ଗ୍ରାମ ସଡ଼କ ଯୋଜନାକୁ ମିଳିବ ୯୦ ହଜାର କୋଟି

ନୂଆଦିଲ୍ଲୀ: ବ୍ୟାଙ୍କଗୁଡ଼ିକୁ ୨.୧୧ ଲକ୍ଷ କୋଟି ଟଙ୍କାର ପୁଞ୍ଜି ସହାୟତା ପ୍ରଦାନ କରିବାକୁ ଘୋଷଣା କରିଥିବା କେନ୍ଦ୍ର ସରକାର ଆଉ ଏକ ବଡ଼ ଘୋଷଣା କରିବାକୁ ଯାଉଛନ୍ତି। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମ୍‌ଜିଏସ୍‌ଓ୍ଵାଇ)ରେ ଅତିରିକ୍ତ ୯୦ ହଜାର କୋଟି ଟଙ୍କା ଖର୍ଚ କରାଯିବା ବିଷୟରେ ଖୁବ୍‌ଶୀଘ୍ର ସରକାର ଘୋଷଣା କରିବେ ବୋଲି ଚର୍ଚା ହେଉଛି। ୨୦୨୦ ସୁଦ୍ଧା ଦେଶର ଦୁର୍ଗମ ଅଞ୍ଚଳଗୁଡ଼ିକରେ ଥିବା ଗାଁଗୁଡ଼ିକୁ ସଡ଼କ ସଂଯୋଗ ପ୍ରଦାନ କରିବା ଦିଗରେ ଏହି ପାଣ୍ଠି ବିନିଯୋଗ ହେବ। କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ୬୦:୪୦ ଅନୁପାତରେ ଏହି ପାଣ୍ଠି ଖର୍ଚ କରାଯିବ। ଗ୍ରାମୀଣ ସଡ଼କ ଯୋଜନାରେ ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୪୦ ହଜାର କୋଟି ଟଙ୍କା ଖର୍ଚ ହୋଇସାରିଲାଣି।

ବିମୁଦ୍ରାକରଣ ଏବଂ ଜିଏସ୍‌ଟି ଯୋଗୁଁ ଦେଶର ଅର୍ଥନୈତିକ ଅଭିବୃଦ୍ଧି ହାର ପ୍ରଭାବିତ ହୋଇଛି ବୋଲି ସରକାରଙ୍କୁ ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି। ଏହି ଦୁଇ ପଦକ୍ଷେପର ପ୍ରଭାବ ଯୋଗୁଁ ଦେଶର ଜିଡିପି ହାର ତିନି ବର୍ଷର ନ୍ୟୁନତମ ସ୍ତରକୁ ଖସି ଆସିଛି। ଯେ କୌଣସି ଉପାୟରେ ଅର୍ଥନୈତିକ ଅଭିବୃଦ୍ଧିକୁୁ ତ୍ୱରାନ୍ଵିତ କରିବାକୁ କେନ୍ଦ୍ର ସରକାର ଚାହୁଁଛନ୍ତି। ସେଥିପାଇଁ ଯାହା କିଛି ପଦକ୍ଷେପର ଆବଶ୍ୟକତା ରହିଛି ତାହା ଗ୍ରହଣ କରିବା ଉପରେ ସରକାର ଜୋର ଦେଉଛନ୍ତି। ସେହି ଲକ୍ଷ୍ୟ ହାସଲ କରିବା ପାଇଁ ଗ୍ରାମ ସଡ଼କ ଯୋଜନାରେ ଅଧିକ ପାଣ୍ଠି ବିନିଯୋଗ କରିବା ପାଇଁ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ୨୦୦୦ ମସିହାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଆରମ୍ଭ କରାଯାଇଥିଲା। ଗ୍ରାମାଞ୍ଚଳକୁ ସବୁ ଦିନିଆ ସଡ଼କ ପ୍ରଦାନ କରିବା ହେଉଛି ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ।

ସମ୍ବନ୍ଧିତ ଖବର