ନୂଆଦିଲ୍ଲୀ: ସହରାଞ୍ଚଳରେ ରୋଜଗାର କରୁଥିବା ମହିଳାମାନଙ୍କ ସଂଖ୍ୟା ବର୍ଷକ ଭିତରେ ୧୦ ପ୍ରତିଶତ ବଢ଼ିବା ସତ୍ତ୍ବେ ଏବେବି ଆହୁରି ୮.୯ କୋଟି ମହିଳା ଶ୍ରମଶକ୍ତି ବାହାରେ ରହିଛନ୍ତି। ଗ୍ରେଟ୍ ଲେକ୍ସ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟର ଏକ ରିପୋର୍ଟରେ ଏହା ଦାବି କରାଯାଇଛି। ଶିକ୍ଷିତ ମହିଳାଙ୍କ ଦକ୍ଷତାକୁ କମ୍ ଉପଯୋଗ କରାଯାଉଥିବା ଭଳି ଆହ୍ବାନ ଉପରେ ରିପୋର୍ଟରେ ଆଲୋକପାତ କରାଯାଇଛି। ଦେଶରେ ପ୍ରାୟ ୨ କୋଟି ଏଭଳି ଶିକ୍ଷିତ ମହିଳା ସହରାଞ୍ଚଳରେ ଅଛନ୍ତି, ଯେଉଁମାନେ ନିଜ ପସନ୍ଦ ହେଉ କିମ୍ବା ସାମାଜିକ କଟକଣା ଲାଗି ନିଜକୁ ଶ୍ରମଶକ୍ତିଠାରୁ ଦୂରେଇ ରଖିଛନ୍ତି। ତେଣୁ ସେମାନଙ୍କ ଶିକ୍ଷାରେ ହୋଇଥିବା ନିବେଶ ଅପଚୟ ହୋଇଥିବା ରିପୋର୍ଟରେ କୁହାଯାଇଛି। ଘରେ ଲୋକଙ୍କ ଯତ୍ନ ନେବାର ଦାୟିତ୍ବ, କର୍ମକ୍ଷେତ୍ରରେ ନମନୀୟତାର ଅଭାବ ଏବଂ ଯାତାୟାତରେ ସମସ୍ୟା ଭଳି ଆହ୍ବାନ ପାଇଁ ଉଚ୍ଚ ଶିକ୍ଷିତ ମହିଳାମାନେ ଅର୍ଥନୀତିରେ ନିଜକୁ ପୂର୍ଣ୍ଣ ମାତ୍ରାରେ ସାମିଲ କରିପାରୁନାହାନ୍ତି। ସେଥିପାଇଁ ୨୦-୨୪ ବର୍ଷ ବୟସ ବର୍ଗରେ ସହରାଞ୍ଚଳରେ ମହିଳାଙ୍କ ବେକାରି ହାର ୧୦ ପ୍ରତିଶତ ଥିବା ବେଳେ ପୁରୁଷଙ୍କ କ୍ଷେତ୍ରରେ ତାହା ୭.୫ ପ୍ରତିଶତ ରହିଛି।
ଦେଶରେ ଏଭଳି ୬୨ ପ୍ରତିଶତ ଶିକ୍ଷିତ ଓ ଧନୀ ପରିବାର ରହିଛି, ଯେଉଁଠାରେ ମହିଳାମାନେ ଉଚ୍ଚଶିକ୍ଷିତା ହୋଇଥିଲେ ମଧ୍ୟ ପରିବାରର ପୁରୁଷ ସଦସ୍ୟଙ୍କଠାରୁ କମ୍ ରୋଜଗାର କରୁଛନ୍ତି। ଗୁଣାତ୍ମକ ନିଯୁକ୍ତି ସୃଷ୍ଟି ନ ହେଲେ ସ୍ଥିତି ଆହୁରି ବିଗିଡ଼ିବାର ଆଶଙ୍କା ରହିଛି। ଯଦି ପୁରୁଷଙ୍କ ତୁଳନାରେ ମହିଳା ଚାକିରିଆଙ୍କ ସଂଖ୍ୟା ବଢ଼ିବ, ତାହା ସମାଜରେ ଏକ ଭିନ୍ନ ପରିସ୍ଥିତି ସୃଷ୍ଟି କରିବ। କାରଣ ସମାଜର ନିୟମ ଅନୁସାରେ ପୁରୁଷମାନେ ରୋଜଗାର କରିବା ଏକପ୍ରକାର ବାଧ୍ୟ। ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ଚାକିରି କ୍ଷେତ୍ରରେ ଥିବା ମହିଳାମାନେ ଘରେ ଥିବା ମହିଳାଙ୍କ ତୁଳନାରେ ଅଧିକ ଦାମ୍ପତ୍ୟ ନିର୍ଯ୍ୟାତନାର ଶିକାର ହେଉଛନ୍ତି। ପ୍ରାୟ ୪୧ ପ୍ରତିଶତ ଘରେ ପତ୍ନୀ ନିଜ ପ୍ରାଥମିକ ଦାୟିତ୍ବ ନିର୍ବାହ କରୁଥିବା ବେଳେ ମାତ୍ର ୨ ପ୍ରତିଶତ ସ୍ବାମୀ ସେହି କାମ କରୁଛନ୍ତି।