ପ୍ରତି ୧୦୦ରେ ୭୮ ଜଣଙ୍କ ପାଖରେ ଫୋନ୍

ମେ’ରେ ଓଡ଼ିଶା ଯୋଡ଼ିଲା ୩.୩୩ ଲକ୍ଷ ନୂଆ ଗ୍ରାହକ

ଭୁବନେଶ୍ବର : ରାଜ୍ୟର ଟେଲି ସାନ୍ଧ୍ରତା ୭୮.୪୬ ପ୍ରତିଶତରେ ପହଞ୍ଚିଛି। ଏହାର ଅର୍ଥ ହେଉଛି ରାଜ୍ୟର ପ୍ରତି ୧୦୦ ଜଣଙ୍କ ମଧ୍ୟରୁ ୭୮ ଜଣଙ୍କ ପାଖରେ ଟେଲିଫୋନ୍ ସଂଯୋଗ ରହିଛି। ଏକ୍ଷେତ୍ରରେ କିନ୍ତୁ ଓଡ଼ିଶା ବହୁ ରାଜ୍ୟ ଠାରୁ ପଛରେ ରହିଛି। ରାଜସ୍ଥାନ, ପଶ୍ଚିମବଙ୍ଗ, ଜାମ୍ମୁ ଓ କାଶ୍ମୀର, ହରିୟାଣା, ଗୁଜରାଟ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ତାମିଲନାଡୁ, ମହାରାଷ୍ଟ୍ର, ପଞ୍ଜାବ, କେରଳ, ହିମାଚଳ ପ୍ରଦେଶ ଓ ଦିଲ୍ଲୀର ଟେଲି ସାନ୍ଧ୍ରତା ହାର ଓଡ଼ିଶା ଠାରୁ ଯଥେଷ୍ଟ ଅଧିକ ରହିଛି। ଦିଲ୍ଲୀ, ହିମାଚଳପ୍ରଦେଶ, କେରଳ, ପଞ୍ଜାବ, ମହାରାଷ୍ଟ୍ର, ତାମିଲନାଡୁ ଓ କର୍ଣ୍ଣାଟକ ଭଳି ରାଜ୍ୟରେ ଜନସଂଖ୍ୟା ଠାରୁ ଅଧିକ ପରିମାଣର ଟେଲିଫୋନ୍ ସଂଯୋଗ ରହିଛି।

ଚଳିତ ବର୍ଷ ମାର୍ଚ୍ଚରେ ଓଡ଼ିଶାର ମୋବାଇଲ୍ ଗ୍ରାହକ ୩ ଲକ୍ଷ ୩୩ ହଜାର ବୃଦ୍ଧି ହୋଇଛି ବୋଲି ଭାରତୀୟ ଦୂରସଂଚାର ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ଜାରି କରିଥିବା ତଥ୍ୟରୁ ଜଣାପଡ଼ିଛି। ଏହି ମାସ‌ରେ ରିଲାଏନ୍ସ ଜିଓ ସର୍ବାଧିକ ୨ ଲକ୍ଷ ୭୨ ହଜାର ନୂଆ ଗ୍ରାହକ ଯୋଡ଼ିଥିବା ବେଳେ ଏୟାରଟେଲ୍‌ ୬୪,୭୦୧ ଓ ବିଏସ୍‌ଏନ୍‌ଏଲ୍‌ ୪୯,୧୩୩ ଜଣ ନୂଆ ଗ୍ରାହକ ହାସଲ କରିଛି। କିନ୍ତୁ ଭୋଡାଫୋନ୍ ଆଇଡିଆ ଏହି ମାସରେ ୫୨,୭୫୧ ଜଣ ପୁରୁଣା ଗ୍ରାହକ ହରାଇଛି। ମାର୍ଚ୍ଚ ମାସ ଶେଷ ସୁଦ୍ଧା ରାଜ୍ୟର ମୋଟ୍ ମୋବାଇଲ୍ ଗ୍ରାହକ ସଂଖ୍ୟା ୩ କୋଟି ୪୩ ଲକ୍ଷ ୪୪ ହଜାର ୧୨୯ରେ ପହଞ୍ଚିଛି। ଗତ‌ ଫେବ୍ରୁଆରିରେ ଏହି ସଂଖ୍ୟା ୩ କୋଟି ୪୦ ଲକ୍ଷ ୧୦ ହଜାର ୮୫୯ ଥିଲା।

ଟ୍ରାଇ ତଥ୍ୟ ଅନୁଯାୟୀ, ଓଡ଼ିଶାରେ ଜିଓର ଗ୍ରାହକ ସଂଖ୍ୟା ମାର୍ଚ୍ଚ ଶେଷ ସୁଦ୍ଧା ୧ କୋଟି ୪୩ ଲକ୍ଷ ୨୫ ହଜାର ୩୯୭କୁ ବୃଦ୍ଧି ପାଇଛି। ମାର୍ଚ୍ଚରେ କଂପାନି ୨ ଲକ୍ଷ ୭୨ ହଜାର ୨୦୩ ଜଣ ନୂଆ ଗ୍ରାହକ ଯୋଡ଼ିଛି। ଏୟାରଟେଲ୍‌ର ଗ୍ରାହକ ସଂଖ୍ୟା ୧ କୋଟି ୧୧ ଲକ୍ଷ ୭୭ ହଜାର ୭୪୬କୁ ବୃଦ୍ଧି ପାଇଛି। କଂପାନି ମୋଟ ୬୪,୭୦୧ ଜଣ ନୂ୍ଆ ଗ୍ରାହକ ହାସଲ କରିଛି। ବିଏସ୍‌ଏନଏଲ୍‌ର ମୋଟ ଗ୍ରାହକ ସଂଖ୍ୟା ୬୪ ଲକ୍ଷ ୭୬ ହଜାର ୧୪୫ରେ ପହଞ୍ଚିଛି। ଭୋଡାଫୋନ୍ ଆଇଡିଆର ଗ୍ରାହକ ସଂଖ୍ୟା ୨୪ ଲକ୍ଷ ୧୭ ହଜାର ୩୯୧କୁ ହ୍ରାସ ପାଇଛି। ରାଜ୍ୟର ୪୧.୭୧ ପ୍ରତିଶତ ଗ୍ରାହକ ଜିଓ ପାଖରେ ଥିବା ବେଳେ ୩୨.୫୫ ପ୍ରତିଶତ ଗ୍ରାହକ ଏୟାରଟେଲ୍‌, ୧୮.୮୬ ପ୍ରତିଶତ ଗ୍ରାହକ ବିଏସ୍‌ଏନ୍‌ଏଲ୍‌ ଓ ୬.୮୯ ପ୍ରତିଶତ ଗ୍ରାହକ ଭୋଡାଫୋନ୍ ଆଇଡିଆ ପାଖରେ ରହିଛନ୍ତି।

ସମ୍ବନ୍ଧିତ ଖବର