ସୋମବାରରୁ ୭ମ ଅର୍ଥନୈତିକ ଗଣନା

ମାର୍ଚ୍ଚ ୨୦ରେ ପ୍ରକାଶ ହେବ, ୧୦ ଲକ୍ଷ କର୍ମଚାରୀ ସାମିଲ ହେ‌େବ

ନୂଆଦିଲ୍ଲୀ: ଆସନ୍ତା ସୋମବାରରୁ ଦେଶରେ ୭ମ ଅର୍ଥନୈତିକ ଗଣନା ସରକାର ଆରମ୍ଭ କରିବେ। ଦେଶର ଆର୍ଥିକ ପ୍ରତିଷ୍ଠାନ ଗୁଡ଼ିକ ସମ୍ପର୍କରେ ତଥ୍ୟ ସଂଗ୍ରହ ପାଇଁ ଏହି ଗଣନା ଜୁଲାଇ ୨୯ରୁ ଆରମ୍ଭ ହେବ। ପ୍ରଥମେ ଏହା ତ୍ରିପୁରାରୁ ଆରମ୍ଭ ହେବ। ୫ ବର୍ଷ ପରେ କେନ୍ଦ୍ର ସରକାରଙ୍କ ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ପକ୍ଷରୁ ଏହି ଗଣନା ଆରମ୍ଭ ହେଉଛି। ମନ୍ତ୍ରାଳୟ ଏଥିପାଇଁ ସିଏସସି ଇ-ଗଭର୍ଣ୍ଣାନ୍ସ ସର୍ଭିସେସ୍ ଇଣ୍ଡିଆ ଲିମିଟେଡ ସହିତ ସହଯୋଗିତା ସ୍ଥାପନ କରିଛି। ତ୍ରିପୁରା ପରେ ପୁଦୁଚେରିରେ ଏହି ଗଣନା ହେବ। ପରିସଂଖ୍ୟାନ ସଂଗ୍ରହ ଆଇନ ୨୦୦୮ ଅଧୀନରେ ଘରକୁ ଘର ଏବଂ ଅର୍ଥନୈତିକ ପ୍ରତିଷ୍ଠାନ ଗୁଡ଼ିକୁ ସର୍ଭେ କରାଯାଇ ତଥ୍ୟ ସଂଗ୍ରହ କରାଯିବ। ଡିସେମ୍ବର ସୁଦ୍ଧା ତଥ୍ୟ ସଂଗ୍ରହ ଶେଷ ହେବ ଏବଂ ଜାତୀୟ ସ୍ତରରେ ୨୦୨୦ ମାର୍ଚ୍ଚ ବେଳକୁ ଏହାର ଫଳାଫଳ ଉପଲବ୍ଧ ହୋଇଯିବ ବୋଲି ଆଶା ରଖାଯାଇଛି। ଏହି ଗଣନା କାର୍ଯ୍ୟରେ ପ୍ରାୟ ୧୦ ଲକ୍ଷ କର୍ମଚାରୀ ସାମିଲ ହେବେ ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ୨୦୧୩ରେ ହୋଇଥିବା ଅର୍ଥନୈତିକ ଗଣନାରେ ଦେଶରେ ୫୮.୫ ନିୟୁତ ପ୍ରତିଷ୍ଠାନ ରହିଥିଲାବେଳେ ଏଗୁଡ଼ିକରେ ପ୍ରାୟ ୧୩୧ ନିୟୁତ କର୍ମଚାରୀ ନିଯୁକ୍ତ ଥିବା ଜଣାଯାଇଥିଲା। ଅର୍ଥନୈତିକ ଗଣନା ଦ୍ବାରା ଦେଶରେ ହେଉଥିବା ଅର୍ଥନୈତିକ କାର୍ଯ୍ୟକଳାପ ସମ୍ପର୍କରେ ଗୁରୁତ୍ବପୂର୍ଣ୍ଣ ସୂଚନା ମିଳିଥାଏ।

ସମ୍ବନ୍ଧିତ ଖବର