୯୪% ଶ୍ରମିକଙ୍କ ଆୟ ୧୦ ହଜାରରୁ କମ୍; ୭୪% ଏସ୍‌ସି, ଏସ୍‌ଟି, ଓବିସି ବର୍ଗର

ନୂଆଦିଲ୍ଲୀ: ଇ-ଶ୍ରମ ପୋର୍ଟାଲ୍‌ରେ ପଞ୍ଜୀକରଣ କରିଥିବା ୨୭.୬୯ କୋଟି ଅଣ ସଂଗଠିତ କ୍ଷେତ୍ରର ଶ୍ରମିକଙ୍କ ମଧ୍ୟରୁ ୯୪%ରୁ ଅଧିକଙ୍କ ମାସିକ ଆୟ ୧୦ ହଜାର ଟଙ୍କାରୁ କମ୍ ରହିଛି। ୭୪%ରୁ ଅଧିକ ଶ୍ରମିକ ହେଉଛନ୍ତି ଏସ୍‌ସି, ଏସ୍‌ଟି ଓ ଓବିସି ବର୍ଗର। ଦେଶରେ ଅଣ ସଂଗଠିତ ଶ୍ରମିକଙ୍କ ସଂଖ୍ୟା ୩୮ କୋଟି ପାଖାପାଖି ହେବ ବୋଲି ଆକଳନ କରାଯାଇଛି। ଇ-ଶ୍ରମ ପୋର୍ଟାଲ୍‌ରେ ପଞ୍ଜୀକରଣ ଯେଉଁଭଳି ଭାବେ ଆଗକୁ ବଢ଼ୁଛି‌ ସେଥିରୁ ଏହା ଜଣାପଡ଼ୁଛି ଯେ ଏହି ଲକ୍ଷ୍ୟ ହାସଲ ହୋଇପାରିବ। ଏହି ପୋର୍ଟାଲ୍‌ ଜରିଆରେ ଅଣ ସଂଗଠିତ ଶ୍ରମିକଙ୍କ ଏକ ଡାଟାବେସ୍ ପ୍ରସ୍ତୁତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

୨୦୨୧ ଅଗଷ୍ଟ ୨୬ରେ ଇ-ଶ୍ରମ ପୋର୍ଟାଲ୍ ଆରମ୍ଭ ହୋଇଥିଲା। ଅଣ ସଂଗଠିତ ଶ୍ରମିକମାନଙ୍କ ତଥ୍ୟ ମିଳିବା ପରେ ସେମାନଙ୍କ ପାଇଁ କଲ୍ୟାଣମୂଳକ ଯୋଜନା ପ୍ରସ୍ତୁତ କରିବା ସରକାରଙ୍କ ପାଇଁ ସହଜ ହେବ। ଚଳିତ ବର୍ଷ ଶେଷ ସୁଦ୍ଧା ବଳକା ଶ୍ରମିକମାନେ ଏହି ପୋର୍ଟାଲ୍‌ରେ ପଞ୍ଜୀକରଣ କରିବା ଦରକାର। ଏହା ହେଲେ ରାଜନୈତିକ ଦଳଗୁଡ଼ିକ ସେମାନଙ୍କ ପାଇଁ ଉପଯୁକ୍ତ ଯୋଜନା ପ୍ରସ୍ତୁତ କରିପାରିବେ। ଏହି ପୋର୍ଟାଲ୍‌ରେ ପଞ୍ଜୀକରଣ କରିଥିବା ଶ୍ରମିକମାନଙ୍କ ମଧ୍ୟରୁ ମାତ୍ର ୪.୩୬ ପ୍ରତିଶତଙ୍କ ମାସିକ ଆୟ ୧୦-୧୫ ହଜାର ଟଙ୍କା ମଧ୍ୟରେ ରହିଛି। ୭୪.୪୪ ପ୍ରତିଶତ ଶ୍ରମିକ ହେଉଛି ସାମାଜିକ ଦୃଷ୍ଟିରୁ ପଛୁଆ ବର୍ଗର। ୪୫.୩୨ ପ୍ରତିଶତ ଶ୍ରମିକ ଓବିସି ବର୍ଗର ହୋଇଥିବା ବେଳେ ୨୦.୯୫ ପ୍ରତିଶତ ହେଉଛନ୍ତି ଏସ୍‌ସି ଓ ୮.୧୭ ପ୍ରତିଶତ ଏସ୍‌ଟି ବର୍ଗର। ସାଧାରଣ ବର୍ଗର ଶ୍ରମିକଙ୍କ ଭାଗ ୨୫.୫୬ ପ୍ରତିଶତ ରହିଛି।

ପୋର୍ଟାଲ୍‌ରେ ପଞ୍ଜୀକରଣ କରିଥିବା ୬୧.୭୨ ପ୍ରତିଶତ ଶ୍ରମିକଙ୍କ ବୟସ ୧୮-୪୦ ବର୍ଷ ମଧ୍ୟରେ ରହିଛି। ୫୦ ବର୍ଷରୁ ଅଧିକ ବୟସ୍କ ଶ୍ରମିକଙ୍କ ସଂଖ୍ୟା ୧୩.୨୩ ପ୍ରତିଶତ ରହିଥିବା ବେଳେ ୧୬-୧୮ ବର୍ଷ ବୟସର ଶ୍ରମିକଙ୍କ ଭାଗ ହେଉଛି ୨.୯୩ ପ୍ରତିଶତ। ପଞ୍ଜୀକୃତ ଶ୍ରମିକଙ୍କ ମଧ୍ୟରୁ ୫୨.୮୧ ପ୍ରତିଶତ ମହିଳା ହୋଇଥିବା ବେଳେ ୪୭.୧୯ ପ୍ରତିଶତ ହେଉଛନ୍ତି ପୁରୁଷ। ସର୍ବାଧିକ ସଂଖ୍ୟକ ପଞ୍ଜୀକରଣ ଉତ୍ତରପ୍ରଦେଶ, ବିହାର, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ ଓ ଓଡ଼ିଶାରୁ ଆସିଛି। ବୃତ୍ତି ଦୃଷ୍ଟିରୁ ୫୧.୧୧ ପ୍ରତିଶତ ଶ୍ରମିକ କୃଷି କ୍ଷେତ୍ରରେ କାମ କରୁଥିବା ଜଣାଇଥିବା ବେଳେ ୯.୯୩ ପ୍ରତିଶତ ଘରୋଇ ସହାୟକ ଓ ୯.୧୩ ପ୍ରତିଶତ ନିର୍ମାଣ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ଇ-ଶ୍ରମ ପୋର୍ଟାଲ୍‌ ତଥ୍ୟରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର