ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କର୍ମଚାରୀମାନେ ସପ୍ତମ ବେତନ ଆୟୋଗର ସୁପାରିସ ଅନୁଯାୟୀ ୨୦୧୬ ଜାନୁଆରି ପହିଲାରୁ ଦରମା ପାଉଛନ୍ତି। ତେଣୁ ଅଷ୍ଟମ ବେତନ କମିସନ ଗଠନ ସହିତ ଏହାର ସୁପାରିସକୁ ୨୦୨୬ ଜାନୁଆରି ପହିଲାରୁ ମୋଦୀ ସରକାର କାର୍ଯ୍ୟକାରୀ କରିବେ ବୋଲି ଆଶା କରାଯାଉଛି। ଯଦିଓ ସରକାରୀ ଭାବେ ଏ ନେଇ କିଛି କୁହାଯାଇନାହିଁ ତଥାପି ଗତ ବର୍ଷେ ହେଲା କର୍ମଚାରୀ ସଂଘଗୁଡ଼ିକ ସରକାରଙ୍କ ନିକଟରେ ଏଥିପାଇଁ ଦାବି କରି ଆସୁଛନ୍ତି।
ସପ୍ତମ ବେତନ କମିସନ ଲାଗୁ ହେବା ପୂର୍ବରୁ କର୍ମଚାରୀ ସଂଘଗୁଡ଼ିକ ୩.୬୮ ଫିଟ୍ମେଣ୍ଟ୍ ଫ୍ୟାକ୍ଟର ଦାବି କରିଥିଲେ। କିନ୍ତୁ ସରକାର ଫିଟ୍ମେଣ୍ଟ ଫ୍ୟାକ୍ଟରକୁ ୨.୫୭ରେ ଧାର୍ଯ୍ୟ କରିଥିଲେ। ଉଲ୍ଲେଖଯୋଗ୍ୟ, ଫିଟ୍ମେଣ୍ଟ୍ ଫ୍ୟାକ୍ଟର ହେଉଛି ସେହି ସଂଖ୍ୟା ଯାହାକୁ ଉପଯୋଗ କରାଯାଇ ନୂଆ ଦରମା ଓ ପେନସନ ନିର୍ଦ୍ଧାରଣ କରାଯାଇଥାଏ। ଏଥିଯୋଗୁ ସରକାରୀ କର୍ମଚାରୀମାନଙ୍କର ସର୍ବନିମ୍ନ ଦରମା ସପ୍ତମ ବେତନ ଆୟୋଗ ସୁପାରିସ ଲାଗୁ ସମୟରେ ୧୮ ହଜାର ଟଙ୍କା ହୋଇଥିଲା। ଷଷ୍ଠ ବେତନ କମିସନ ଅନୁଯାୟୀ ସରକାରୀ କର୍ମଚାରୀମାନଙ୍କର ସର୍ବନିମ୍ନ ଦରମା ୭ ହଜାର ଟଙ୍କା ରହିଥିଲା। ସେହିଭଳି ସପ୍ତମ ବେତନ ଆୟୋଗର ସୁପାରିସ କାର୍ଯ୍ୟକାରୀ ହେବାଦ୍ବାରା ସର୍ବନିମ୍ନ ପେନସନ ରାଶି ୩୫୦୦ ଟଙ୍କା ପରିବର୍ତ୍ତେ ୯ ହଜାର ଟଙ୍କାକୁ ବୃଦ୍ଧି ପାଇଥିଲା। ଅନ୍ୟପକ୍ଷରେ ସର୍ବାଧିକ ବେତନ ୨ ଲକ୍ଷ ୫୦ ହଜାର ଓ ସର୍ବାଧିକ ପେନସନ ୧ ଲକ୍ଷ ୨୫ ହଜାରରେ ସ୍ଥିର ହୋଇଥିଲା।
କିନ୍ତୁ ଏକ ରିପୋର୍ଟ ଅନୁଯାୟୀ ଅଷ୍ଟମ ବେତନ ଆୟୋଗ କାର୍ଯ୍ୟକାରୀ ସମୟରେ ଫିଟ୍ମେଣ୍ଟ୍ ଫ୍ୟାକ୍ଟର ୧.୯୨ ରହିପାରେ। ବର୍ତ୍ତମାନର ସର୍ବନିମ୍ନ ବେତନ ୧୮ ହଜାର ଟଙ୍କା ଥିବାରୁ ନୂଆ ବେତନ ଆୟୋଗ ରିପୋର୍ଟ ଆସିଲେ ସର୍ବନିମ୍ନ ବେତନ ୩୪୫୬୦ ଟଙ୍କା ହେବ। ସେହିଭଳି ସର୍ବନିମ୍ନ ପେନସନ ୧୭,୨୮୦ ଟଙ୍କା ହେବ। ତେଣୁ ଯଦି ମୋଦୀ ସରକାର ନୂଆ ବେତନ ଆୟୋଗ ଗଠନ କରି କର୍ମଚାରୀମାନଙ୍କ ବେତନରେ ସଂଶୋଧନ ଆଣନ୍ତି ତାହେଲେ ସେମାନଙ୍କ ଦରମା ବଢ଼ିଯିବ। ସେହିଭଳି ପେନସନଭୋଗୀମାନେ ମଧ୍ୟ ଉପକୃତ ହେବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/money-f.jpg)