ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ଅକ୍ଟୋବରରେ ଏକମାସବ୍ୟାପୀ ଚାଲିଥିବା ଅଫିସ ଆବର୍ଜନା ସଫେଇ ଅଭିଯାନରୁ ବଡ଼ ସଫଳତା ମିଳିଛି। କାର୍ଯ୍ୟାଳୟର ସ୍କ୍ରାପ୍‌ ବା ଅବ୍ୟବହୃତ ସାମଗ୍ରୀ ବିକ୍ରି କରି ଏ ବାବଦରେ କେନ୍ଦ୍ର ସରକାର ୮୦୦ କୋଟି ଟଙ୍କା ଉପାର୍ଜନ କରିଛନ୍ତି। ଅକ୍ଟୋବର ୨ରୁ ୩୧ ତାରିଖ ପର୍ଯ୍ୟନ୍ତ ଏହି ଅଭିଯାନ ବିଭିନ୍ନ ମନ୍ତ୍ରାଳୟ ଓ ବିଭାଗଗୁଡ଼ିକରେ ଚାଲିଥିଲା। ଉଲ୍ଲେଖଯୋଗ୍ୟ, ଚନ୍ଦ୍ରପୃଷ୍ଠରେ ସଫଳତାର ସହ ଅବତରଣ କରିଥିବା ଚନ୍ଦ୍ରଯାନ-୩ ପାଇଁ ହୋଇଥିବା ୬୧୫ କୋଟି ଟଙ୍କାର ଖର୍ଚ୍ଚ ତୁଳନାରେ ସ୍କ୍ରାପ୍‌ରୁ ଅଧିକ ରାଶି ମିଳିଛି। 

Advertisment

ମୋଦୀ ସରକାରଙ୍କ ଅମଳରେ ୨୦୨୧ ମସିହାରୁ ଏହି ଅଭିଯାନ କେନ୍ଦ୍ର ସରକାର ଆରମ୍ଭ କରିଛନ୍ତି। ଚଳିତବର୍ଷର ୮୦୦ କୋଟି ଟଙ୍କାକୁ ମିଶାଇଲେ ଗତ ୫ ବର୍ଷରେ ଏ ବାବଦରେ ପାଖାପାଖି ୪୧୦୦ କୋଟି ଟଙ୍କା ସଂଗ୍ରହ ହୋଇପାରିଛି। ଏହି ଅଭିଯାନରେ ଚଳିତବର୍ଷ କାର୍ଯ୍ୟାଳୟଗୁଡ଼ିକରେ ସର୍ବାଧିକ ବା ପ୍ରାୟ ୨୩୨ ଲକ୍ଷ ବର୍ଗଫୁଟ୍‌ ସ୍ଥାନକୁ ପରିସ୍କାର କରାଯାଇପାରିଛି। ସେହିଭଳି ଚଳିତବର୍ଷ ପାଖାପାଖି ୨୯ ଲକ୍ଷ ଫାଇଲ୍‌କୁ ହଟାଇ ଦିଆଯାଇ ପାରିଛି। ଚଳିତବର୍ଷର ଅଭିଯାନ ମଧ୍ୟ ସର୍ବବୃହତ୍‌ ରହିଛି। ବିଭିନ୍ନ କାର୍ଯ୍ୟାଳୟର ୧୧.୫୮ ଲକ୍ଷ ସ୍ଥାନରେ ସଫେଇ କାର୍ଯ୍ୟ କରାଯାଇଛି। 

ଅକ୍ଟୋବର ୨ରୁ ୩୧ ପର୍ଯ୍ୟନ୍ତ ଚାଲିଥିଲା ଅଭିଯାନ
କାର୍ଯ୍ୟାଳୟଗୁଡ଼ିକରେ ୨୩୨ ଲକ୍ଷ ବର୍ଗଫୁଟ ସ୍ଥାନ ଖାଲି

ପ୍ରଶାସନିକ ସଂସ୍କାର ଏବଂ ସାଧାରଣ ଅଭିଯୋଗ ବିଭାଗ ସଂଯୋଜନାରେ ଏହି କାର୍ଯ୍ୟ ସମ୍ପାଦିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ବଚ୍ଛତା ଓ ସୁଶାସନ ଆହ୍ବାନରେ ଅନୁପ୍ରାଣିତ ହୋଇ ଏହି କାର୍ଯ୍ୟକ୍ରମ କରାଯାଇଛି। ଅଧିକାରୀଙ୍କ ସୂଚନା ଅନୁଯାୟୀ କେନ୍ଦ୍ର ସରକାରଙ୍କ ୩ ବରିଷ୍ଠ ମନ୍ତ୍ରୀ ଯଥା ମନସୁଖ ମାଣ୍ଡଭୀୟ, କେ. ରାମମୋହନ ନାଇଡୁ ଏବଂ ଡ. ଜିତେନ୍ଦ୍ର ସିଂହ ଏହି କାର୍ଯ୍ୟର ନିରୀକ୍ଷଣ କରିଥିଲେ। ବିଦେଶରେ ଥିବା ଭାରତୀୟ ଦୂତାବାସ ସମେତ ୮୪ଟି ମନ୍ତ୍ରାଳୟ ଓ ବିଭାଗ ଏଥିରେ ଭାଗ ନେଇଥିଲେ। ୨୦୨୧ରୁ ୨୦୨୫ ମଧ୍ୟରେ ୫ଟି ସଂସ୍କରଣରେ ମୋଟ ୨୩.୬୨ ଲକ୍ଷ କାର୍ଯ୍ୟାଳୟକୁ ସାମିଲ କରାଯାଇଛି। ଏଥିରେ ମୋଟ ୧୬୬.୯୫ ଲକ୍ଷ ଫାଇଲ ସଫା କରାଯାଇଛି ଏବଂ ୯୨୮.୮୪ ଲକ୍ଷ ବର୍ଗଫୁଟ ସ୍ଥାନକୁ ସଫା କରାଯାଇ ପୁନର୍ବାର ବ୍ୟବହାର ଉପଯୋଗୀ କରାଯାଇ ପାରିଛି। ଗତମାସରେ କେନ୍ଦ୍ରମନ୍ତ୍ରୀ ଡ. ସିଂହ କହିଥିଲେ ଯେ ସରକାର ଇଲେକ୍ଟ୍ରୋନିକ୍ସ ବର୍ଜ୍ୟବସ୍ତୁ ଏବଂ ସ୍କ୍ରାପ ବିକ୍ରି ଜରିଆରେ ୩୨୯୬.୭୧ କୋଟି ଟଙ୍କା ସଂଗ୍ରହ କରିଛନ୍ତି।