ବିଟ୍‌କଏନ୍‌ରେ ୯୧୦ କୋଟି ହରାଇଲେ ସଫ୍ଟବ୍ୟାଙ୍କ ପ୍ରତିଷ୍ଠାତା

ନ୍ୟୁୟର୍କ/ଟୋକିଓ: ଜାପାନର ବିଶିଷ୍ଟ ଉଦ୍ୟୋଗୀ ତଥା ସଫ୍ଟବ୍ୟାଙ୍କ ଗ୍ରୁପର ପ୍ରତିଷ୍ଠାତା ମାସାୟୋସି ସନ୍ ବିଟ୍‌କଏନ୍‌ରେ ନିବେଶ କରି ବିପୁଳ ପରିମାଣର ଅର୍ଥ ହରାଇଛନ୍ତି। ଡିଜିଟାଲ କଏନର ମୂଲ୍ୟ ଉଚ୍ଚ ସ୍ତରରେ ଥିବାବେଳେ ସନ୍ ଏଥିରେ ନିବେଶ କରିଥିଲେ। କିନ୍ତୁ ଏହାପରେ ବିଟ୍‌କଏନ୍‌ ମୂଲ୍ୟ କମିଯାଇଥିଲା। ମୂଲ୍ୟ କମ୍ ସ୍ତରରେ ଥିବାବେଳେ ସେ ଏହାକୁ ବିକ୍ରି କରି ୧୩୦ ନିୟୁତ ଡଲାରରୁ ଅଧିକ ବା ଭାରତୀୟ ମୁଦ୍ରାରେ ପ୍ରାୟ ୯୧୦ କୋଟି ଟଙ୍କା ହରାଇଛନ୍ତି। ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲ ପକ୍ଷରୁ ଏହି ରିପୋର୍ଟ ପ୍ରକାଶ ପାଇଛି। ବିଟ୍‌କଏନ୍‌ର ଜଣେ ଖ୍ୟାତନାମା ବ୍ୟବସାୟୀଙ୍କ ପରାମର୍ଶରେ ତାଙ୍କ ନିବେଶ କମ୍ପାନି ସଫ୍ଟବ୍ୟାଙ୍କ ୨୦୧୭ରେ ଏହି ମୁଦ୍ରାକୁ କିଣିଥିଲା। ଯଦିଓ ନି‌ର୍ଦ୍ଦିଷ୍ଟ ଭାବେ ସେ କେତେ ଅର୍ଥ ବିଟକଏନରେ ନିବେଶ କରିଥିଲେ ତାହା ଜଣାପଡ଼ିନାହିଁ ତଥାପି ୨୦୧୭ ଡିସେମ୍ବରରେ ବିଟକଏନ ମୂଲ୍ୟ ପାଖାପାଖି ୨୦ ହଜାର ଡଲାର ଥିବାବେଳେ ସେ ଏହାକୁ କିଣିଥିଲେ। କିନ୍ତୁ ଏହାର ମୂଲ୍ୟ କମଯିବା ପରେ ୨୦୧୮ ପ୍ରଥମାର୍ଦ୍ଧରେ ସେ ଏହାକୁ ବିକ୍ରି କରିଥିଲେ। ‌ଏବେ ବିଟକଏନ ମୂଲ୍ୟ ପାଖାପାଖି ୫୩୦୦ ଡଲାରରେ କାରବାର ହେଉଛି। ତେବେ ସଫ୍ଟବ୍ୟାଙ୍କର ପ୍ରବକ୍ତା ଏହା ଉପରେ କୌଣସି ମତାମତ ଦେବାକୁ ମନା କରିଦେଇଛନ୍ତି।

ସମ୍ବନ୍ଧିତ ଖବର