ନୂଆଦିଲ୍ଲୀ: ପ୍ରଯୁକ୍ତି ଦୁନିଆରେ ଛଟେଇର ଧାରା ୨୦୨୪ରେ ମଧ୍ୟ ଅବ୍ୟାହତ ରହିଛି। ଚଳିତ ବର୍ଷ ମେ’ ସୁଦ୍ଧା ସାରା ବିଶ୍ବରେ ୮୯,୦୦୦ କର୍ମଚାରୀ ଛଟେଇର ଶିକାର ହୋଇଛନ୍ତି। ଗୁଗ୍‌ଲ, ମାଇକ୍ରୋସଫ୍ଟ, ଟିକ୍‌ଟକ୍‌ ଓ ଟେସ୍‌ଲା ଭଳି କମ୍ପାନି ଛଟେଇ ଘୋଷଣା କରିଛନ୍ତି। ମେ’ ମାସରେ ୩୯ଟି କମ୍ପାନି ୯,୭୪୨ କର୍ମଚାରୀଙ୍କୁ ଛଟେଇ କରିଛନ୍ତି। ଅବଶ୍ୟ ଏପ୍ରିଲ୍ ତୁଳନାରେ ମେ’ରେ ଛଟେଇ ହ୍ରାସ ପାଇଛି। ଏପ୍ରିଲ୍‌ରେ ୫୦ଟି କମ୍ପାନି ୨୧,୪୭୩ କର୍ମଚାରୀଙ୍କୁ ଛଟେଇ କରିଥିଲେ।

Advertisment

ଚଳିତ ବର୍ଷ ଗୁଗ୍‌ଲ ଏହାର କୋର୍‌ ଟିମ୍‌ର ୨୦୦ କର୍ମଚାରୀଙ୍କୁ ବିଦା କରିଛି। ନିଜର ୬ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିବ ବୋଲି କମ୍ପାନି ପୂର୍ବବର୍ଷ ଘୋଷଣା କରିଥିଲା। ତାହାର ଅଂଶସ୍ବରୂପ ଏହି ପଦକ୍ଷେପ ନିଆଯାଇଛି। ଇନ୍‌ଡିଡ୍‌ ପକ୍ଷରୁ ୧୧୦୦ କର୍ମଚାରୀଙ୍କୁ ଛଟେଇ କରାଯାଇଛି। ଏହା ଦ୍ବାରା ଆମେରିକାରେ କମ୍ପାନି ପାଇଁ କାମ କରୁଥିବା କର୍ମଚାରୀମାନେ ପ୍ରଭାବିତ ହୋଇଛନ୍ତି। ଗବେଷଣା ଓ ବିକାଶ ବିଭାଗ‌ର କର୍ମଚାରୀମାନଙ୍କୁ ପ୍ରଭାବିତ ହେବାକୁ ପଡ଼ିଛି। ସେହିପରି, ତୋସିବା ପକ୍ଷରୁ ୪୦୦୦ କର୍ମଚାରୀଙ୍କୁ ଛଟେଇ କରାଯାଇଛି। ଟିକ୍‌ଟକ୍ ପକ୍ଷରୁ ସାରା ବିଶ୍ବରେ ଏହାର ପରିଚାଳନା ଓ ମାର୍କେଟିଂ ବିଭାଗରେ କାର୍ଯ୍ୟ କରୁଥିବା ୧୦୦୦ କର୍ମଚାରୀଙ୍କୁ ଛଟେଇ କରାଯାଇଛି।

ଆମେରିକୀୟ କମ୍ପାନି ୱାଲ୍‌ମାର୍ଟ ଏହାର କିଛି କର୍ମଚାରୀଙ୍କୁ ଛଟେଇ କରିବା ଏବଂ ଅନ୍ୟ କିଛି ଲୋକଙ୍କୁ ଅନ୍ୟତ୍ର ପଠାଇବା ନେଇ ଯୋଜନା ପ୍ରସ୍ତୁତ କରିଛି। ମାଇକ୍ରୋସଫ୍ଟ ପକ୍ଷରୁ ଏହାର ଗେମିଂ ବିଭାଗରେ ଛଟେଇ କରାଯାଇଛି। ବିଶ୍ବର ଏକ ନମ୍ବର ଧନୀ ଏଲନ୍ ମସ୍କଙ୍କ ଅଧୀନରେ ପରିଚାଳିତ ଟେସ୍‌ଲା ମଧ୍ୟ ଆମେରିକାର ବିଭିନ୍ନ ସ୍ଥାନରେ କାମ କରୁଥିବା ୬୭୦୦ କର୍ମଚାରୀଙ୍କୁ ଛଟେଇ କରିଛି। ଭାରତରେ ଓଲା ଇଲେକ୍ଟ୍ରିକ୍ ଆଗାମୀ ଦିନରେ ୫୦୦ କର୍ମଚାରୀଙ୍କୁ ଛଟେଇ କରିବା ଉପରେ ବିଚାର କରୁଛି। ଭବିଷ ଅଗ୍ରୱାଲ୍‌ଙ୍କ ଅଧୀନରେ ପରିଚାଳିତ ଏହି କମ୍ପାନି ଲାଭ ପଥକୁ ଆସିବା ଲାଗି ଚାହୁଛି। ସେଥିପାଇଁ ଏହା ଖର୍ଚ୍ଚକାଟ ଉପରେ ଗୁରୁତ୍ବ ଦେଉଛି। ନେତୃତ୍ବ ଟିମ୍‌ରେ କମ୍ପାନି ପରିବର୍ତ୍ତନ ଆଣିବାକୁ ଯୋଜନା ରଖିଛି। ୨୦୨୩ ଅକ୍ଟୋବରରେ ଓଲା ଇଲେକ୍ଟ୍ରିକ୍‌ର କର୍ମଚାରୀ ସଂଖ୍ୟା ୩,୭୩୩ ଥିଲା। ଚଳିତ ବର୍ଷ କମ୍ପାନି ଓଲା କ୍ୟାବ୍‌ର ୨୦୦ କର୍ମଚାରୀଙ୍କୁ ଛଟେଇ କରିଥିଲା।