କ୍ୟାରି ବ୍ୟାଗ୍‌ ପାଇଁ ୩ ଟଙ୍କା ମାଗିବା ମହଙ୍ଗା ପଡ଼ିଲା

୯୦୦୦ ଟଙ୍କା ଜରିମାନା ଗଣିବ ଜୋତା କଂପାନି

ନୂଆଦିଲ୍ଲୀ: ଅଧିକାଂଶ ଷ୍ଟୋର୍‌ରେ ଗ୍ରାହକମାନଙ୍କ ଠାରୁ କ୍ୟାରି ବ୍ୟାଗ୍ ପାଇଁ ଟଙ୍କା ଆଦାୟ କରାଯାଉଛି। ଏହା କିଛି ନୂଆ କଥା ନୁହେଁ। ଜଣେ ଗ୍ରାହକଙ୍କ ଠାରୁ କ୍ୟାରି ବ୍ୟାଗ୍ ପାଇଁ ୩ ଟଙ୍କା ଆଦାୟ କରିବା ଦେଶର ଏକ ଅଗ୍ରଣୀ ଜୋତା କଂପାନି ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଗ୍ରାହକ ଜଣକ ଏକ ଉପଭୋକ୍ତା ଅଦାଲତରେ ଅଭିଯୋଗ କରିବା ପରେ କଂପାନି ଉପରେ ୯୦୦୦ ଟଙ୍କାର ଜରିମାନା ଲାଗୁ କରାଯାଇଛି। ଚଣ୍ଡିଗଡ଼ର ବାସିନ୍ଦା ଦୀନେଶ ପ୍ରସାଦ ରାତୁରି ଏହି ଜୋତା କଂପାନିର ଷ୍ଟୋର୍‌ରୁ ହଳେ ଜୋତା କିଣିଥିଲେ। କ୍ୟାରି ବ୍ୟାଗ୍ ସହ ମିଶାଇ ଜୋତାର ମୂଲ୍ୟ ୪୦୨ ଟଙ୍କା ହୋଇଥିଲା। ତେବେ କ୍ୟାରି ବ୍ୟାଗ୍ ପାଇଁ ଦୀନେଶ ୩ ଟଙ୍କା ଗଣିବାକୁ ଚାହୁନଥିଲେ। ସେବାବଦରେ ଯେଉଁ ଟଙ୍କା ନିଆଯାଇଛି ତାହା ତୁରନ୍ତ ଫେରାଇବାକୁ ଦାବି କରିଥିଲେ ମଧ୍ୟ, ଷ୍ଟୋର୍‌ରେ କାମ କରୁଥିବା କର୍ମଚାରୀମାନେ ତାଙ୍କ କଥା ଶୁଣିନଥିଲେ। ଷ୍ଟୋର୍‌ରୁ ନିରାଶ ହୋଇ ଫେରିବା ପରେ ଦୀନେଶ ଏକ ଉପଭୋକ୍ତା ଅଦାଲତରେ ଅଭିଯୋଗ କରିଥିଲେ। ଉକ୍ତ ମାମଲାର ଶୁଣାଣି କରି ଅଦାଲତ ଜୋତା କଂପାନିକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଶୁଣାଣି ବେଳେ ଗ୍ରାହକ ଜଣକ ଜଣାଇଥିଲେ ଯେ କ୍ୟାରି ବ୍ୟାଗ୍ ପାଇଁ ଟଙ୍କା ନେବା ସହିତ କଂପାନି ସେହି ବ୍ୟାଗ୍‌ରେ ନିଜର ପ୍ରଚାର ମଧ୍ୟ କରୁଛି। ଏହା ଯୁକ୍ତିଯୁକ୍ତ ନୁହେଁ। ଦୀନେଶଙ୍କ ଠାରୁ କ୍ୟାରି ବ୍ୟାଗ୍ ପାଇଁ ନିଆଯାଇଥିବା ୩ ଟଙ୍କା ଏବଂ ବିବାଦ ଶୁଳ୍କ (ଲିଟିଗେସନ ଚାର୍ଜ) ବାବଦରେ ୧୦୦୦ ଟଙ୍କା, ମାନସିକ ଯନ୍ତ୍ରଣା ପାଇଁ ୩୦୦୦ ଟଙ୍କା ଓ ଅଦାଲତ ଖାତାରେ ୫୦୦୦ ଟଙ୍କା ଜମା କରିବାକୁ କଂପାନିକୁ ନିର୍ଦେଶ ଦିଆଯାଇଛି। ଏଥି ସହିତ ଗ୍ରାହକଙ୍କୁ ମାଗଣାରେ କ୍ୟାରି ବ୍ୟାଗ୍ ଯୋଗାଇବା ଓ ସେବାର ମାନରେ ଉନ୍ନତି ଆଣିବାକୁ ମଧ୍ୟ କଂପାନିକୁ କୋର୍ଟ ନିର୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର