ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ କମିଟି ବୈଠକରେ ‘ପ୍ରଧାନମନ୍ତ୍ରୀ ଜନଜାତୀୟ ଉନ୍ନତ ଗ୍ରାମ ଅଭିଯାନ’କୁ ମଞ୍ଜୁରି ପ୍ରଦାନ କରାଯାଇଛି। ଏଥିପାଇଁ ୭୯,୧୫୬ କୋଟି ଟଙ୍କାର ବ୍ୟୟବରାଦ ରହିଛି। ଏହି ଯୋଜନାର ଲାଭ ୬୩ ହଜାର ଆଦିବାସୀ ଗ୍ରାମ ଓ ୫ କୋଟି ଆଦିବାସୀ ଲୋକଙ୍କ ପାଖରେ ପହଞ୍ଚିବ। ୨୦୨୪-୨୫ ବଜେଟ୍‌ରେ ଏହି ଯୋଜନା ଘୋଷଣା କରାଯାଇଥିଲା। ସାରା ଦେଶରେ ଥିବା ୫୪୯ଟି ଜିଲ୍ଲାର ଆଦିବାସୀ ବହୁଳ ୨୭୪୦ଟି ବ୍ଲକ୍‌ରେ ଥିବା ଗ୍ରାମଗୁଡ଼ିକ ଏହି ଯୋଜନା ଦ୍ବାରା ଉପକୃତ ହେବେ। ୧୭ଟି ମନ୍ତ୍ରଣାଳୟ ଦ୍ବାରା ଆଦିବାସୀଙ୍କ ଉନ୍ନତି ପାଇଁ ୨୫ ପ୍ରକାର ପଦକ୍ଷେପ ନିଆଯିବ। ଆଦିବାସୀ ବହୁଳ ଗ୍ରାମଗୁଡ଼ିକରେ ଲୋକମାନଙ୍କ ପାଇଁ ପାଇପ୍‌ରେ ପାନୀୟ ଜଳ ଓ ବିଦ୍ୟୁତ ଯୋଗାଣ ସୁବିଧା ଥିବା ପକ୍କା ଘର ନିର୍ମାଣ କରାଯିବ। ଯୋଗ୍ୟ ହିତାଧିକାରୀମାନଙ୍କୁ ଆୟୁଷ୍ମାନ ଭାରତ କାର୍ଡ ପ୍ରଦାନ କରାଯିବ। ସବୁଦିନିଆ ସଡ଼କ, ମୋବାଇଲ୍ ସ‌ଂଯୋଗ, ସ୍ବାସ୍ଥ୍ୟସେବା, ପୋଷଣ, ଶିକ୍ଷା ଓ ଦକ୍ଷତା ବିକାଶ ଭଳି ସୁବିଧାସୁଯୋଗର ବ୍ୟବସ୍ଥା କରାଯିବ।

Advertisment

ଆଜିର ବୈଠକରେ ଚାଷୀମାନଙ୍କ ଲାଗି ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ସେମାନଙ୍କ ଉତ୍ପାଦିତ ସାମଗ୍ରୀ ପାଇଁ ଉଚିତ୍‌ ମୂଲ୍ୟ ସୁନିଶ୍ଚିତ କରିବା ଲାଗି ପିଏମ୍‌-ଆଶା ଯୋଜନା ଜାରି ରଖିବାକୁ ନିଷ୍ପତ୍ତି ନିଆଯାଇଛି। ପଞ୍ଚଦଶ ଅର୍ଥ ଆୟୋଗଙ୍କ କାର୍ଯ୍ୟକାଳ ସମୟରେ ଏହି ଅଭିଯାନରେ ୨୦୨୫-୨୬ ପର୍ଯ୍ୟନ୍ତ ୩୫ ହଜାର କୋଟି  ଟଙ୍କା ଖର୍ଚ୍ଚ ହେବ। ମୂଲ୍ୟ ସହାୟତା ସ୍କିମ୍ ଓ ମୂଲ୍ୟ ସ୍ଥିରତା ଫଣ୍ଡକୁ ପିଏମ୍‌-ଆଶା ଯୋଜନାରେ ମିଶାଇବାକୁ ମଧ୍ୟ ନିଷ୍ପତ୍ତି ହୋଇଛି। 

‘ପିଏମ୍‌ ଜନଜାତୀୟ ଉନ୍ନତ ଗ୍ରାମ ଅଭିଯାନ’ରେ କ୍ୟାବିନେଟ୍‌ ମୋହର

କ୍ୟାବିନେଟ୍‌ କମିଟି ବୈଠକରେ ରବି ଋତୁ ପାଇଁ ୨୪୪୭୫ କୋଟି ଟଙ୍କାର ପୋଷଣଭିତ୍ତିକ ସାର ସବ୍‌ସିଡି ମଞ୍ଜୁର କରାଯାଇଛି। ପଟାସ ଓ ଫସ୍‌ଫରସ୍‌ ସାର ଲାଗି ଏହି ସବ୍‌ସିଡି ଦିଆଯିବ। ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ଯେ ଚଳିତ ବର୍ଷ ଅକ୍ଟୋବର ୧ରୁ ୨୦୨୫ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଏହି ସବ୍‌ସିଡି ଲାଗୁ ହେବ। ଏହା ଦ୍ବାରା ଚାଷୀମାନେ ସୁଲଭ ଓ ଉଚିତ୍‌ ମୂଲ୍ୟରେ ସାର ପାଇପାରିବେ। ଏହି ସବ୍‌ସିଡି ରାଶି ସାର କମ୍ପାନିଗୁଡ଼ିକୁ ପ୍ରଦାନ କରାଯିବ। ସେମାନେ ସୁଲଭ ମୂଲ୍ୟରେ ସାର ଯୋଗାଇଲେ ଚା‌ଷୀମାନେ ଉପକୃତ ହେବେ।