ତିରୁପତି ମନ୍ଦିରରେ ୯୦୦୦ କେଜି ସୁନା‌

ହାଇଦ୍ରାବାଦ: ଆନ୍ଧ୍ର ପ୍ରଦେଶରେ ଥିବା ବିଶ୍ବର ସବୁଠୁ ଧନୀ ହିନ୍ଦୁ ମନ୍ଦିର-ତିରୁପତି ମନ୍ଦିର ପାଖରେ ୯୦୦୦ କେଜିରୁ ଅଧିକ ସୁନାର ଭଣ୍ଡାର ରହିଛି। ଏହି ମନ୍ଦିରର ଦେଖାଶୁଣା କରୁଥିବା ତିରୁମାଳା ତିରୁପତି ଦେବସ୍ଥାନମ (ଟିଟିଡି) ପକ୍ଷରୁ ଦୁଇଟି ସରକାରୀ ବ୍ୟାଙ୍କରେ ସୁନା ଜମା ସ୍କିମ୍ ଅଧୀନରେ ୭୨୩୫ କେଜି ସୁନା ଜମା କରାଯାଇଛି। ଏହାର ଟ୍ରେଜେରିରେ ୧୯୩୪ କେଜି ସୁନା ଅଛି। ସାଧାରଣତଃ ସୁନା ଭଣ୍ଡାର ବିଷୟରେ ସୂଚନା ଦେବାକୁ ଟିଟିଡି କୁଣ୍ଠା ପ୍ରକାଶ କରିଥାଏ। ମାତ୍ର ଗତ ମାସରେ ନିର୍ବାଚନ ଅଧିକାରୀମାନେ ତାମିଲନାଡୁରେ ୧୩୮୧ କେଜି ସୁନା ଜବତ କରିବା ପରେ ମନ୍ଦିର କତୃର୍ପକ୍ଷ ସୁନାର ବିବରଣୀ ପ୍ରଦାନ କରିବାକୁ ଆଗେଇ ଆସିଥିଲେ। ଏହି ସବୁ ସୁନାକୁ ତିରୁପତି ମନ୍ଦିର କତୃର୍ପକ୍ଷ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କର ଚେନ୍ନାଇ ଶାଖାରେ ରଖିଥିଲେ। ସୁନା ଜମାର ଅବଧି ଶେଷ ହୋଇଯିବା ପରେ ଏକ ଟ୍ରକ୍‌ରେ ଲଦି ସୁନାଗୁଡ଼ିକୁ ତିରୁପତି ଅଣାଯାଉଥିବା ବେଳେ ତାମିଲନାଡୁର ତିରୁଭାଲୁର ଜିଲ୍ଲାରେ ଟ୍ରକ୍‌କୁ ନିର୍ବାଚନ ଅଧିକାରୀମାନେ ଅଟକାଇଥିଲେ। ବ୍ୟାଙ୍କ ପକ୍ଷରୁ ସବୁ ପ୍ରକାର କାଗଜପତ୍ର ଦେଖାଇବା ପରେ ‌ଟ୍ରକ୍‌କୁ ଛାଡ଼ିଦିଆଯାଇଥିଲା।

ସମ୍ବନ୍ଧିତ ଖବର