କରୋନା ଟିକା ଗବେଷଣା ଲାଗି ୯୦୦ କୋଟିର ଅନୁଦାନ ଘୋଷଣା କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : କରୋନା ଟିକା ଉପରେ ଗବେଷଣା ପାଇଁ କେନ୍ଦ୍ର ସରକାର ଜୈବ ପ୍ରଯୁକ୍ତି ବିଭାଗକୁ ୯୦୦ କୋଟି ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି ।

ଏ ସମ୍ପର୍କରେ ଘୋଷଣା କରି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଏହି  ଅନୁଦାନ କେବଳ କରୋନା ଟିକା ଗବେଷଣା କାମରେ ବ୍ୟବହାର କରାଯିବ । କରୋନା ଟିକା ଉପଲବ୍ଧ ହେଲେ ଟିକା କିଣା ଓ ଆବଣ୍ଟନ ଲାଗି ସରକାର ଅଲଗାଭାବେ ବ୍ୟୟ କରିବେ ।

ସୂଚନାଯୋଗ୍ୟ ଯେ, ଅର୍ଥନୀତିକୁ ପୁଣି ଅଭିବୃଦ୍ଧି ପଥରେ ଫେରାଇ ନେବାକୁ ଅର୍ଥମନ୍ତ୍ରୀ ଆଜି ଆତ୍ମନିର୍ଭର ଭାରତ ୩.୦ ଘୋଷଣା କରିଛନ୍ତି । ଏହି କ୍ରମରେ ଆଜି ଏକ ନୂଆ ସ୍କିମ ଘୋଷଣ କରାଯାଇଛି । ଏହାର ନାମ ରଖାଯାଇଛି ଆତ୍ମନିର୍ଭର ଭାରତ ରୋଜଗାର । ଏହି ସ୍କିମ ଅଧିନରେ ଘର କିଣୁଥିବା ଗ୍ରାହକମାନଙ୍କ ପାଇଁ କେତେକ ଆର୍ଥିକ ପ୍ରେତ୍ସାହନ ଘୋଷଣା କରାଯାଇଛି । ପ୍ରଥମ ଥର ପାଇଁ ଘର କିଣୁଥିବା ଗ୍ରାହକମାନଙ୍କ ପାଇଁ ଆୟକର ରିହାତି ଘୋଷଣା କରାଯାଇଛି । ଏହାଛଡ଼ା ଦେଶରେ ରୋଜଗାର ସୁଯୋଗ ବୃଦ୍ଧି ପାଇଁ ସରକାର କେତେକ ନୂଆ ପଦକ୍ଷେପ ଘୋଷଣା କରିଛନ୍ତି ।

ଗତ ଅକ୍ଟୋବର ୧ରୁ ଏହି ସ୍କିମ କାର୍ଯ୍ୟକାରୀ ହେବ ଓ ଏହା ଆସନ୍ତା ବର୍ଷ ଜୁନ ୩୦ ପର୍ଯ୍ୟନ୍ତ ଚାଲୁ ରହିବ । ଅର୍ଥମନ୍ତ୍ରୀ କହିଛନ୍ତି ଯେ ଦେଶର ଅର୍ଥନୀତିରେ ଉନ୍ନତିର ଲକ୍ଷଣ ଦେଖାଦେଲାଣି । ଆସନ୍ତା ବର୍ଷ ଦେଶର ଅର୍ଥନୀତି ଦ୍ରୁତ ଅଭିବୃଦ୍ଧି ପଥକୁ ଫେରିବ ।

ସମ୍ବନ୍ଧିତ ଖବର