ଭୁବନେଶ୍ବର: ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍‌ଏମଇ)କୁ ଅର୍ଥନୀତିର ମେରୁଦଣ୍ଡ ଭାବେ ବିବେଚନ କରାଯାଉଛି। ରପ୍ତାନି ବଢ଼ାଇବାଠାରୁ ଆରମ୍ଭ କରି ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପର୍ଯ୍ୟନ୍ତ ଏହି ସଂସ୍ଥାଗୁଡ଼ିକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। ଉଦ୍ୟମ ପଞ୍ଜୀକରଣ ପୋର୍ଟାଲ୍‌ ତଥ୍ୟ ଅନୁସାରେ ଚଳିତ ବର୍ଷ ଅଗଷ୍ଟ ୧୪ ସୁଦ୍ଧା ରାଜ୍ୟରେ ୮,୭୧,୭୬୦ ଏମ୍ଏସ୍‌ଏମ୍ଇ ରହିଛି। ସେଥିରୁ ୮,୫୬,୧୯୩ଟି ଅଣୁ ଉଦ୍ୟୋଗ ହୋଇଥିବା ବେଳେ ୧୪,୪୮୬ଟି ମଧ୍ୟମ ଧରଣର ଏବଂ ୧୦୮୧ଟି ମଧ୍ୟମ ଉଦ୍ୟୋଗ ରହିଛି। ୨୦୨୦-୨୧ରେ ରାଜ୍ୟରେ ଥିବା ଏମ୍ଏସଏମ୍ଇ ସଂଖ୍ୟା ୪୯,୪୫୪ ଥିଲା। ସେହି ସଂସ୍ଥାଗୁଡ଼ିକରେ ସେତେବେଳେ ୬,୭୬,୩୬୪ ଜଣ ଲୋକଙ୍କୁ କର୍ମନିଯୁକ୍ତି ମିଳିଥିଲା। ୨୦୨୪ ସୁଦ୍ଧା ଏମ୍ଏସ୍‌ଏମ୍ଇ ସଂଖ୍ୟା ୪,୯୮,୩୯୯କୁ ବୃଦ୍ଧି ପାଇଥିଲା ଏବଂ ସେଥି‌ରେ କାମ କରୁଥିବା ଲୋକଙ୍କ ସଂଖ୍ୟା ୪୦ ଲକ୍ଷ ୬୩ ହଜାରରୁ ଅଧିକ ହୋଇପାରିଛି। କିଛି ବର୍ଷ ମଧ୍ୟରେ ଏହ କ୍ଷେତ୍ରରେ ଉଲ୍ଲେଖନୀୟ ବୃଦ୍ଧି ଘଟିଥିବା ବେଳେ ଉଭୟ କମ୍ପାନି ଓ କାର୍ଯ୍ୟ କରୁଥିବା ଲୋକଙ୍କ ସଂଖ୍ୟା ବଢ଼ିଛି।

Advertisment

ସରକାରୀ ତଥ୍ୟ ଅନୁଯାୟୀ, ରାଜ୍ୟର ସର୍ବାଧିକ ୯୭୭୧୭ଟି ଏମ୍ଏସ୍‌ଏମ୍ଇ ଖୋର୍ଦ୍ଧା ଜିଲ୍ଲାରେ ଥିବା ବେଳେ ଏହା ପଛକୁ କଟକରେ ୭୪୦୪୫, ଗଞ୍ଜାମରେ ୬୬୨୩୫, ବାଲେଶ୍ବରରେ ୫୨୨୪୯, ପୁରୀରେ ୪୮୩୦୫, ଯାଜପୁରରେ ୩୬୯୦୭, କେନ୍ଦୁଝରରେ ୩୪୬୯୩, ମୟୂରଭଞ୍ଜରେ ୩୩୫୯୩ ଏମ୍ଏସ୍‌ଏମ୍ଇ ରହିଛି। ଦେବଗଡ଼ରେ ସବୁଠୁ କମ୍ ୫୮୯୧ଟି ଏମ୍ଏସ୍‌ଏମ୍ଇ ରହିଛି। ସେହିଭଳି,  କମ୍ ଏମ୍ଏସ୍‌ଏମ୍ଇ ଥିବା ଅନ୍ୟ ଜିଲ୍ଲାଗୁଡ଼ିକ ହେଉଛି ବୌଦ୍ଧ (୬୨୦୦), ଗଜପତି (୭୪୦୫), ମାଲକାନଗିରି (୯୪୨୫), ନୂଆପଡ଼ା (୯୪୫୯), ସୋନପୁର (୧୦,୫୨୭), କନ୍ଧମାଳ (୧୦୫୫୪), ନବରଙ୍ଗପୁର (୧୧୧୪୮) ଓ ରାୟଗଡ଼ା (୧୩,୨୫୪)।