ଅର୍ଥ ମନ୍ତ୍ରାଳୟ ଉପରେ ଇପିଏଫଓର ୯୧୧୬ କୋଟି ବାକି ପଡ଼ିଛି, ମନ୍ତ୍ରାଳୟକୁ ଚିଠି ଲେଖିଲା ଇପିଏଫ୍‌ଓ

ଇପିଏସ୍‌ ଯୋଗଦାନ ବାବଦରେ ୮୦୬୩ କୋଟି, ସର୍ବନିମ୍ନ ପେନସନ ସହାୟତା ବାବଦରେ ୧୦୫୧ କୋଟି

ନୂଆଦିଲ୍ଲୀ: ପେନ୍‌ସନ୍ ଯୋଜନା ବାବଦରେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌ଓ)ର ୯୧୧୬.୭୦ କୋଟି ଟଙ୍କା ସରକାରଙ୍କ ଉପରେ ବାକି ପଡ଼ିଛି। ଏହି ବକେୟା ରାଶିକୁ ପ୍ରଦାନ କରିବା ଲାଗି ସଂଗଠନ ପକ୍ଷରୁ ଅର୍ଥମନ୍ତ୍ରାଳୟକୁ ଚିଠି ଲେଖାଯାଇଛି। ଇପିଏଫ୍‌ଓ ଦ୍ବାରା ୧୯୯୫ ମସିହାରେ କର୍ମଚାରୀ ପେନସନ ଯୋଜନା ବା ଇପିଏସ୍‌ ଆରମ୍ଭ ହୋଇଥିଲା। ବାକିଆ ରାଶିର କିଛି ଅଂଶ ସେବେଠାରୁ ସରକାରଙ୍କ ଉପରେ ଗଡ଼ି ଆସୁଛି। ସରକାରଙ୍କ ଉପରେ ବାକି ପଡ଼ିଥିବା ମୋଟ ୯୧୧୬.୭୦ କୋଟି ଟଙ୍କା ମଧ୍ୟରୁ ୧୯୯୫ ମସିହାରୁ କାର୍ଯ୍ୟକାରୀ ହୋଇ ଆସୁଥିବା କର୍ମଚାରୀଙ୍କ ପେନସନ ଯୋଜନା ବାବଦରେ ୮୦୬୩.୬୬ କୋଟି ଟଙ୍କା ବାକି ରହିଛି। ଏତଦବ୍ୟତୀତ ୨୦୧୪ ସେପ୍ଟେମ୍ବରରୁ କାର୍ଯ୍ୟକାରୀ ହୋଇ ଆସୁଥିବା ସର୍ବନିମ୍ନ ମାସିକ ପେନସନ ଯୋଜନା ବାବଦରେ ସରକାରଙ୍କ ଉପରେ ଇପିଏଫ୍‌ଓର ୧୦୫୧.୪୨ କୋଟି ଟଙ୍କା ବାକି ପଡ଼ିଛି।

ଉଲ୍ଲେଖଯୋଗ୍ୟ ଘରୋଇ କ୍ଷେତ୍ରର କର୍ମଚାରୀଙ୍କ ପାଇଁ ଇପିଏଫଓ ୩ ପ୍ରକାର ଯୋଜନା କାର୍ଯ୍ୟକାରୀ କରୁଛି। ସେଗୁଡ଼ିକ ହେଲା କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ଯୋଜନା, କର୍ମଚାରୀ ପେନସନ ଯୋଜନା ଏବଂ କର୍ମଚାରୀ ଜମା ସଂଯୋଜିତ ବୀମା ଯୋଜନା। କର୍ମଚାରୀମାନେ ସେମାନଙ୍କ ବେତନର ୧୨ ପ୍ରତିଶତ ( ମୂଳ ଦରମା ଏବଂ ମହଙ୍ଗା ଭତ୍ତା) ଇପିଏଫ୍‌ରେ ‌ଜମା କରୁଥିବାବେଳେ ନିଯୁକ୍ତିଦାତା ୧୨ ପ୍ରତିଶତ ପାଣ୍ଠି ପ୍ରଦାନ କରିଥାନ୍ତି। ଏଥିରୁ ୮.୩୩ ପ୍ରତିଶତ ରାଶି କର୍ମଚାରୀ ପେନସନ ଯୋଜନା ବା ଇପିଏସ୍‌କୁ ଯାଇଥାଏ। ଅଧିକନ୍ତୁ ସରକାର ମଧ୍ୟ କର୍ମଚାରୀଙ୍କ ପେନସନ ଆକାଉଣ୍ଟକୁ ୧.୧୬ ପ୍ରତିଶତ ଯୋଗଦାନ ଦେଇଥାନ୍ତି। ତେଣୁ କର୍ମଚାରୀ ପେନସନ ଯୋଜନା ବାବଦରେ ସରକାରଙ୍କ ଉପରେ ଇପିଏଫ୍‌ଓର ୮୦୬୩.୬୬ କୋଟି ଟଙ୍କା ଦେବାକୁ ବାକି ଅଛି। ଏତଦବ୍ୟତୀତ ଗତ ଥର ଏନଡିଏ କ୍ଷମତାକୁ ଆସିବା ପରେ ପେନସନଭୋଗୀଙ୍କୁ ମାସିକ ପେନସନ ବାବଦରେ ସର୍ବନିମ୍ନ ୧୦୦୦ ଟଙ୍କା ଦେବାକୁ ଘୋଷଣା କରିଥିଲା। ୨୦୧୪ ସେପ୍ଟେମ୍ବରରୁ ଏହାକୁ କାର୍ଯ୍ୟକାରୀ କରାଯାଉଛି। ଏଥିଯୋଗୁଁ ୧.୮ ନିୟୁତ ପେନସନଭୋଗୀ ବାର୍ଷିକ ଉପକୃତ ହେଉଛନ୍ତି। ପେନସନଭୋଗୀମାନଙ୍କୁ ସର୍ବନିମ୍ନ ପେନସନ ପ୍ରଦାନକୁ କାର୍ଯ୍ୟକାରୀ କରିବା ଲାଗି ଯେଉଁ ପାଣ୍ଠି ନିଅଣ୍ଟ ପଡ଼ିବ ସେଥିପାଇଁ ବାର୍ଷିକ ୮୦୦ କୋଟି ଟଙ୍କା ଦେବ ବୋଲି କେନ୍ଦ୍ର ସରକାର ଘୋଷଣା କରିଥିଲେ। ତେଣୁ ଏହି ଯୋଜନାକୁ କାର୍ଯ୍ୟକାରୀ ହେବା ପରେ ସରକାରଙ୍କ ଉପରେ ୨୦୧୯ ମାର୍ଚ୍ଚ ୩୧ ସୁଦ୍ଧା ଇପିଏଫଓର ୧୦୫୧.୪୨ କୋଟି ଟଙ୍କା ବାକି ପଡ଼ିଛି। ଗତମାସ ୪ ତାରିଖରେ କେନ୍ଦ୍ର ଶ୍ରମ ମନ୍ତ୍ରାଳୟର ଏକ ବୈଠକରେ ଇପିଏଫଓର କେନ୍ଦ୍ରୀୟ ଭବିଷ୍ୟନିଧି ପାଣ୍ଠି କମିସନର ସୁନିଲ ବର୍ଥୱାଲ ଏହି ପ୍ରସଙ୍ଗ ଉଠାଇଥିଲେ। ଶ୍ରମ ଏବଂ ନିଯୁକ୍ତି ସଚିବ ହୀରାଲାଲ ସମାରିୟା ଏ ନେଇ ବ୍ୟୟ ସଚିବ ଜି ସି ମୁର୍ମୁଙ୍କୁ ଚିଠି ଲେଖିବା ପାଇଁ ପରାମର୍ଶ ଦେଇଥିଲେ।

ସମ୍ବନ୍ଧିତ ଖବର