ଭୁବନେଶ୍ବର: ଚଳିତ ଆର୍ଥିକ ବର୍ଷରେ ରାଜ୍ୟରେ ୯ଟି ସରକାରୀ ମେଡିକାଲ୍ କଲେଜ ଖୋଲିବା ଯୋଜନା ରହିଛି ବୋଲି ସିଆଇଆଇ ପକ୍ଷରୁ ଆୟୋଜିତ ଓଡ଼ିଶା ସ୍ବାସ୍ଥ୍ୟସେବା ସମ୍ମିଳନୀ ୨୦୨୫ରେ ଯୋଗଦେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଛନ୍ତି। ସେ କହିଲେ, ସବୁ ଜିଲ୍ଲା ମୁଖ୍ୟାଳୟରେ ସରକାରୀ ମେଡିକାଲ୍ ଖୋଲିବାକୁ ସରକାରଙ୍କ ଲକ୍ଷ୍ୟ ରଖିଛି। ଚଳିତ ଆର୍ଥିକ ବର୍ଷରେ ଜଗତସିଂହପୁର, ଭଦ୍ରକ, ଢେଙ୍କାନାଳ ଓ ନବରଙ୍ଗପୁରରେ ନୂଆ ସରକାରୀ ମେଡିକାଲ କଲେଜ ଖୋଲାଯିବ। ମୟୂରଭଞ୍ଜରେ ଗୋଟିଏ ଆୟୁର୍ବେଦିକ କଲେଜ ଖୋଲିବ। ଏଥି ସହିତ ବୁର୍ଲା, ବ୍ରହ୍ମପୁର, କେନ୍ଦୁଝର ଓ ବଲାଙ୍ଗୀରରେ ଚାରିଟି ନୂଆ ଡେଣ୍ଟାଲ୍‌ କଲେଜ ଖୋଲାଯିବ। ସବୁ ନୂଆ ମେଡିକାଲ୍‌ ସହ ଗୋଟିଏ ଲେଖାଏଁ ଭାବେ ୯ଟି ନୂଆ ନର୍ସିଂ କଲେଜ ମଧ୍ୟ ‌ଖୋଲାଯିବ ବୋଲି ସେ କହିଛନ୍ତି। 

Advertisment

ରାଜ୍ୟର ସବୁ ହସ୍ପିଟାଲ୍‌ ଶଯ୍ୟାଗୁଡ଼ିକୁ ଅପ୍‌ଗ୍ରେଡ୍‌ କରିବା ଏବଂ ଡାକ୍ତର ଓ ପାରାମେଡିକ୍ ଅଭାବ ଦୂର କରିବା ଲାଗି ସରକାରଙ୍କ ରହିଥିବା ପ୍ରତିବଦ୍ଧତା ଉପରେ ଆଲୋକପାତ କରି ସେ କହିଥିଲେ ଯେ ପ୍ରଥମ ବର୍ଷ ଆମେ ୪୫୦୦ ଡାକ୍ତର ଓ ପାରାମେଡିକ୍ ଷ୍ଟାଫ୍‌ଙ୍କୁ ନିଯୁକ୍ତି ଦେଇଛୁ। ଚଳିତ ବର୍ଷ ୫୬୦୦ ପଦ ଲାଗି ବିଜ୍ଞା‌ପନ ବାହାରିଛି। କନ୍ଧମାଳ ଓ ତାଳଚେର ମେଡିକାଲ୍ କଲେଜରେ ୨୦୦ ଏମ୍‌ବିବିଏସ୍‌ ସିଟ୍ ବଢ଼ିବ। ପିଜି ସିଟ୍‌ ସଂଖ୍ୟା ମଧ୍ୟ ୧୦୦ ବଢ଼ିବ ବୋଲି ସେ କହିଥିଲେ। ଏହି ଅବସରରେ ସିଆଇଆଇ ଓଡ଼ିଶା ଅଧ୍ୟକ୍ଷ ସୁନୀଲ ଗୁପ୍ତା ଘରୋଇ ସରକାରୀ ସହଭାଗିତା ଉପରେ ଆଲୋକପାତ କରିଥିଲେ। ସିଆଇଆଇ ଓଡ଼ିଶା ସ୍ବାସ୍ଥ୍ୟ ସେବା କମିଟିର ସଂଯୋଜକ ଡ. ଆଲୋକ ଶ୍ରୀବାସ୍ତବ ରାଜ୍ୟରେ ମେଡିକାଲ୍‌ ଡିଭାଇସ୍ ଉତ୍ପାଦନର ରହିଥିବା ସମ୍ଭାବନା ବିଷୟରେ ଆଲୋଚନା କରିଥିଲେ। ସିଆଇଆଇ ଓଡ଼ିଶା ଉପାଧ୍ୟକ୍ଷ ଜି ସୁରେଶା ଧନ୍ୟବାଦ ଅର୍ପଣ କରିଥିଲେ।