ଖଦି କ୍ଷେତ୍ର ୭ ଲକ୍ଷ ଲୋକ ଜୀବିକା ହରାଇଲେ

ନୂଆଦିଲ୍ଲୀ: ଖଦି କ୍ଷେତ୍ରରେ କାମ କରୁଥିବା ସାତ ଲକ୍ଷ ଲୋକ ଜୀବିକା ହରାଇଛନ୍ତି। ସରକାର ଜାରି କରିଥିବା ତଥ୍ୟରୁ ଏହା ଜଣାପଡ଼ିଛି। ୨୦୧୫-୧୬ରେ ଦେଶରେ ଖଦି କ୍ଷେତ୍ରରେ କାମ କରୁଥିବା ଲୋକମାନଙ୍କ ସଂଖ୍ୟା ୧୧ ଲକ୍ଷ ୬୦ ହଜାର ଥିଲା। ୨୦୧୬-୧୭ରେ ସେମାନଙ୍କ ସଂଖ୍ୟା ୪ ଲକ୍ଷ ୬୦ ହଜାରକୁ ଖସି ଆସିଛି। କେନ୍ଦ୍ର ଏମ୍‌ଏସ୍‌ଏମ୍‌ଇ ବିଭାଗ ପକ୍ଷରୁ ଏହି ତଥ୍ୟ ସଂସଦରେ ଉପସ୍ଥାପନ କରାଯାଇଛି। ଉତ୍ତରାଖଣ୍ଡ, ଉତ୍ତର ପ୍ରଦେଶ, ଛତିଶଗଡ଼ ଏବଂ ମଧ୍ୟ ପ୍ରଦେଶରେ ଅଧିକାଂଶ ଲୋକ ଏହି କ୍ଷେତ୍ର ଛାଡ଼ି ଚାଲିଯାଇଛନ୍ତି। ଏହି ସବୁ ଅଞ୍ଚଳର ୩ ଲକ୍ଷ ୨୦ ହଜାର ଲୋକ ଖଦି କ୍ଷେତ୍ରରୁ ବିଦାୟ ନେଇଛନ୍ତି। ଓଡ଼ିଶା ସମେତ ବିହାର, ପଶ୍ଚିମ ବଙ୍ଗ ଓ ଝାଡ଼ଖଣ୍ଡରେ ୧ ଲକ୍ଷ ୨୦ ହଜାର ଲୋକ ଖଦି କ୍ଷେତ୍ରରୁ ବିଦାୟ ନେଇଛନ୍ତି। ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେଉଁ ଦୁଇ ବର୍ଷରେ ଲକ୍ଷ ଲକ୍ଷ ଲୋକ ବିଦାୟ ନେଇଥିଲେ ସେହି ସମୟରେ ଖଦିର ବିକ୍ରି ୩୩% ବଢ଼ିଥିବା ବେଳେ ଉତ୍ପାଦନ ୩୧% ବଢ଼ିଛି। ଖଦି ଓ ଗ୍ରାମୋଦ୍ୟୋଗ ଆୟୋଗ ପକ୍ଷରୁ କୁହାଯାଇଛି ଯେ, ଏହି କ୍ଷେତ୍ରରେ ନୂତନ ଭାବେ ପ୍ରବେଶ କରୁଥିବା ଶ୍ରମ ଶକ୍ତିର ତଥ୍ୟ ଆମ ପାଖରେ ରହିଛି। କିନ୍ତୁ ଯେଉଁମାନେ ଏକ୍ଷେତ୍ରରୁ ବିଦାୟ ନେଇଛନ୍ତି, ସେମାନଙ୍କ ତଥ୍ୟ ଅପ୍‌ଡେଟ୍‌ କରାଯାଇନାହିଁ। ତେଣୁ ପ୍ରକୃତରେ କେତେ ଲୋକ ଖଦି କ୍ଷେତ୍ରରୁ ବିଦାୟ ନେଇଛନ୍ତି ତାହାର ସଠିକ୍‌ ଚିତ୍ର ସାମ୍ନାକୁ ଆସିନାହିଁ ବୋଲି ଆୟୋଗ ପକ୍ଷରୁ କୁହାଯାଇଛି। ଖଦି କ୍ଷେତ୍ରରେ ପାରମ୍ପରିକ ଚରଖା ବଦଳରେ ଆଧୁନିକ ଚରଖା ବ୍ୟବହାର କରାଯାଇଛି। ଏହା ଦ୍ୱାରା ଉତ୍ପାଦନ ବଢ଼ିଛି। କିନ୍ତୁ ଯେଉଁମାନେ ପାରମ୍ପରିକ ଚରଖାରେ ଅଭ୍ୟସ୍ତ ଥିଲେ ସେମାନେ ଏହି କ୍ଷେତ୍ର ଛାଡ଼ିବାକୁ ବାଧ୍ୟ ହୋଇଥିବା କୁହାଯାଉଛି।

ସମ୍ବନ୍ଧିତ ଖବର