ଖଣି ଅଞ୍ଚଳର ବିକାଶ ପାଇଁ ୯୦୦ କୋଟି

ଭୁବନେଶ୍ୱର: ରାଜ୍ୟର ୮ଟି ଜିଲ୍ଲାର ଖଣି ପ୍ରଭାବିତ ଅଂଚଳ ପାଇଁ ଓଏମ୍‌ବିଏଡିସି ଅଧୀନରେ ରାଜ୍ୟ ସରକାର ୯୦୦ କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପ ହାତକୁ ନେଇଛନ୍ତି। ଏବେ ସୁଦ୍ଧା ନିଗମକୁ ୧୦୦୦ କୋଟି ଟଙ୍କାର ପାଣ୍ଠି ମିଳିଛି। ଏହା ମଧ୍ୟରୁ ୯୦ ପ୍ରତିଶତ ପାଣ୍ଠି ବା ୯୦୦ କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁର କରାଯାଇଛି।

ଏହି ପ୍ରକଳ୍ପ ଅଧୀନରେ ଘର ନଥିବା ବ୍ୟକ୍ତିଙ୍କୁ ଘର ଯୋଗାଇ ଦେବା, ଖଣି ପ୍ରଭାବିତ ଅଞ୍ଚଳରେ ବାସୋପଯୋଗୀ ପରିବେଶରେ ଉନ୍ନତି ଆଣିବା ଲାଗି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ନିର୍ଦେଶ ଦେଇଛନ୍ତି। ଆଜି ସଚିବାଳୟରେ ଏହି ପ୍ରକଳ୍ପର ସମୀକ୍ଷା କରିବା ଅବସରରେ ଶ୍ରୀ ପାଢ଼ୀ ଏହି ନିର୍ଦେଶ ଦେଇଛନ୍ତି। ଗୃହ ନଥିବା ବ୍ୟକ୍ତିଙ୍କ ସମ୍ପର୍କରେ ବିସ୍ତତ ସର୍ଭେ କରି ସେମାନଙ୍କ ପାଇଁ ବିଭିନ୍ନ ଯୋଜନାରେ ଗୃହ ନିର୍ମାଣର ଏକ ତାଲିକା ପ୍ରସ୍ତୁତ କରିବାକୁ ପଞ୍ଚାୟତିରାଜ ବିଭାଗକୁ କୁହାଯାଇଛି। ପକ୍କା ଘର ସହିତ ପାଇଖାନା ନିର୍ମାଣ, ପାନୀୟ ଜଳ ଯୋଗାଣ, ରାସ୍ତା ନିର୍ମାଣ, ପରିମଳ ଏବଂ ବନୀକରଣ ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ ୮ଟି ଜିଲ୍ଲାର ୩୦ଟି ବ୍ଲକ୍‌ର ୧୨୯ଟି ଗ୍ରାମପଞ୍ଚାୟତର ୬୯୧ଟି ଗାଁକୁ ଓଏମ୍‌ବିଏଡିସି ପାଣ୍ଠି ଅଧୀନରେ ସାମିଲ କରିବାକୁ ଚିହ୍ନଟ କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଝାରସୁଗୁଡ଼ା, କେନ୍ଦୁଝର, କୋରାପୁଟ, ମୟୂରଭଞ୍ଜ ଏବଂ ସୁନ୍ଦରଗଡ଼। ଏଥିରେ ୨୯,୮୨୯ଟି ଗୃହ ଏବଂ ୨୧୭ଟି ପାନୀୟ ଜଳ ପ୍ରକଳ୍ପ ରହିଛି। ଏଥିସହିତ ୨୦୧୬-୧୭ ଆର୍ଥିକ ବର୍ଷରେ ୧୯୩୮ ହେକ୍ଟର ଜମିରେ ଓ ୫୩୫ କିମି ରାସ୍ତା ପାର୍ଶ୍ୱରେ ବନୀକରଣ କାର୍ଯ୍ୟ ହାତକୁ ନିଆଯାଇଛି। ୨୦୧୭-୧୮ ଆର୍ଥିକ ବର୍ଷ ପାଇଁ ହେବାକୁ ଥିବା ବନୀକରଣ ପ୍ରକଳ୍ପକୁ ମଧ୍ୟ ମଞ୍ଜୁରି ଦିଆଯାଇଛି। ୨୦୧୭-୧୮ରେ ୧୭ ଲକ୍ଷ ୫୦ ହଜାର ଚାରା ବଣ୍ଟନ ପାଇଁ ନିଷ୍ପତ୍ତି ହୋଇଛି। ଆଜିର ସମୀକ୍ଷା ବୈଠକରେ ଉନ୍ନୟନ କମିସନର ଆର୍‌. ବାଲକ୍ରିଷ୍ଣନ୍‌, ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଇସ୍ପାତ ଓ ଖଣି ବିଭାଗର ପ୍ରମୁଖ ଶାସନ ସଚିବ ରାଜ କୁମାର ଶର୍ମା, ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ତୁହିନ କାନ୍ତ ପାଣ୍ଡେ, ପଞ୍ଚାୟତିରାଜ ସଚିବ ଦେଓ ରଂଜନ କୁମାର ସିଂ ଏବଂ ଓଏମ୍‌ବିଡିଏସି ସିଇଓ ସୁବାସ ଚନ୍ଦ୍ର ସ୍ୱାଇଁ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର