି ପରିମାଣ ୧୧.୨ ନିୟୁତ ବୃଦ୍ଧି ପାଇଛି। ନିର୍ମାଣ କାର୍ଯ୍ୟରେ ଅଧିକ ୨୨ ଲକ୍ଷ ଲୋକ ନିୟୋଜିତ ହୋଇଛନ୍ତି। ବୟନ ଶିଳ୍ପରେ ପ୍ରାୟ ୨୧ ଲକ୍ଷ ଲୋକ ଜୁନ୍ ମାସରେ ଯୋଡ଼ି ହୋଇଛନ୍ତି ବୋଲି ସିଏମ୍‌ଆଇଇ ପକ୍ଷରୁ କୁହାଯାଇଛି। ମାନୁଫାକ୍‌ଚରିଂ କ୍ଷେତ୍ରରେ ନିଯୁକ୍ତି ୩୭ ଲକ୍ଷ ବଢ଼ିଥିବା ବେଳେ ସେବା କ୍ଷେତ୍ରରେ ୬୯ ଲକ୍ଷ ବଢ଼ିଛି। ତେବେ ଖରିଫ ଫସଲ ବୁଣାବୁଣି କାର୍ଯ୍ୟ ଚାଲିଥିବା ସତ୍ତ୍ବେ କୃଷି କ୍ଷେତ୍ରରେ ନିୟୋଜିତ ହୋଇଥିବା ଲୋକଙ୍କ ସଂଖ୍ୟା ହ୍ରାସ ପାଇଛି। ଗତବର୍ଷ ମହାମାରୀ ‌ବ୍ୟାପିବା ପରେ ସହରାଞ୍ଚଳକୁ କାମଧନ୍ଦା କରିବାକୁ ଯାଇଥିବା ଶ୍ରମିକମାନେ ନିଜ ଗାଁକୁ ଫେରି ଆସିଥିଲେ। ‌ଫଳରେ ୨୦୨୦ ଜୁନ୍ ପରଠାରୁ କୃଷି କ୍ଷେତ୍ରରେ ନିୟୋଜିତ ଥିବା ଲୋକମାନଙ୍କ ସଂଖ୍ୟା ବହୁତ ବଢ଼ିଥିଲା। ଯେଉଁମାନେ କାମଧନ୍ଦା ହରାଇ ସହରରୁ ଫେରିଥିଲେ ସେମାନେ କୃଷି କାର୍ଯ୍ୟରେ ନିଜକୁ ସାମିଲ କରିଥିଲେ।

କିନ୍ତୁ ଚଳିତ ବର୍ଷ ଜୁନ୍ ମାସରେ କରୋନା ମହାମାରୀ ସଂକ୍ରମଣ କ୍ରମାଗତ ଭାବେ ହ୍ରାସ ପାଇବା ଓ ଦେଶର କେତେକ ସ୍ଥାନରେ ଅର୍ଥନୈତିକ କାର୍ଯ୍ୟକଳାପ ବୃଦ୍ଧି ପାଇଥିବାରୁ ବାଧ୍ୟ ହୋଇ ଯେଉଁ ଶ୍ରମିକମାନେ କୃଷି କ୍ଷେତ୍ରରେ ନିୟୋଜିତ ହୋଇଥିଲେ ସେମାନେ ନିଜ ପୁରୁଣା କାମଧନ୍ଦା ସ୍ଥଳକୁ ଫେରୁଛନ୍ତି। ସିଏମ୍‌ଏଆଇ ଏହାର ରିପୋର୍ଟରେ ଜଣାଇଛି ଯେ ମହାମାରୀର ପ୍ରଭାବ ଲହର ଭଳି ଦ୍ବିତୀୟ ଲହରରେ ମଧ୍ୟ କ୍ଷୁଦ୍ର ବ୍ୟବସାୟୀ ଓ ଦିନ ମଜୁରିଆମାନେ ସର୍ବାଧିକ ପ୍ରଭାବିତ ହୋଇଛନ୍ତି।

ସମ୍ବନ୍ଧିତ ଖବର