ଭୁବନେଶ୍ବର: ନିକଟରେ ଶେଷ ହୋଇଥିବା ବର୍ଷ ୨୦୨୪ ଗାଡ଼ି ବଜାର ଲାଗି ଏକ ଭଲ ବର୍ଷ ସାବ୍ୟସ୍ତ ହୋଇଛି। ଏହି ବର୍ଷ ରାଜ୍ୟରେ ୮ ଲକ୍ଷ ୮ ହଜାର ୮୧୦ଟି ଗାଡ଼ି ବିକ୍ରି ହୋଇଥିଲା। ୨୦୨୩ରେ ସମୁଦାୟ ଗାଡ଼ି ବିକ୍ରି ୭,୩୭,୫୨୯ ଥିଲା। ଗତବର୍ଷ ରାଜ୍ୟରେ ୮୧,୪୯୮ଟି କାର୍ ବିକ୍ରି ହୋଇଛି ବୋଲି ଗାଡ଼ି ଡିଲରଙ୍କ ମହାସଂଘ ଏଫ୍ଏଡିଏ ଓଡ଼ିଶା ଶାଖା ପକ୍ଷରୁ ଜାରି ତଥ୍ୟରୁ ଜଣାପଡ଼ିଛି। ବାର୍ଷିକ ତଥ୍ୟ ବିଶ୍ଳେଷଣରୁ ଜଣାପଡ଼ିଛି ଯେ ୨୦୨୪ରେ ରାଜ୍ୟରେ ସବୁ ପ୍ରକାର ଗାଡ଼ିର ବିକ୍ରି ୨୦୨୩ ତୁଳନାରେ ବଢ଼ିଛି। ମୋଟ ବିକ୍ରି ୯.୬୬ ପ୍ରତିଶତ ବୃଦ୍ଧି ପାଇଛି। ଏହି ବର୍ଷ ୬,୪୩,୬୦୬ଟି ୨ଚକିଆ, ୨୩,୩୩୪ଟି ତିନିଚକିଆ, ୪୦,୨୯୮ଟି ବାଣିଜ୍ୟିକ ଯାନ ଓ ୨୦,୦୭୪ଟି ଟ୍ରାକ୍ଟର ବିକ୍ରି ହୋଇଛି। ୩ଚକିଆ ଗାଡ଼ି ବିକ୍ରିରେ ଅଭିବୃଦ୍ଧି ସର୍ବାଧିକ ୨୨.୨୩ ପ୍ରତିଶତ ରହିଛି।
୨୦୨୪ର ଶେଷ ମାସଟି କିନ୍ତୁ ଗାଡ଼ି ଡିଲର୍ମାନଙ୍କ ଲାଗି ଚିନ୍ତାର କାରଣ ପାଲଟିଥିଲା। ଗତବର୍ଷ ଡିସେମ୍ବରରେ ରାଜ୍ୟରେ ଗାଡ଼ି ବିକ୍ରି ୨୦୨୩ ତୁଳନାରେ ୧୯.୩୭ ପ୍ରତିଶତ ହ୍ରାସ ପାଇ ୫୦,୭୪୭କୁ ଖସିଆସିଥିଲା। ୩ଚକିଆକୁ ବାଦ୍ ଦେଲେ ଅନ୍ୟ ସବୁ ପ୍ରକାର ଗାଡ଼ିର ବିକ୍ରି ହ୍ରାସ ପାଇଥିଲା। ଡିସେମ୍ବରରେ ୨ଚକିଆ ବିକ୍ରି ୨୦.୯୧ ପ୍ରତିଶତ, ବାଣିଜ୍ୟିକ ଯାନ ୨୩.୪୯ ପ୍ରତିଶତ, କାର୍ ୧୫.୩୦ ପ୍ରତିଶତ ଓ ଟ୍ରାକ୍ଟର ବିକ୍ରି ୧୫.୮୮ ପ୍ରତିଶତ ହ୍ରାସ ପାଇଥିଲା। ଏ ସମ୍ପର୍କରେ ଏଫ୍ଏଡିଏ ଓଡ଼ିଶା ଶାଖାର ଅଧ୍ୟକ୍ଷ ଅଖିଲ ପୋଦାର କହିଛନ୍ତି ଯେ ଗ୍ରାମାଞ୍ଚଳରେ ଚାହିଦା କମ୍ ରହିବାରୁ ଡିସେମ୍ବର ଏକ ମନ୍ଥର ମାସ ସାବ୍ୟସ୍ତ ହୋଇଥିଲା। ପାଣିପାଗ ଓ ଫସଲ ହାନିର ପ୍ରଭାବ ମଧ୍ୟ ପଡ଼ିଥିଲା। ଧାନ କିଣା ବିଳମ୍ବ ହେବାର ପ୍ରଭାବ ମଧ୍ୟ ବଜାର ଉପରେ ପଡ଼ିଥିଲା। ଆଗାମୀ ଦିନରେ ସରକାରଙ୍କ ବ୍ୟୟ ବଢ଼ିଲେ ଜାନୁଆରିରେ ବଜାର ସ୍ଥିତିରେ ଉନ୍ନତି ଆସିବ ବୋଲି ସେ ଆଶା ପ୍ରକଟ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/01/10/tQKVV5gPwYyYAot4cfEt.jpg)