ଭୁବନେଶ୍ବର: ଗତ କିଛି ଦିନ ଧରି ସୁନା ଦରରେ ଚାଲିଥିବା ବୃଦ୍ଧିର ଧାରା ଅବ୍ୟାହତ ରହିଛି। ସୋମବାର ଭୁବନେଶ୍ବରରେ ଉଭୟ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ସୁନା ମହଙ୍ଗା ହୋଇଛି। ୨୨ କ୍ୟାରେଟ୍ ସୁନା ଦାମ୍ ୯୦ ହଜାର ଟଙ୍କା ଟପିଯାଇଛି। ଏହାର ୧୦ ଗ୍ରାମ ପିଛା ଦାମ୍ ଆଜି ୭୦୦ ଟଙ୍କା ବୃଦ୍ଧି ପାଇ ୯୦,୧୫୦ ଟଙ୍କା ହୋଇଛି। ସେହିପରି, ୨୪ କ୍ୟାରେଟ୍ ସୁନା ଦାମ୍ ୭୭୦ ଟଙ୍କା ବୃଦ୍ଧି ପାଇ ୯୮,୩୫୦ ଟଙ୍କା ହୋଇଛି। ରୁପା କେଜି ମଧ୍ୟ ୧୦୦୦ ଟଙ୍କା ମହଙ୍ଗା ହୋଇ ୧,୧୧,୦୦୦ ଟଙ୍କା ହୋଇଛି। ଅକ୍ଷୟ ତୃତୀୟା ପାଖେଇ ଆସୁଥିବା ଓ ଲୋକମାନେ ବିବାହ କାର୍ଯ୍ୟକ୍ରମ ଲାଗି ସୁନା କିଣୁଥିବା ଭଳି ଏକ ଗୁରୁତ୍ବପୂର୍ଣ୍ଣ ମୁହୂର୍ତ୍ତରେ ଦରରେ ଏଭଳି ବୃଦ୍ଧି ଗ୍ରାହକଙ୍କ ଚିନ୍ତା ବଢ଼ାଇଦେଇଛି। ତେବେ ସେମାନଙ୍କୁ ଆବଶ୍ୟକ ଆଶ୍ବସ୍ତି ପ୍ରଦାନ କରିବା ଲାଗି ସୁନା ଦୋକାନଗୁଡ଼ିକ ଅକ୍ଷୟ ତୃତୀୟ ଉପଲକ୍ଷେ ଆକର୍ଷଣୀୟ ଅଫର ଘୋଷଣା କରିଛନ୍ତି।
ତନିସ୍କର ବିଏମ୍ ଅରିନ୍ଦମ ପ୍ରାମାଣିକ କହିଛନ୍ତି ଯେ ପୁରୁଣା ସୁନା ବଦଳାଇବା ଲାଗି ଏହା ହେଉଛି ଉପଯୁକ୍ତ ସମୟ। ଦରବୃଦ୍ଧିକୁ ନେଇ ଚିନ୍ତିତ ଥିବା ଗ୍ରାହକମାନେ ନିଜ ପାଖରେ ଥିବା ପୁରୁଣା ସୁନା ବଦଳାଇଲେ ତାହାର ବର୍ତ୍ତମାନ ସମୟର ମୂଲ୍ୟ ପାଇପାରିବେ। ଫଳରେ ସେମାନଙ୍କୁ ସୁନା ଦରରେ ହୋଇଥିବା ଅହେତୁକ ବୃଦ୍ଧିର ସମ୍ପୂର୍ଣ୍ଣ ଚାପ ବହନ କରିବାକୁ ପଡ଼ିବ ନାହିଁ। ଓଡ଼ିଶାର ସୁନା ବଜାର ମୁଖ୍ୟତଃ ଅଳଙ୍କାର ବିକ୍ରି ଉପରେ ନିର୍ଭରଶୀଳ ରହିଛି। ଏଠାରେ ବିକ୍ରି ହେଉଥିବା ସିଂହଭାଗ ସୁନା ହେଉଛି ଅଳଙ୍କାର। ସୁନା କଏନ ଓ ବାର୍ର ବିକ୍ରି ନଗଣ୍ୟ ଥିବା ସେ କହିଛନ୍ତି। ଦିଲ୍ଲୀ-ଏନ୍ସିଆର୍ରେ ସୁନାର ୧୦ ଗ୍ରାମ ପିଛା ଦାମ୍ ୧ ଲକ୍ଷ ଟଙ୍କାରୁ ଅଧିକ ହୋଇଥିବା ଦାବି ହେଉଛି। ୨୪ କ୍ୟାରେଟ୍ ସୁନାର ଦାମ୍ ୯୭,୨୦୦ ଟଙ୍କା ରହିଛି। ଏହା ଉପରେ ୩ ପ୍ରତିଶତ ଜିଏସ୍ଟି ଲାଗିବା ପରେ ତାହାର ଦର ୧,୦୦,୧୧୬ ଟଙ୍କା ହୋଇଯାଉଛି ବୋଲି ହିସାବ କରିବା ପରେ ଜଣାପଡ଼ିଛି। ମଲ୍ଟିକମୋଡିଟି ଏକ୍ସଚେଞ୍ଜର ସୁନା ଦାମ୍ ୯୭,୨୨୦ ଟଙ୍କା ରହିଛି। ୨୦୨୫ରେ ବର୍ତ୍ତମାନ ସୁଦ୍ଧା ସୁନା ଦର ୨୦,୮୦୦ ଟଙ୍କା ବଢ଼ିସାରିଲାଣି। ଅନ୍ତର୍ଜାତୀୟ ବଜାରରେ ସୁନାର ଆଉନ୍ସ ପିଛା ଦାମ୍ ୩୪୦୭ ଡଲାର ଭଳି ଉଚ୍ଚ ସ୍ତରରେ ରହିଛି।