ନୂଆଦିଲ୍ଲୀ: ବଜାରରୁ ୮୮,୦୩୨ କୋଟି ଟଙ୍କାର ୫୦୦ ଟଙ୍କିଆ ନୋଟ୍ ଉଭାନ ହୋଇଯାଇଥିବା ନେଇ ଯେଉଁ ଖବର ପ୍ରକାଶ ପାଇଥିଲା ତାହାକୁ ରିଜର୍ଭ ବ୍ୟାଙ୍କ ଖଣ୍ଡନ କରିଛି। ବ୍ୟାଙ୍କ ନୋଟ୍ ଛପା କାରଖାନାରୁ ସୂଚନା ଅଧିକାର ଆଇନ ବଳରେ ସଂଗ୍ରହ କରାଯାଇଥିବା ତଥ୍ୟ ଆଧାରରେ ସେହି ରିପୋର୍ଟ ତିଆରି କରାଯାଇଥିଲା। ସବୁ ଟଙ୍କା ଛାପାଖାନାରୁ ଆସୁଥିବା ସବୁ ନୋଟ୍‌ର ହିସାବ ରଖଯାଏ ବୋଲି ରିଜର୍ଭ ବ୍ୟାଙ୍କ କହିଛି। ଖବର ଉପରେ ରିଜର୍ଭ ବ୍ୟାଙ୍କ ସ୍ପଷ୍ଟୀକରଣ ଦେଇ କହିଛି ଯେ ଏହା ଭୁଲ ଖବର। ପ୍ରକାଶ ପାଇଥିବା ଖବରରେ ଦାବି କରାଯାଇଥିଲା ଯେ ନାସିକର ଟଙ୍କା ଛପା କାରଖାନାରେ ଛପା ହୋଇଥିବା ନୂଆ ଡିଜାଇନ୍‌ର ୩୭୫.୪୫୦ ନିୟୁତ ଖଣ୍ଡ ୫୦୦ ଟଙ୍କିଆ ଛପା ହୋଇଥିବା ବେଳେ ରିଜର୍ଭ ବ୍ୟାଙ୍କ ଖାତାରେ ମାତ୍ର ୩୪୫ ନିୟୁତ ଖଣ୍ଡ ୫୦୦ ଟଙ୍କିଆର ହିସାବ ରହିଛି।

Advertisment

ଏହ‌ି ନୋଟ୍‌ଗୁଡ଼ିକୁ ରିଜର୍ଭ ବ୍ୟାଙ୍କ ୨୦୧୫ ଏପ୍ରିଲ୍‌ରୁ ୨୦୧୬ ଡିସେମ୍ବର ଭିତରେ ଗ୍ରହଣ କରିଥିଲା। ଲୋକମାନଙ୍କୁ ଆଶ୍ବସ୍ତ କରିବା ଲାଗି ରିଜର୍ଭ ବ୍ୟାଙ୍କ କହିଛି ଯେ ନୋଟ୍ ଛପା ଓ ତାହା ରିଜର୍ଭ ବ୍ୟାଙ୍କରେ ପହଞ୍ଚିବା ପାଇଁ ସ୍ବତନ୍ତ୍ର ପ୍ରୋଟୋକଲ୍ ରହିଛି। ଉତ୍ପାଦନ, ସଂରକ୍ଷଣ ଓ ବିତରଣ ଆଦିକୁ ନିରୀକ୍ଷଣ କରିବା ସେହି ପ୍ରୋଟୋକଲ୍‌ର ଅଂଶ। ତେଣୁ ଏହି ଖବରରେ ଥିବା ତଥ୍ୟ ଉପରେ ବିଶ୍ବାସ ନକରି ବିଭିନ୍ନ ପ୍ରସଙ୍ଗରେ ଆମେ ନିୟମିତ ବ୍ୟବଧାନରେ ପ୍ରକାଶ କରୁଥିବା ତଥ୍ୟ ଉପରେ ବିଶ୍ବାସ କରିବାକୁ ରିଜର୍ଭ ବ୍ୟାଙ୍କ କହିଛି।