ଭୁବନେଶ୍ବର: ଦେଶର ସ୍ମାର୍ଟଫୋନ୍ ବଜାର ଦ୍ରୁତ ଗତିରେ ୫ଜି ଆଡ଼କୁ ଅଗ୍ରସର ହୋଇଛି। ଟେଲିକମ୍ କମ୍ପାନିଗୁଡ଼ିକ ୫ଜି ସେବାକୁ ଦେଶର କୋଣଅନୁକୋଣରେ ପହଞ୍ଚାଇବା ପରେ ନୂଆ ସ୍ମାର୍ଟଫୋନ୍ କିଣୁଥିବା ଗ୍ରାହକମାନେ ଏବେ ୫ଜି ସ୍ମାର୍ଟଫୋନ୍‌କୁ ପସନ୍ଦ କରୁଛନ୍ତି। ଜଣେ ଶିଳ୍ପ ବିଶେଷଜ୍ଞଙ୍କ ମତରେ ବଜାରରେ ଏବେ ବିକ୍ରି ହେଉଥିବା ୮୫ ପ୍ରତିଶତ ସ୍ମାର୍ଟଫୋନ୍ ହେଉଛି ୫ଜି। ଚଳିତ ବର୍ଷ ଶେଷ ସୁଦ୍ଧା ଏହି ହାର ୯୦ ପ୍ରତିଶତରେ ପହଞ୍ଚିବ ବୋଲି ସେ ଆକଳନ କରିଛନ୍ତି। ସେହି ସମୟରେ ବିକ୍ରିରେ ୪ଜି ଫୋନ୍‌ର ଭାଗ ମାତ୍ର ୧୦ ପ୍ରତିଶତ ରହିଯିବ ବୋଲି ସେ ପୂର୍ବାନୁମାନ କରିଛନ୍ତି। ଲାଭା ଇଣ୍ଟରନ୍ୟାସନାଲ୍‌ର ଉତ୍ପାଦ ମୁଖ୍ୟ ସୁମିତ ସିଂହ କହିଛନ୍ତି ଯେ ଦେଶରେ ବର୍ଷକୁ ୧୫ କୋଟିରୁ ଅଧିକ ସ୍ମାର୍ଟଫୋନ୍ ବିକ୍ରି ହେଉଛି। କୋଭିଡ୍‌ ମହାମାରୀ ପରଠାରୁ ବିକ୍ରିରେ ଆଉ ବୃଦ୍ଧି ହେଉନାହିଁ। ବାର୍ଷିକ ବିକ୍ରି ପ୍ରାୟ ସ୍ଥିର ହୋଇଯାଇଛି। ଏହା‌ ପଛର କାରଣ ସମ୍ପର୍କରେ ‌ସେ କହିଛନ୍ତି ଯେ ପୂର୍ବରୁ ସ୍ମାର୍ଟଫୋନ୍‌ର ଜୀବନକାନ ୨୪-୩୦ ମାସ ଥିଲା। 

Advertisment

ଏବେ ବିକ୍ରି ହେଉଥିବା ସ୍ମାର୍ଟଫୋନ୍‌ଗୁଡ଼ିକ ୪୨ ମାସ ପର୍ଯ୍ୟନ୍ତ ଚାଲୁଛି। ତେଣୁ ନିୟମିତ ବ୍ୟବଧାନରେ ଗ୍ରାହକଙ୍କୁ ଫୋନ୍ କିଣିବାକୁ ପଡ଼ୁନାହିଁ। ୨୦୨୩-୨୪ର ପ୍ରଥମ ତ୍ରୈମାସିକ ତୁଳନାରେ ୨୦୨୪-୨୫ର ସେହି ସମୟରେ ସ୍ମାର୍ଟଫୋନ୍ ବିକ୍ରି ୮ ପ୍ରତିଶତ କମିଛି ବୋଲି ସେ କହିଛନ୍ତି। କମ୍ପାନିର ନୂଆ ସ୍ମାର୍ଟଫୋନ୍‌ ସାର୍କ ୫ଜି ଉନ୍ମୋଚନ କରିବା ଅବସରରେ ସେ କହିଥିଲେ ଯେ ଏବେ ବଜାରରେ ବିକ୍ରି ହେଉଥିବା ସର୍ବାଧିକ ୨୫ ପ୍ରତିଶତ ସ୍ମାର୍ଟଫୋନ୍‌ର ଦାମ୍ ୧୦-୧୫ ହଜାର ଟଙ୍କା ମଧ୍ୟରେ ରହିଛି। ୧୯ ପ୍ରତିଶତ ସ୍ମାର୍ଟଫୋନ୍‌ର ଦାମ୍ ୧୦ ହଜାର ଟଙ୍କାରୁ କମ୍ ଥିବା ବେଳେ ୧୮-୧୦ ପ୍ରତିଶତର ଦାମ୍ ୧୫-୨୦ ହଜାର ଟଙ୍କା ରହିଛି। ଦେଶରେ ବିକ୍ରି ହେଉଥିବା ୮୦ ପ୍ରତିଶତ ଫୋନ୍‌ର ଦାମ୍ ୩୦ ହଜାର ଟଙ୍କାରୁ କମ୍ ଥିବା ସେ କହିଛନ୍ତି। ଓଡ଼ିଶା ବଜାର ସମ୍ପର୍କରେ ସେ କହିଥିଲେ ଯେ ଦେଶର ବିକ୍ରି ପ୍ରତି ଓଡ଼ିଶା ବଜାରର ଭାଗ ପ୍ରାୟ ୫ ପ୍ରତିଶତ ରହିଛି। ଏଠାରେ ବର୍ଷକୁ ୭୫ ଲକ୍ଷରୁ ଅଧିକ ସ୍ମାର୍ଟଫୋନ୍ ବିକ୍ରି ହେଉଛି। ଫିଚର୍‌ ଫୋନ୍ ପାଇଁ ଓଡ଼ିଶା ମଧ୍ୟ ଏକ ବହୁତ ଭଲ ବଜାର ବୋଲି ସେ କହିଛନ୍ତି।