କଟକ: ୨୦୧୯ରେ କେନ୍ଦ୍ରୀୟ ଜିଏସ୍‌ଟି ଅଭିବୃଦ୍ଧି ହାର ୨୮.୩୩ ପ୍ରତିଶତକୁ ବୃଦ୍ଧି ପାଇଛି। ୨୦୧୮ରେ ୩୭୧୫.୩୩ କୋଟି ଟଙ୍କା କେନ୍ଦ୍ରୀୟ ଜିଏସ୍‌ଟି ଆୟ ହୋଇଥିଲାବେଳେ ୨୦୧୯ ଡିସେମ୍ବର ସୁଦ୍ଧା ୪୭୬୭.୯୪ କୋଟି ଟଙ୍କା ଆୟ ହୋଇଛି। ସେହିପରି ରାଜ୍ୟ ଜିଏସ୍‌ଟି ଅଭିବୃଦ୍ଧି ହାର ୨୮.୮୯ ପ୍ରତିଶତ ହୋଇଛି। ୨୦୧୮ରେ ୪୯୫୫.୯୦ କୋଟି ଟଙ୍କା ଆୟ ହୋଇଥିଲା। ତେବେ ୨୦୧୯ ଡିସେମ୍ବର ସୁଦ୍ଧା ୬୩୮୭.୪୭ କୋଟି ଟଙ୍କା ରାଜ୍ୟ ଜିଏସ୍‌ଟି ଆୟ ହୋଇଛି। ୨୦୧୯ ଅପ୍ରେଲ୍‌ରୁ ଡିସେମ୍ବର ୯ ମାସ ମଧ୍ୟରେ ମୋଟ ଜିଏସ୍‌ଟିର ବୃଦ୍ଧିହାର ୧୦.୮୯ ପ୍ରତିଶତ ରହିଛି। ଅନ୍ୟପକ୍ଷରେ ସମନ୍ବିତ ଜିଏସ୍‌ଟି ଓ ଅତିରିକ୍ତ କର (ସେସ୍‌) କ୍ଷେତ୍ରରେ ଅଭିବୃଦ୍ଧି ହାର ନକରାତ୍ମକ ରହିଥିବାରୁ ସାମଗ୍ରିକ ଅଭିବୃଦ୍ଧି ହାର କମ୍‌ ରହିଛି। କୋଇଲା ବିକ୍ରି ଓ ଇସ୍ପାତ ଶିଳ୍ପରୁ ଯଥାକ୍ରମେ ପୂର୍ବରୁ ଭଲ ଅତିରିକ୍ତ କର ଓ ସମନ୍ବିତ କର ଆୟ ହେଉଥିଲାବେଳେ ଏଥର ତାହା କମ୍‌ ରହିଛି। ମାନ୍ଦାବସ୍ଥା ଯୋଗୁଁ ଏଭଳି ହୋଇଥିବା ଅନୁମାନ କରାଯାଉଛି। ତଥାପି ରାଜ୍ୟ ଜିଏସ୍‌ଟି ଓ କେନ୍ଦ୍ରୀୟ ଜିଏସ୍‌ଟି ଭାବରେ ଓଡ଼ିଶାର ଅଭିବୃଦ୍ଧି ହାର ସୁସ୍ଥ ରହିଥିବା ପରିଲକ୍ଷିତ ହୋଇଛି। ସେହିଭଳି ରିଟର୍ଣ୍ଣ ଦାଖଲ ପ୍ରକ୍ରିୟାରେ ଉଲ୍ଲେଖନୀୟ ଅଗ୍ରଗତି ଘଟିଛି। ରାଜ୍ୟକୁ ଦିଆଯାଇଥିବା ଟିକସଦାତାଙ୍କ ମଧ୍ୟରୁ ୮୪ ପ୍ରତିଶତ ଲୋକେ ସେମାନଙ୍କ ରିଟର୍ଣ୍ଣ ଦାଖଲ କରିସାରିଛନ୍ତି। ଜିଏସ୍‌ଟି ଆଇନ୍‌ ଅଧୀନରେ ଟିକସ ପ୍ରଶାସନକୁ ଅଧିକ ବ୍ୟବସ୍ଥିତ କରିବା ପାଇଁ ଜାଲ୍‌ କିମ୍ବା ଖାମଖିଆଲ ପଞ୍ଜୀକୃତ ବ୍ୟବସାୟୀଙ୍କ ପଞ୍ଜୀକରଣକୁ କ୍ଷେତ୍ର ଅନୁସନ୍ଧାନ କରିବା ପରେ ବାତିଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପୁଣି ଜିଏସ୍‌ଟି ପଞ୍ଜୀକୃତ କରିନଥିବା ଟିକସଦାତାଙ୍କ ବାବଦରେ ସର୍ଭେ କରାଯିବାକୁ ସ୍ଥିର ହୋଇଛି। ରିଟର୍ଣ୍ଣ ଦାଖଲ ଖିଲାପକାରୀଙ୍କ ବିରୋଧରେ ୨୫୯୨୮ଟି ନୋଟିସ୍‌ ଓ ଭୁଲ୍‌ ରିଟର୍ଣ୍ଣ ଦାଖଲକାରୀଙ୍କ ବିରୋଧରେ ମୋଟ ୬୦୯୧ ନୋଟିସ୍‌ ଜାରି କରାଯାଇଥିବା ବାଣିଜ୍ୟକର ଭବନ ପକ୍ଷରୁ ଜାରି ହୋଇଥିବା ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।

Advertisment

ତଥ୍ୟ ବିଶ୍ଳେଷଣ ବ୍ୟବସ୍ଥା ମାଧ୍ୟମରେ ବାଣିଜ୍ୟ କର ଏବ˚ ଜିଏସ୍‌ଟି କମିସନରେଟ ତରଫରୁ ଜାଲ ବିଲ୍‌ ପ୍ରଦାନକାରୀଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଜାଲ୍‌ ଇନ୍‌ପୁଟ ଟ୍ୟାକ୍ସ କ୍ରେଡିଟ୍‌ ନେବା ଉଦ୍ଦେଶ୍ୟରେ ନକଲି ବ୍ୟବସାୟୀ ନେଟଵର୍କ ଚଲାଉଥିବା ୫ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏଥିସହିତ ଜାଲ ବିଲ୍‌ ଗ୍ରହଣକାରୀଙ୍କ ବିରୋଧରେ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଅନେକ ସନ୍ଦିଗ୍ଧ ଉଚ୍ଚ ଟିକସ ଖିଲାପ ମାମଲାର ତଦନ୍ତ ଚାଲିଛି। ଯେଉଁ ଟିକସଦାତାଙ୍କ ଟିକସ ଦେୟ ଓ ପ୍ରାପ୍ୟ ପରିମାଣ ମଧ୍ୟରେ ଅସଙ୍ଗତି ରହୁଛି, ସେମାନଙ୍କ ରିଟର୍ଣ୍ଣ ଯାଞ୍ଚ ପ୍ରକ୍ରିୟା ନିଶ୍ଚିତ କରିବା ଓ ଆବଶ୍ୟକସ୍ଥଳେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କମିସନର ବିଭିନ୍ନ ସର୍କଲକୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି।