ଆସ୍ପାୟାରିଂ ମାଇଣ୍ଡ୍‌ସ ରିପୋର୍ଟ, ୮୦% ଇଂଜିନିୟର୍ କାମ ପାଇଁ ଅଯୋଗ୍ୟ

ନୂଆଦିଲ୍ଲୀ: ଭାରତରେ ଇଂଜିନିୟର ସ୍ନାତକମାନଙ୍କ ଦକ୍ଷତାରେ କୌଣସି ଉନ୍ନତି ଆସୁନାହିଁ। ଏକ ଦଶନ୍ଧି ପୂର୍ବେ ସେମାନଙ୍କ ଦକ୍ଷତା ଯାହା ଥିଲା ଏବେ ମଧ୍ୟ ସେଇଆ ରହିଛି। ନୂଆ ପିଢ଼ିର ଦକ୍ଷତା ଆହରଣ କରିବା ଏମାନଙ୍କ ପାଇଁ ଏକ କଳ୍ପନା ବୋଲି ଆସ୍ପାୟାରିଂ ମାଇଣ୍ଡ୍‌ସ ପକ୍ଷରୁ କରାଯାଇଥିବା ଏକ ନୂଆ ବାର୍ଷିକ ନିଯୁକ୍ତିଯୋଗ୍ୟ ସର୍ବେକ୍ଷଣ ୨୦୧୯ରୁ ଏହା ଜଣାପଡ଼ିଛି। ବଡ଼ ବିଡ଼ମ୍ବନାର ବିଷୟ ହେଲା ଭାରତର ୮୦ ପ୍ରତିଶତ ଇଂଜିନିୟର ନଲେଜ୍ ଇକୋନୋମି ( ଜ୍ଞାନ ଅର୍ଥନୀତି)ରେ କାର୍ଯ୍ୟ କରିବା ପାଇଁ ଅଯୋଗ୍ୟ। ଶିକ୍ଷା ବ୍ୟବସ୍ଥାରେ ସେତେଟା ପରିବର୍ତନ ଅଣାଯାଉ ନଥିବାରୁ ବେକାର ଇଂଜିନିୟରଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସର୍ଭେରେ ଅନେକ ନିଚ୍ଛକ ବାସ୍ତବତା ପଦାକୁ ଆସିଛି। ସେଗୁଡ଼ିକ ମଧ୍ୟରେ ଭାରତୀୟ ଇଂଜିନିୟରମାନଙ୍କ କୋଡିଂ ଜ୍ଞାନର ଦୁର୍ବଳତା ରହିଛି। ଚାକିରି ପାଇଁ ଆବେଦନ କରୁଥିବା ବ୍ୟକ୍ତିମାନଙ୍କ ମଧ୍ୟରେ କେବଳ ୪.୬ ପ୍ରତିଶତ ଲୋକଙ୍କ ମଧ୍ୟରେ ଉତ୍ତମ କୋଡିଂ ଦକ୍ଷତା ରହିଛି। ତେବେ ଭାରତ ପାଇଁ ଆଶ୍ବାସନାର ବିଷୟ ହେଲା କୋଡିଂ କ୍ଷେତ୍ରରେ ଭାରତର ଇଂଜିନିୟରମାନେ ଚୀନ ଇଂଜିନିୟରଙ୍କ ତୁଳନାରେ ଆଗରେ ଅଛନ୍ତି। ଚୀନରେ କେବଳ ୨.୧ ପ୍ରତିଶତ ଇଂଜିନିୟର ଠିକ୍ ଭାବେ କୋଡିଂ କରିପାରନ୍ତି। କିନ୍ତୁ ଆମେରିକାର ଇଂଜିନିୟରଙ୍କ ହାର ୧୮.୮ ପ୍ରତିଶତ। ତେଣୁ ଭାରତୀୟ ଇଂଜିନିୟରମାନଙ୍କ କୋଡିଂ ଦକ୍ଷତା ବୃଦ୍ଧି କରିବା ପାଇଁ ଉପଯୁକ୍ତ ଶିକ୍ଷାଦାନର ଆବଶ୍ୟକତା ରହିଛି ବୋଲି ସର୍ଭେରେ ପରାମର୍ଶ ଦିଆଯାଇଛି।

ଭାରତରେ କେମିକାଲ ଡିଜାଇନ ଇଂଜିନିୟରମାନଙ୍କ ନିଯୁକ୍ତିଯୋଗ୍ୟତା ହାର ୮.୧୧ ପ୍ରତିଶତ ଥିବାବେଳେ ସିଭିଲ ଡିଜାଇନ ଇଂଜିନିୟରଙ୍କ ନିଯୁକ୍ତିଯୋଗ୍ୟତା ୫.୦୩ ପ୍ରତିଶତ ରହିଛି। ସେହିଭଳି ଇଲେକଟ୍ରୋନିକ୍ସ ଏବଂ ମେକାନିକାଲ ଡିଜାଇନ ଇଂଜିନିୟରମାନଙ୍କ ନିଯୁକ୍ତିଯୋଗ୍ୟତା ହାର ଯଥାକ୍ରମେ ୬.୯୦ ପ୍ରତିଶତ ଏବଂ ୭.୦୩ ପ୍ରତିଶତ ରହିଛି। ନୂଆ ପିଢ଼ିର ପ୍ରଯୁକ୍ତି ଭାବେ ଇଂଜିନିୟରିଂରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ର ଗୁରୁତ୍ବ ବଢ଼ୁଥିବାବେଳେ ୨.୫ ପ୍ରତିଶତ ଭାରତୀୟ ଇଂଜିନିୟର ସ୍ନାତକ ଏ କ୍ଷେତ୍ରରେ କ୍ୟାରିଅର କରିବା ପାଇଁ ଆବଶ୍ୟକ ଦକ୍ଷତା ରହିଛି। ପ୍ରଯୁକ୍ତି ଶିଳ୍ପରେ ଏବେ ମେସିନ ଲର୍ଣ୍ଣିଂ ଏବଂ ଡାଟା ସାଇନ୍ସ ଭଳି ଦକ୍ଷତା ଆବଶ୍ୟକ କରୁଥିବାବେଳେ ଏ କ୍ଷେତ୍ରରେ ଭାରତର ସ୍ଥିତି ମଧ୍ୟ ଖରାପ ରହିଛି। ଡାଟା ଇଂଜିନିୟରିଂରେ କେବଳ ୧.୫ ପ୍ରତିଶତରୁ ୪.୫ ପ୍ରତିଶତ ଇଂଜିନିୟରଙ୍କ ଆବଶ୍ୟକ ଦକ୍ଷତା ଥିବାବେଳେ ୱେୟାରଲେସ୍ ପ୍ରଯୁକ୍ତିରେ କେବଳ ୨.୮ ପ୍ରତିଶତରୁ ୫.୩ ପ୍ରତିଶତ ଇଂଜିନିୟରଙ୍କର କାର୍ଯ୍ୟଦକ୍ଷତା ରହିଛି। ଭାରତରେ ଇଂଜିନିୟରିଂ ଶିକ୍ଷା ମୁଖ୍ୟତଃ ଥିଓରିଭିତ୍ତିକ ରହିଛି। କେବଳ ୪୦ ପ୍ରତିଶତ ଛାତ୍ରଛାତ୍ରୀ ଇଣ୍ଟର୍ଣ୍ଣସିପ୍ କରୁଥିବାବେଳେ ‌୩୬ ପ୍ରତିଶତ ଛାତ୍ରଛାତ୍ରୀ ସେମାନଙ୍କ ପାଠ୍ୟକ୍ରମ ବାହାର ପ୍ରକଳ୍ପ ହାତକୁ ନେଉଛନ୍ତି।

ସମ୍ବନ୍ଧିତ ଖବର