ମୁମ୍ବାଇ: ଷ୍ଟକ୍ ବଜାରରେ ନିବେଶ କରୁଥିବା ଭାରତୀୟ ପରିବାରଗୁଡ଼ିକ ବିଶେଷ ଭାବେ ଉପକୃତ ହୋଇଛନ୍ତି। ମୋର୍ଗାନ୍ ଷ୍ଟାନ୍ଲିର ଏକ ରିପୋର୍ଟ ଅନୁସାରେ ଗତ ୧୦ ବର୍ଷ ଭିତରେ ଷ୍ଟକ୍ ବଜାର ନିବେଶରୁ ଭାରତୀୟ ପରିବାରଗୁଡ଼ିକ ୧ ଟ୍ରିଲିୟନ୍ ଡଲାର ଆୟ କରିଛନ୍ତି ଯାହାର ମୂଲ୍ୟ ଭାରତୀୟ ମୁଦ୍ରାରେ ହେଉଛି ୮୪,୩୯,୫୫୨ କୋଟି ଟଙ୍କା। ରିପୋର୍ଟରୁ ଜଣାପଡ଼ିଛି ଯେ ଭାରତୀୟ ପରିବାରଗୁଡ଼ିକର ସମ୍ପତ୍ତି ଗତ ୧୦ ବର୍ଷରେ ୮.୫ ଲକ୍ଷ କୋଟି ଡଲାର ବଢ଼ିଛି। ସେଥିରୁ ୧୧ ପ୍ରତିଶତ ଆୟ ଷ୍ଟକ୍ ବଜାରର ଇକ୍ବିଟି ନିବେଶରୁ ଆସିଛି। ସୁନାରେ ନିବେଶରୁ ପରିବାରଗୁଡ଼ିକର ସମ୍ପତ୍ତି ୨୨ ପ୍ରତିଶତ ବଢ଼ିଛି। କିନ୍ତୁ ସମ୍ପତ୍ତିରେ ଏବେବି ବଡ଼ଭାଗ ଜମିବାଡ଼ି, କୋଠା ଭଳି ରିଅଲ ଇଷ୍ଟେଟ୍ର ରହିଛି।
ଷ୍ଟକ୍ ବଜାର ଓ ସୁନାରେ ନିବେଶ ଦ୍ରୁତ ଗତିରେ ବଢ଼ୁଛି। ଭାରତୀୟ ପରିବାରଗୁଡ଼ିକ ନିଜ ପାଖରେ ଥିବା ମାତ୍ର ୩ ପ୍ରତିଶତ ସମ୍ପତ୍ତିକୁ ଷ୍ଟକ୍ ବଜାରରେ ନିବେଶ କରି ୧ ଟ୍ରିଲିୟନ୍ ଡଲାର ଆୟ କରିଛନ୍ତି। ଆଗାମୀ କିଛି ବର୍ଷ ଭିତରେ ଏଥିରେ ଦୁଇଗୁଣା ବୃଦ୍ଧି ହେବାର ସମ୍ଭାବନା ରହିଛି ବୋଲି ମୋର୍ଗାନ୍ ଷ୍ଟାନ୍ଲିର ରିଧମ ଦେଶାଇ କହିଛନ୍ତି। ରିପୋର୍ଟରେ କୁହାଯାଇଛି ଯେ ଭାରତୀୟ ପରିବାରଗୁଡ଼ିକ ଅନ୍ୟ ସମ୍ପତ୍ତି ଶ୍ରେଣୀ ଯଥା ରିଅଲ ଇଷ୍ଟେଟ୍, ବ୍ୟାଙ୍କ ଜମା, ସୁନା ଆଦିକୁ ଯେତିକି ଗୁରୁତ୍ବର ସହ ନେଉଛନ୍ତି, ଷ୍ଟକ୍ ବଜାର ସେତିକି ଗୁରୁତ୍ବ ପାଉନାହିଁ। କିନ୍ତୁ ଲୋକମାନଙ୍କ ପାଖରେ ଥିବା ଟଙ୍କା ଷ୍ଟକ୍ ବଜାରରେ ପ୍ରବେଶ କରୁଥିବାରୁ ଦେଶ ବାହାରେ ଘଟୁଥିବା ଘଟଣାଗୁଡ଼ିକ ଭାରତୀୟ ଅର୍ଥନୀତିକୁ ବିଶେଷ ପ୍ରଭାବିତ କରୁନଥିବା ରିପୋର୍ଟରେ କୁହାଯାଇଛି।