କରୋନା ଭୂତାଣୁର ପ୍ରଭାବ, ଭିସା କଟକଣା ପାଇଁ ୮୫୦୦ କୋଟି କ୍ଷତି ହେବ

ନୂଆଦିଲ୍ଲୀ: କିଛି ନିର୍ଦିଷ୍ଟ ପ୍ରକାର ଭିସାକୁ ବାଦ ଦେଇ ଅନ୍ୟ ସବୁ ପ୍ରକାର ଭିସା ଉପରେ ଭାରତ ସରକାର କଟକଣା ଲଗାଇଛନ୍ତି। ଏହା ଦ୍ବାରା ଦେଶର ଗମନାଗମନ, ପର୍ଯ୍ୟଟନ ଓ ବିମାନ ଚଳାଚଳ ଶିଳ୍ପ ଗୁରୁତର ଭାବେ ପ୍ରଭାବିତ ହେବ। ଭିସା କଟକଣା ଯୋଗୁଁ ପ୍ରାୟ ୮୫୦୦ କୋଟି ଟଙ୍କାର କ୍ଷତି ହେବ ବୋଲି ଆକଳନ କରାଯାଇଛି। କରୋନା ଭୂତାଣୁର ପ୍ରଭାବ ଅଧିକ ଦିନ ପର୍ଯ୍ୟନ୍ତ ରହିବା ‌ଯୋଗୁଁ ଟୁର୍‌ ଅପରେଟରମାନଙ୍କ ଅଫିସ୍‌ ଖାଁ ଖାଁ ହୋଇପଡ଼ିଛି। ହୋଟେଲ୍‌ଗୁଡ଼ିକୁ ଲୋକ ଆସୁନାହାନ୍ତି। ବିମାନଗୁଡ଼ିକରେ ସିଟ୍‌ ଫାଙ୍କା ରହୁଛି। ଡବ୍ଲୁଏଚ୍‌ଓ ତରଫରୁ କରୋନାକୁ ବିଶ୍ବ ମହାମାରୀ ଘୋଷଣା କରାଯିବା ପରେ ହୋଟେଲ୍ ଓ ଟୁର୍‌ ଅପରେଟରମାନଙ୍କ ବିପୁଳ ପରିମାଣର ବୁକିଙ୍ଗ ବାତିଲ ହୋଇଛି। ବଡ଼ ହୋଟେଲ୍‌ଗୁଡ଼ିକରେ ୪୦%ରୁ ଅଧିକ କୋଠରି ଫାଙ୍କା ପଡ଼ିଥିବା ବେଳେ ସମ୍ମିଳନୀ କକ୍ଷ ବୁକିଙ୍ଗ୍‌କୁ ବାତିଲ କରାଯାଉଛି। ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ଯୋଗୁଁ ଭାରତ ପ୍ରତିବର୍ଷ ୨୨୦୦ କୋଟି ଟଙ୍କା ଆୟ କରିଥାଏ। ଭାରତୀୟ ଟୁର୍‌ ଅପରେଟର ସଂଘ ଓ ଆସୋଚାମ୍ ପକ୍ଷରୁ ଆକଳନ କରାଯାଇଛି ଯେ ସ୍ଥିତି ଖରାପ ଆଡ଼କୁ ଗତି କରୁଥିବାରୁ କଂପାନିଗୁଡ଼ିକ କର୍ମଚାରୀ ଛଟେଇ କରିବା ଓ ନୂତନ ନିଯୁକ୍ତିକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଭଳି ପଦକ୍ଷେପ ନେଇପାରନ୍ତି।

ସମ୍ବନ୍ଧିତ ଖବର