ନୂଆଦିଲ୍ଲୀ: ଆୟକର ରିଟର୍ଣ୍ଣ ଦାଖଲ ବେଳେ ପୁରୁଣା ଢାଞ୍ଚାକୁ ଟିକସଦାତାମାନେ ଅଧିକ ପସନ୍ଦ କରୁଛନ୍ତି। ନୂଆ ଢାଞ୍ଚା ପ୍ରତି ସେମାନଙ୍କ ବିଶେଷ ଆଗ୍ରହ ନାହିଁ। କ୍ଲିୟର୍ ନାମକ ଏକ ସଂସ୍ଥା ପ୍ରସ୍ତୁତ କରିଥିବା ରିପୋର୍ଟ ଅନୁସାରେ ଦେଶର ୮୫% ଆୟକରଦାତା ପୁରୁଣା ଢାଞ୍ଚା ଅନୁସାରେ ରିଟର୍ଣ୍ଣ ଦାଖଲ କରିଥିବା ବେଳେ ମାତ୍ର ୧୫ ପ୍ରତିଶତ ଆୟକରଦାତା ନୂଆ ଢାଞ୍ଚାକୁ ଗ୍ରହଣ କରିଛନ୍ତି। ଆୟକର ରିଟର୍ଣ୍ଣ ଦାଖଲ କରିଥିବା ୭୦ ପ୍ରତିଶତ ଟିକସଦାତା ପୁରୁଷ ହୋଇଥିବା ବେଳେ ୩୦ ପ୍ରତିଶତ ହେଉଛନ୍ତି ମହିଳା। ୩୧ରୁ ୪୦ ବର୍ଷ ବୟସର ଟିକସଦାତାଙ୍କ ଭାଗ ସର୍ବାଧିକ ୫୦ ପ୍ରତିଶତ ଥିବା ବେଳେ ୩୦ ବର୍ଷ ବୟସ ମଧ୍ୟରେ ଥିବା ଟିକସଦାତାଙ୍କ ଭାଗ ୨୮ ପ୍ରତିଶତ ରହିଛି। ୪୧-୫୦ ବର୍ଷ ବୟସର ଟିକସଦାତା ୧୬ ପ୍ରତିଶତ ଥିବା ବେଳେ ୫୦ ବର୍ଷରୁ ଅଧିକ ବୟସ୍କ ଟିକସଦାତାଙ୍କ ଭାଗ ୭ ପ୍ରତିଶତ ରହିଛି।
ରିପୋର୍ଟରୁ ଜଣାପଡ଼ିଛି ଯେ ପୁରୁଣା ଢାଞ୍ଚାରେ ଟିକସ ଦାଖଲ କରିଥିବା ୫୫ ପ୍ରତିଶତ ଟିକସଦାତା ଧାରା ୮୦ସିରେ ମିଳୁଥିବା କାଟ ସୁବିଧାକୁ ପୂର୍ଣ୍ଣ ଉପଯୋଗ କରିଛନ୍ତି। ୧୭% ଟିକସଦାତା ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଲାଭ ହାସଲ କରିଥିବା ବେଳେ ୧୦ ପ୍ରତିଶତ ଟିକସଦାତା ଲକ୍ଷେରୁ ଦେଢ଼ ଲକ୍ଷ ଟଙ୍କା ମଧ୍ୟରେ କାଟ ସୁବିଧା ହାସଲ କରିଛନ୍ତି। ଆଶ୍ଚର୍ଯ୍ୟର ବିଷୟ ହେଉଛି ୧୦% ଟିକସଦାତା କୌଣସି କାଟର ସୁବିଧା ନେଇନାହାନ୍ତି। ଧାରା ୮୦ଡିରେ କାଟ ପାଇଁ ମେଡିକାଲ୍ ବୀମାକୁ ୫୦ ପ୍ରତିଶତ ଟିକସଦାତା ବ୍ୟବହାର କରିଥିବା ବେଳେ ୨୦ ପ୍ରତିଶତ ଏନ୍ପିଏସ୍ ପ୍ରତି ଯୋଗଦାନକୁ ପ୍ରଦର୍ଶନ କରିଛନ୍ତି।
୨୦୨୩ ବଜେଟ୍ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଥିଲେ ଯେ ଯେଉଁମାନେ କୌଣସି ବିକଳ୍ପ ଚୟନ କରିବେ ନାହିଁ ସେମାନେ ନୂଆ ଢାଞ୍ଚା ଗ୍ରହଣ କରିଛନ୍ତି ବୋଲି ଧରିନିଆଯିବ। ନୂଆ ଢାଞ୍ଚାକୁ ଲୋକପ୍ରିୟ କରିବା ଲାଗି ସେଥିରେ ବହୁ ପ୍ରୋତ୍ସାହନ ମଧ୍ୟ ଦିଆଯାଇଛି। ୨୦୨୦ ବଜେଟ୍ରେ ନୂଆ ଆୟକର ଢାଞ୍ଚା ଉପସ୍ଥାପନ କରାଯାଇଥିଲା। ସେଥିରେ ଟିକସ ସ୍ଲାବ୍କୁ ବଦଳାଇ ଦିଆଯାଇଥିବା ବେଳେ ଟିକସ ହାରରେ ରିହାତି ବି ଦିଆଯାଉଛି। କିନ୍ତୁ ସର୍ତ୍ତ ରହିଛି ଯେ ଯେଉଁମାନେ ନୂଆ ଢାଞ୍ଚାକୁ ଗ୍ରହଣ କରିବେ ସେମାନେ କୌଣସି ପ୍ରକାର ଛାଡ଼ ଓ ରିହାତି ଦାବି କରିପାରିବେ ନାହିଁ। ବୋଧହୁଏ ଏହି ସର୍ତ୍ତ ପାଇଁ ନୂଆ ଢାଞ୍ଚାକୁ ଅଧିକାଂଶ ଟିକସଦାତା ଗ୍ରହଣ କରୁନାହାନ୍ତି। ଚଳିତ ଆର୍ଥିକ ବର୍ଷର ବଜେଟ୍ରେ ଟିକସ ରିହାତିର ସର୍ବୋଚ୍ଚ ସୀମାକୁ ସରକାର ୭ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି। ପୁରୁଣା ଢାଞ୍ଚାରେ ଏହ ସୀମା ୫ ଲକ୍ଷ ଟଙ୍କା ରହିଛି।