ନୂଆଦିଲ୍ଲୀ: ଚଳିତ ମାସ ୨୧ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ଦିନ ଦେଶରେ ୮,୬୭,୮୭,୩୮୦ ଟଙ୍କାର ଖଦି ଯୋଗ ପୋଷାକ ଓ ଯୋଗ ମ୍ୟାଟ୍ ବିକ୍ରି ହୋଇଛି। ଖଦି ଓ ଗ୍ରାମୋଦ୍ୟୋଗ ଆୟୋଗଙ୍କ ସୂଚନା ଅନୁସାରେ ଏହି ଦିନ ୧,୦୯,୦୨୨ଟି ଯୋଗ ମ୍ୟାଟ୍ ଓ ୬୩,୭୦୦ଟି ଯୋଗ ପୋଷାକ ବିକ୍ରି ହୋଇଛି। ଆୟୋଗର ଅଧ୍ୟକ୍ଷ ମନୋଜ କୁମାର କହିଛନ୍ତି ଯେ ଦେଶରେ ଥିବା ୫୫ ଖଦି ଅନୁଷ୍ଠାନ ଜରିଆରେ ରେକର୍ଡ ପରିମାଣର ଯୋଗ ପୋଷାକ ଓ ମ୍ୟାଟ୍ ବିକ୍ରି ହୋଇଛି ଯାହା ଅନେକ ଖଦି କାରିଗରଙ୍କ ପାଇଁ ଖୁସିର ଖବର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହ ମନ୍ତ୍ରୀ ଅମିତ ଶାହ ଖଦି ପୋଷାକ ପିନ୍ଧି ଯୋଗ କରିଥିଲେ ବୋଲି ସେ କହିଛନ୍ତି। ଖଦି ପୋଷାକ ଓ ମ୍ୟାଟ୍ର ଉପକାରିତା ସମ୍ପର୍କରେ ବର୍ଣ୍ଣନା କରି ସେ କହିଛନ୍ତି ଯେ ସେଗୁଡ଼ିକ ଉଭୟ ସ୍ବାସ୍ଥ୍ୟ ଓ ପରିବେଶ ପାଇଁ ଲାଭଦାୟକ।
ଅଳ୍ପ ପାଣି ଓ ବିନା ରସାୟନ ବ୍ୟବହାର କରି ସେଗୁଡ଼ିକୁ ପ୍ରସ୍ତୁତ କରାଯାଉଛି। ଆୟୋଗ ପକ୍ଷରୁ ଆୟୁଷ ମନ୍ତ୍ରଣାଳୟ, ମୋରାରଜୀ ଦେଶାଇ ଜାତୀୟ ଯୋଗ ପ୍ରତିଷ୍ଠାନ, ଜାତୀୟ ଆୟୁର୍ବେଦ ପ୍ରତିଷ୍ଠାନ, ଡିଆର୍ଡିଓ, ଓଏନ୍ଜିସି, ନାଲ୍କୋକୁ ଯୋଗ ପୋଷାକ ଓ ମ୍ୟାଟ୍ ଯୋଗାଇ ଦିଆଯାଇଛି। ଚାହିଦାକୁ ନଜରରେ ରଖି ଅଧିକ ପୋଷାକ ଓ ମ୍ୟାଟ୍ ତିଆରି କରିବା ଲାଗି କେଭିଆଇସି ଖଦି ବୁଣାକାର ଓ କାରିଗରମାନଙ୍କୁ କହିଥିଲା। ସେମାନଙ୍କୁ ଅତିରିକତ ପାଉଣା ମଧ୍ୟ ପ୍ରଦାନ କରାଯାଇଛି।