ନୂଆଦିଲ୍ଲୀ: ଘରୋଇ ଏୟାରଲାଇନ୍ସ ଗୋ ଫାଷ୍ଟ୍‌ର ଉଡ଼ାଣ ମେ’ ୩ରୁ ବନ୍ଦ ହେବା ପରେ ଅନ୍ୟ ଏୟାରଲାଇନ୍ସଗୁଡ଼ିକର ଅଧିକାଂଶ ସିଟ୍ ଭର୍ତ୍ତି ହୋଇଯାଉଛି। ଲାଗାତର ଦ୍ବିତୀୟ ମାସ ପାଇଁ ଜୁନ୍‌ରେ ବିମାନର ୯୦% ସିଟ୍‌ରେ ଯାତ୍ରୀଙ୍କୁ ଦେଖିବାକୁ ମିଳିଥିଲା। ଗୋ ଫାଷ୍ଟ୍‌ର ଯାତ୍ରୀମାନେ ଅନ୍ୟ ଏୟାରଲାଇନ୍ସ ବିମାନରେ ଯାତ୍ରା କରୁଥିବାରୁ ସିଟ୍‌ ଭର୍ତ୍ତି ହାର ବା ଅକୁପାନ୍ସି ରେଟ୍‌ରେ ଉନ୍ନତି ହୋଇଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ତଥ୍ୟ ଅନୁସାରେ ଜୁନ୍‌ରେ ବିମାନର ଅକୁପାନ୍‌ସି ରେଟ୍‌ ୯୦%ରୁ ଅଧିକ ରହିଛି। ଜୁନ୍‌ରେ ଦେଶ ଭିତରେ ଦୈନିକ ୨୭୯୯ ବିମାନ ଉଡ଼ାଣ ହୋଇଥିବା ବେଳେ ସେଥିରେ ୪,୧୭,୩୬୯ ଯାତ୍ରୀ ଯାତ୍ରା କରୁଥିଲେ। ଏୟାରଲାଇନ୍ସଗୁଡ଼ିକ ମଧ୍ୟରେ ଆକାଶ ଏୟାରଲାଇନ୍ସର ଲୋଡ୍‌ ଫ୍ୟାକ୍ଟର (ଯାତ୍ରୀ ବସିବା ହାର) ସର୍ବାଧିକ (୯୨%) ଥିବା ବେଳେ ଏୟାର ଏସିଆ ଇଣ୍ଡିଆର କମ୍ (୯୧.୭୯%) ରହିଛି।