୨୦୨୨‌ରେ ୮.୫% ଅଭିବୃଦ୍ଧି ହେବ: ଏସ୍‌ଆଣ୍ଡ୍‌ପି

ଚଣ୍ଡିଗଡ଼: କରୋନା ସଙ୍କଟ ପ୍ରଭାବରୁ ଭାରତ ଶୀଘ୍ର ବାହାରି ଆସିବ। ଚଳିତ ବର୍ଷ ଏହାର ଅର୍ଥନୀତି ନିଶ୍ଚିତ ପ୍ରଭାବିତ ହେବ। କିନ୍ତୁ ୨୦୧୧-୨୨ ଆର୍ଥିକ ବର୍ଷରେ ସେଥିରେ ଦ୍ରୁତ ସୁଧାର ଘଟି ଅଭିବୃଦ୍ଧି ହାର ୮.୫ ପ୍ରତିଶତ ଭଳି ଉଚ୍ଚ ସ୍ତରରେ ପହଞ୍ଚିବ ବୋଲି ବିଶ୍ବ ସ୍ତରୀୟ ରେଟିଂ ଏଜେନ୍ସି ଏସ୍‌ଆଣ୍ଡ୍‌ପି ଆକଳନ କରିଛି। ଦୀର୍ଘମିଆଦୀ ଭିତ୍ତିରେ ଭାରତୀୟ ଅର୍ଥନୀତି ପ୍ରତି ଏହି ରେଟିଂ ଏଜେନ୍ସି ବିଶ୍ବାସ ପ୍ରକଟ କରିଛି। ସେଥିପାଇଁ ଏହାର ରେଟିଂକୁ ସ୍ଥିର ରହିଛି। କିନ୍ତୁ ନିବେଶ ରେଟିଂକୁ ‘ବିବିବି ଋଣାତ୍ମକ’ ବର୍ଗରେ ରଖିଛି।

ଭାରତକୁ ନେଇ ଏସ୍‌ଆଣ୍ଡ୍‌ପି କହିଛି ଯେ, ୨୦୧୯ରେ ସରକାରଙ୍କ ଯେଉଁଭଳି ଜନମତ ମିଳିଛି ତାହା ସଂସ୍କାରକୁ ଆଗକୁ ବଢ଼ାଇବା ଲାଗି ରାଜନୈତିକ ଇଚ୍ଛଶକ୍ତି ପ୍ରଦାନ କରିବ। କିନ୍ତୁ ସେହି ସଂସ୍କାର ଠିକ୍ ଭାବେ କାର୍ଯ୍ୟକାରୀ ହେବା ଦରକାର। ଜନସଂଖ୍ୟାରେ ବିବିଧତା ଏବଂ ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ଶ୍ରମ ଖର୍ଚ୍ଚ ଭାରତକୁ ଭଲ ସ୍ଥିତିରେ ରଖିବ। ଗତ ମେ’ରେ ଭାରତ ସରକାର ଆତ୍ମନିର୍ଭର ଭାରତ ପ୍ୟାକେଜ୍‌ରେ ଯେଉଁ ସବୁ ଘୋଷଣା କରିଛନ୍ତି ତାହା ଅର୍ଥନୀତି ପାଇଁ ସହାୟକ ହେବ। ଦୀର୍ଘମିଆଦୀ ଭିତ୍ତିରେ ତାହା ଅଭିବୃଦ୍ଧିକୁ ଆଗକୁ ନେବ। ମାତ୍ର କଂପାନି ଟିକସରେ ହ୍ରାସ ଯୋଗୁଁ ରାଜସ୍ବ ଆୟ ଉପରେ ପଡ଼ିଥିବା ପ୍ରଭାବ ଓ ଦୁର୍ବଳ ଅର୍ଥନୈତିକ କାର୍ଯ୍ୟକଳାପ ସରକାରଙ୍କ ଆର୍ଥିକ ସ୍ଥିତି ପ୍ରତି ଆହ୍ବାନ ସୃଷ୍ଟି କରିବ। ଅର୍ଥନୀତିରେ ସୁଧାର ହେବା ପରେ ସରକାର ନିଜର ଆର୍ଥିକ ସ୍ଥିତିକୁ କିଭଳି ସଜାଡ଼ୁଛନ୍ତି ତାହା ଉପରେ ଅନେକ କିଛି ନିର୍ଭର କରୁଛି ବୋଲି ଏସ୍‌ଆଣ୍ଡ୍‌ପି କହିଛି।

ସମ୍ବନ୍ଧିତ ଖବର