ମାର୍ଚ୍ଚରେ ୯ ଖଣି ନିଲାମ ହେବ, ଆଜି ଖୋଲିବ ୨୦ଟି ଖଣିର ବିଡ୍‌

ରାଜ୍ୟ‌େର ରତ୍ନପଥର ସନ୍ଧାନ ପାଇଁ ବ୍ୟାପକ ସର୍ଭେ ହେବ

ଭୁବନେଶ୍ବର: ଗତ ଡି‌ସେମ୍ବରରେ ଯେଉଁ ୨୦ଟି ଖଣି ପାଇଁ ନିଲାମ ଡାକରା ଦିଆଯାଇଥିଲା ତାହାର ବିଡ୍‌ ଆସନ୍ତାକାଲି ଖୋଲାହେବ। ରାଜ୍ୟ ଖଣି ନିର୍ଦେଶକ ଦୀପକ ମହାନ୍ତି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଯେଉଁ ୨୯ଟି ଖଣିର ନିଲାମ ବାତିଲ ହୋଇଥିଲା ‌‌ସେଥି ମଧ୍ୟରୁ ୨୦ଟି ଖଣି ପାଇଁ ଡି‌େସମ୍ବରରେ ବିଡ୍‌ ଆହ୍ବାନ କରାଯାଇଥିଲା। ବିଡ୍‌ ଦାଖଲର ସମୟ ସୀମା ଆଜି ‌େଶଷ ହୋଇଛି। ଆସନ୍ତାକାଲି ବିଡ୍‌ଗୁଡ଼ିକୁ ଖୋଲିବା ପରେ କେତେ ସଂସ୍ଥା ଏହି ସବୁ ଖଣି ପାଇଁ ଆବେଦନ କରିଛନ୍ତି ତାହା ଜଣାପଡ଼ିବ। ଏହା ପରେ ବୈଷୟିକ ବିଡ୍‌ଗୁଡ଼ିକୁ ଅନୁଧ୍ୟାନ କରିବା ପରେ ଖଣିଗୁଡ଼ିକୁ ଆବଣ୍ଟନ କରାଯିବ। ବଳକା ଯେଉଁ ୯ଟି ଖଣି ରହିଯାଇଛି ତାହାକୁ ନିଲାମ କରିବା ଲାଗି ‌ମାର୍ଚ୍ଚ ମାସରେ ବିଡ୍‌ ଆହ୍ବାନ କରାଯିବ। ସେଗୁଡ଼ିକର ନିଲାମ ପ୍ରକ୍ରିୟା ମଧ୍ୟ ଏପ୍ରିଲ୍‌ ସୁଦ୍ଧା ଶେଷ ହୋଇଯିବ ବୋଲି ସେ କହିଛନ୍ତି। ମାର୍ଚ୍ଚରେ ନିଲାମ ହେବାକୁ ଥିବା ୯ଟି ଖଣିର କୌଣସି ଲିଜ୍ ନାହିଁ। ସେଗୁଡ଼ିକ ହେଉଛି ଭର୍ଜିନ୍ ଖଣି ଯେଉଁଥିରେ ଉଭୟ ଲୁହା ପଥର ଏବଂ ମାଙ୍ଗାନିଜ୍ ଗଚ୍ଛିତ ରହିଛି। ପୂର୍ବରୁ ରାଜ୍ୟ ସରକାର ଦୁଇଟି କ୍ରୋମାଇଟ ଖଣି ନିଲାମ କରିସାରିଥିବା ବେଳେ କର୍ଲାପାଟ ବକ୍ସାଇଟ୍‌ ଖଣିକୁ ମଧ୍ୟ ନିଲାମ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏହା ବ୍ୟତୀତ ନିଲାମ ଲାଗି ଏକ ଗ୍ରାଫାଇଟ୍‌ ଖଣିକୁ ମଧ୍ୟ ପ୍ରସ୍ତୁତ କରାଯାଉଥିବା ଜଣାପଡ଼ିଛି।

ଆଜି ‌ମେ’ ‌ଫେୟାର ହୋଟେଲ୍‌ରେ ରାଜ୍ୟ ଖଣି ଓ ଇସ୍ପାତ ବିଭାଗ ଆନୁକୂଲ୍ୟରେ ଓଡ଼ିଶା ଖଣିଜ ଉତ୍ତାଳନ ନିଗମ ଲିମିଟେଡ୍‌ (ଓଏମ୍‌ଇସିଏଲ୍‌) ପକ୍ଷରୁ ରତ୍ନପଥର ଅନୁସନ୍ଧାନ ଓ ଉତ୍ତୋଳନ ଶୀର୍ଷକ ଉପରେ ଆୟୋଜନ କରାଯାଇଥିବା କର୍ମଶାଳାରେ ଶ୍ରୀ ମହାନ୍ତି ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ସେ ସୂଚନା ଦେଇଛନ୍ତି ଯେ, ରାଜ୍ୟର ବଲାଙ୍ଗୀର, କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର, ସମ୍ବଲପୁର ଏବଂ ସୁନ୍ଦରଗଡ଼ ଭଳି ଜିଲ୍ଲାରେ ରତ୍ନପଥର ଗଚ୍ଛିତ ରହିଥିବା ଅନୁମାନ କରାଯାଉଛି। କିଛି ସ୍ଥାନରେ ଡାଇରେକ୍ଟୋରେଟ୍ ଅଫ୍ ଜିଓଲୋଜି ପକ୍ଷରୁ ସର୍ଭେ କାର୍ଯ୍ୟ ଜାରି ରହିଛି। ଆଗାମୀ ଦିନରେ ଓଏମ୍‌ଇସିଏଲ୍‌ ଜରିଆରେ ଏହି କାର୍ଯ୍ୟକୁ ବ୍ୟାପକ କରାଯିବ। ଏହା ପରେ ସେଗୁଡ଼ିକର ଅନୁସନ୍ଧାନ କରାଯିବ। ଏମ୍‌ଏମ୍‌ଡିଆର ନିୟମ ୨୦୧୫ ଅନୁସାରେ କେବଳ ଅନୁସନ୍ଧାନ କରାଯାଇଥିବା ଖଣିଗୁଡ଼ିକ ନିଲାମ ହୋଇପାରିବ ବୋଲି ସର୍ତ୍ତ ରହିଥିବାରୁ ରତ୍ନପଥର ଖଣିଗୁଡ଼ିକୁ ଅନୁସନ୍ଧାନ ନକଲେ ସେଗୁଡ଼ିକୁ ନିଲାମ କରାଯାଇପାରିବ ନାହିଁ ବୋଲି ସେ କହିଛନ୍ତି। ରାଜ୍ୟରେ ଏବେ ବଲାଙ୍ଗୀର ଓ କଳାହାଣ୍ଡିରେ ଦୁଇଟି ରତ୍ନପଥର ଖଣି ରହିଛି। ତାହା ହେଉଛି ମାଣିକେଶ୍ବରୀ ଜେମ୍‌ସ ଓ ମେହେର ଜେମସ୍‌। ଏହି ଖଣିଗୁଡ଼ିକରେ ରୁବି ବର୍ଗ ରତ୍ନପଥର ରହିଛି। ରୁବି ଓ ଏମରାଲଡ୍‌ (ପନ୍ନା) ଭଳି ରତ୍ନପଥରର ସମ୍ଭାବନାକୁ ନେଇ ଅନୁସନ୍ଧାନ କରାଯିବ। ଏହି ଅବସରରେ ଖଣି ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଆର୍‌ କେ ଶର୍ମା, ଓଏମ୍‌ଇସିଏଲ୍‌ର ଏମ୍‌ଡି ଆର୍‌ ଭିନ୍ନିଲ କ୍ରିଷ୍ଣା, ଏମ୍‌ଇସିଏଲ୍‌ର ଏମ୍‌ଡି ରଣଜିତ ରଥ, ଓଏମ୍‌ଇସିଏଲ୍‌ର ନିର୍ଦେଶକ ରାମନାଥ ପ୍ରହରାଜ ଓ ମହାପ୍ରବନ୍ଧକ ଶୈଳେନ୍ଦ୍ର ସିହ୍ନା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର