‘ଟାଟା ଟେଲି’ ବନ୍ଦ ହେବ!

ନୂଆଦିଲ୍ଲୀ: ଟାଟା ଗ୍ରୁପ୍‌ର ମୋବାଇଲ୍‌ ସେବା ପ୍ରଦାନକାରୀ କଂପାନି ଟାଟା ଟେଲି ସର୍ଭିସେସ୍‌ ବନ୍ଦ ହୋଇଯିବ ବୋଲି ଚର୍ଚା ଆରମ୍ଭ ହୋଇଯାଇଛି। ଯଦିଓ ଏ ବିଷୟରେ କଂପାନି ପକ୍ଷରୁ କୌଣସି ନିର୍ଦିଷ୍ଟ ସୂଚନା ଏ ପର୍ଯ୍ୟନ୍ତ ପ୍ରଦାନ କରାଯାଇନାହିଁ। କିନ୍ତୁ ଏହି ଖବରକୁ ନେଇ ଚର୍ଚା ଜୋର ଧରିଛି।
ଦୀର୍ଘ ୨୧ ବର୍ଷ ପର୍ଯ୍ୟନ୍ତ ମୋବାଇଲ୍‌ ସେବା ପ୍ରଦାନ କରିବା ପରେ ଟାଟା ଟେଲିରେ ତାଲା ଝୁଲିବାକୁ ଯାଉଛି। କଂପାନିରେ କାମ କରୁଥିବା ୫୦୦୦ କର୍ମଚାରୀଙ୍କ ଭବିଷ୍ୟତକୁ ନେଇ ବିପଦ ସୃଷ୍ଟି ହୋଇଛି।
କର୍ମଚାରୀମାନଙ୍କ ପାଇଁ ଟାଟା ସ୍ୱତନ୍ତ୍ର ପ୍ରସ୍ଥାନ ଯୋଜନା ଉପରେ କାମ କରୁଛନ୍ତି। କର୍ମଚାରୀମାନଙ୍କୁ ତିନି କିମ୍ବା ଛଅ ମାସର ନୋଟିସ୍‌ ପ୍ରଦାନ କରାଯିବ। ଯେଉଁମାନେ ଆଗୁଆ ଚାକିରି ଛାଡ଼ିବାକୁ ନିଷ୍ପତ୍ତି ନେବେ ସେମାନଙ୍କୁ ସ୍ୱତନ୍ତ୍ର ପ୍ୟାକେଜ୍‌ ପ୍ରଦାନ କରିବା ଉପରେ ମଧ୍ୟ କଂପାନି ବିଚାର କରୁଛି ବୋଲି ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ବରିଷ୍ଠ କର୍ମଚାରୀମାନଙ୍କ ନିମନ୍ତେ କଂପାନି ସ୍ୱେଚ୍ଛାକୃତ ଅବସର ଯୋଜନା ଉପରେ କାମ କରୁଛି। ଏହା ବ୍ୟତୀତ ଅଳ୍ପ କିଛି କର୍ମଚାରୀଙ୍କୁ ଟାଟା ଗ୍ରୁପ୍‌ ଏହାର ଅନ୍ୟ ସହଯୋଗୀ ସଂସ୍ଥାକୁ ସ୍ଥାନାନ୍ତର କରିବାକୁ ଯୋଜନା ରଖିଛି। ଟାଟା ଟେଲି ଏହାର ସର୍କଲ୍‌ ମୁଖ୍ୟମାନଙ୍କୁ ୨୦୧୮ ଡିସେମ୍ବର ୩୧ ସୁଦ୍ଧା କଂପାନି ଛାଡ଼ି ଚାଲିଯିବାକୁ କହିଛି ବୋଲି ଏକ ଚର୍ଚା ହେଉଛି। ଯେଉଁମାନେ ଯେତେ ଶୀଘ୍ର ଚାକିରି ଛାଡ଼ିବେ ସେମାନଙ୍କୁ ଚଳିତ ଆର୍ଥିକ ବର୍ଷର ବଳକା ମାସଗୁଡ଼ିକର ଦରମା ପ୍ରଦାନ କରାଯିବ।
ଟାଟା ଟେଲି ଏବେ ବିପୁଳ କ୍ଷତି ସହୁଛି। ଏହା ଉପରେ ୩୦ ହଜାର କୋଟି ଟଙ୍କାର ଋଣ ବୋଝ ରହିଛି। ଟାଟା ଟେଲିକୁ ବିକ୍ରି କରିବାକୁ ଟାଟା ଗ୍ରୁପ୍‌ ପ୍ରୟାସ କରିଥିଲା। କିନ୍ତୁ ସେଥିରେ ବିଫଳ ହୋଇଥିଲା। ତେଣୁ ଏବେ ଅନ୍ୟ କୌଣସି ଉପାୟ ନପାଇ କଂପାନିକୁ ବନ୍ଦ କରିବା ଉପରେ ଟାଟା ଗ୍ରୁପ୍‌ ବିଚାର କରୁଛି। କଂପାନି ଏ ସମ୍ପର୍କରେ ଚଳିତ ମାସ ୭ରେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରିଥିବା ଜଣାପଡ଼ିଛି।
କେଉଁ ଉପାୟରେ ମୋବାଇଲ୍‌ ସେବା କାରବାରରୁ ଟାଟା ଗ୍ରୁପ୍‌ ବାହାରି ପାରିବ ସେ ବିଷୟରେ ଆଲୋଚନା କରିବା ପାଇଁ ଟାଟା ଗ୍ରୁପ୍‌ର ମୁଖ୍ୟ ବିତ୍ତ ଅଧିକାରୀ ସୌରଭ ଅଗ୍ରଓ୍ଵାଲ୍‌ ଏବଂ ଟାଟା ଟେଲି ସର୍ଭିସେସ୍‌ର ପରିଚାଳନା ନିର୍ଦେଶକ ଏନ୍‌ ଶ୍ରୀନାଥ ଟେଲିଯୋଗାଯୋଗ ମନ୍ତ୍ରଣାଳୟର ଅଧିକାରୀମାନଙ୍କ ସହିତ ଆଲୋଚନା କରିଛନ୍ତି।
ଚଳିତ ମାସରେ ଟାଟା ଟେଲିକୁ ବନ୍ଦ କରିବା ପ୍ରକ୍ରିୟା ଆରମ୍ଭ କରାଯିବ। ୬୦ ଦିନ ଭିତରେ କଂପାନି ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ।
ଟାଟା ଟେଲି ସର୍ଭିସେସ୍‌ ୧୯୯୬ରେ ଲ୍ୟାଣ୍ଡ୍‌ଲାଇନ୍‌ରୁ ଏହାର ଯାତ୍ରା ଆରମ୍ଭ କରିଥିଲା। ୨୦୦୨ରେ କଂପାନି ସିଡିଏମ୍‌ଏ ମୋବାଇଲ୍‌ ସେବା ଆରମ୍ଭ କରିଥିଲା। ୨୦୦୮ରେ ଜାପାନର କଂପାନି ଏନ୍‌ଟିଟି ଡୋକୋମୋଠାରୁ ୧୪ ହଜାର କୋଟି ଟଙ୍କାର ପାଣ୍ଠି ହାସଲ କରିବା ସହିତ ଟାଟା ଟେଲି ପକ୍ଷରୁ ଜିଏସ୍‌ଏମ୍‌ ମୋବାଇଲ୍‌ ସେବା ପ୍ରଦାନ କରାଯାଇଥିଲା। ୨୦୧୪ରେ ଟାଟା ଟେଲିରୁ ଡୋକୋମୋ ବାହାରି ଯାଇଥିଲା।

ସମ୍ବନ୍ଧିତ ଖବର