ନାଲ୍‌କୋ ନିଟ୍‌ ଲାଭରେ ୮୪୦% ବୃଦ୍ଧି, ରପ୍ତାନିରେ ଦଶନ୍ଧି ପୁରୁଣା ରେକର୍ଡ ଭଙ୍ଗ

ଭୁବନେଶ୍ବର: ନ୍ୟାସନାଲ୍ ଆଲୁମିନିୟମ୍ କଂପାନି (ନାଲ୍‌କୋ) ୨୦୨୦-୨୧ ଆର୍ଥିକ ବର୍ଷରେ ଉଲ୍ଲେଖନୀୟ ବ୍ୟବସାୟ ସଫଳତା ହାସଲ କରିଛି। ଅାେଲାଚ୍ୟ ବଷୋେର କଂପାନି ୧୩୦୦ କୋଟି ଟଙ୍କାର ନିଟ୍ ଲାଭ ହାସଲ କରିଛି ଯାହା ୨୦୧୯-୨୦ ତୁଳନାରେ ୮୪୦% ଅଧିକ। ଗତ ଆର୍ଥିକ ବର୍ଷରେ କଂପାନିର ନିଟ୍ ୧୩୮.୨୩ କୋଟି ଟଙ୍କା ଥିଲା। ବର୍ଷକ ଭିତରେ ସେଥିରେ ୯ ଗୁଣା ବୃଦ୍ଧି ହୋଇଛି।

୨୦୨୦-୨୧ରେ କଂପାନିର ନିଟ୍ ବ୍ୟବସାୟ ୮୮୬୯.୨୯ କୋଟି ଟଙ୍କା ହୋଇଛି ଯାହା ପୂର୍ବବର୍ଷ ୮୪୨୫.୭୫ କୋଟି ଟଙ୍କା ଥିଲା। କଂପାନି ୨୦୨୦-୨୧ରେ ୭୩.୬୫ ଲକ୍ଷ ଟନ୍ ବକ୍ସାଇଟ୍, ୨୦.୮୫ ଲକ୍ଷ ଟନ୍ ଆଲୁମିନା ହାଇଡ୍ରେଟ୍, ୪.୧୮ ଲକ୍ଷ ଟନ୍ ଆଲୁମିନିୟମ୍ ଧାତୁ ଉତ୍ପାଦନ କରିଥିବା ବେଳେ ୧.୯୨ ଲକ୍ଷ ଟନ୍ ଧାତୁ ରପ୍ତାନି କରିଛି। ରପ୍ତାନିରେ କଂପାନି ଦଶନ୍ଧି ପୁରୁଣା ରେକର୍ଡକୁ ଅତିକ୍ରମ କରିଛି। ୨୦୦୯-୧୦ରେ କଂପାନି ୧.୪୬ ଲକ୍ଷ ଟନ୍ ରପ୍ତାନି କରିଥିଲା। ଆଜି ଅନୁଷ୍ଠିତ କଂପାନିର ନିର୍ଦେଶକ ବୋର୍ଡ ବୈଠକରେ ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି। ଏହି ଅବସରରେ କଂପାନିର ସିଏମ୍‌ଡି ଶ୍ରୀଧର ପାତ୍ର କହିଛନ୍ତି ଯେ ଦଳଗତ କାର୍ଯ୍ୟ, କର୍ମଚାରୀମାନଙ୍କ ଉତ୍ସର୍ଗୀକୃତ ମନୋଭାବ, ବ୍ୟାବସାୟିକ ପ୍ରତିଷ୍ଠାନଗୁଡ଼ିକର ସୁପରିଚାଳନା, ଉତ୍ପାଦନ ଓ ଉତ୍ପାଦକତା ଉପରେ ଗୁରୁତ୍ବ ଯୋଗୁଁ ଏହି ସଫଳତା ମିଳିଛି। କଟକଣା କୋହଳ ହେଉଥିବା ବେଳେ ଅର୍ଥନୈତିକ କାର୍ଯ୍ୟକଳାପ ବଢ଼ୁଥିବାରୁ ଓ ନୂଆ କୋଇଲା ଖଣି ଖୋଲିବା ଉପରେ ଗୁରୁତ୍ବାରୋପ କରି ଦୀର୍ଘମିଆଦୀ ଅଭିବୃଦ୍ଧି ହାସଲ କରିବାକୁ ଆମେ ଅାଶାବାଦୀ ରହିଛୁ ବୋଲି ଶ୍ରୀ ପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର