ଓଡ଼ିଶାର ୯୪% ଶ୍ରମିକଙ୍କ ଆୟ ୧୦ ହଜାରରୁ କମ୍: ଇ-ଶ୍ରମ ପୋର୍ଟାଲ୍‌ରେ ପଞ୍ଜୀକରଣ ୧ କୋଟି ୨୦ ଲକ୍ଷ ଟପିଲା

୧୮% ଦେଇନାହାନ୍ତି ବ୍ୟାଙ୍କ ଖାତା ବିବରଣୀ, ଅଧାରୁ ଅଧିକ ଶ୍ରମିକଙ୍କ ବୟସ ୧୮-୪୦ ବର୍ଷ

ଭୁବନେଶ୍ବର: ଇ-ଶ୍ରମ ପୋର୍ଟାଲ୍‌ରେ ଓଡ଼ିଶାରୁ ଶ୍ରମିକଙ୍କ ପଞ୍ଜୀକରଣ ୧ କୋଟି ୨୦ ଲକ୍ଷରୁ ଅଧିକ ହୋଇଛି। ଅଗଷ୍ଟ ୨୩ରୁ ନଭେମ୍ବର ୨୫ ସୁଦ୍ଧା ପୋର୍ଟାଲ୍‌ରେ ରାଜ୍ୟର ମୋଟ ୧ କୋଟି ୨୦ ଲକ୍ଷ ୩୦ ହଜାର ୪୭୬ ଜଣ ଶ୍ରମିକ ପଞ୍ଜୀକରଣ କରିଥିବା ଜଣାପଡ଼ିଛି। କୃଷି, ନିର୍ମାଣ, ବୟନ, ଘରୋଇ ସହାୟକ, ଗାଡ଼ି ଓ ପରିବହନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅଧିକ ଶ୍ରମିକ ଇ-ଶ୍ରମ ପୋର୍ଟାଲ୍‌ରେ ପଞ୍ଜୀକରଣ କରିଛନ୍ତି। କୃଷି କ୍ଷେତ୍ରରେ କାର୍ଯ୍ୟ କରୁଥିବା ୮୫ ଲକ୍ଷ ୪୧ ହଜାର ୮୪୪ ଜଣ ଶ୍ରମିକ ଏହି ପୋର୍ଟାଲ୍‌ରେ ପଞ୍ଜୀକରଣ କରିଛନ୍ତି। ଏହା ପଛକୁ ରହିଛନ୍ତି ନିର୍ମାଣ କ୍ଷେତ୍ରର ଶ୍ରମିକ। ଏହି କ୍ଷେତ୍ରର ୧୨ ଲକ୍ଷ ୩୬ ହଜାର ୬୪୪ ଜଣ ଶ୍ରମିକ ପଞ୍ଜୀକରଣ କରିଥିବା ଜଣାପଡ଼ିଛି। ଇ-ଶ୍ରମ ପୋର୍ଟାଲ୍‌ରେ ପଞ୍ଜୀକରଣ କରିଥିବା ଓଡ଼ିଶାର ୯୪.୩୫ ପ୍ରତିଶତ ଶ୍ରମିକଙ୍କ ଆୟ ହେଉଛି ୧୦ ହଜାର ଟଙ୍କାରୁ କମ୍। ସେହିପରି ୪.୪୧ ପ୍ରତିଶତ ଶ୍ରମିକଙ୍କ ମାସିକ ଆୟ ୧୦-୧୫ ହଜାର ଟଙ୍କା ମଧ୍ୟରେ ରହିଛି। ପଞ୍ଜୀକରଣ କରିଥିବା ୩୭.୨% ଶ୍ରମିକ ଓବିସି ବର୍ଗର ହୋଇଥିବା ବେଳେ ୨୧.୭୪% ହେଉଛନ୍ତି ଏସ୍‌ସି, ୧୮.୫୭ ପ୍ରତିଶତ ହେଉଛି ଏସ୍‌ଟି ଓ ୨୨.୫୪ ପ୍ରତିଶତ ଶ୍ରମିକ ହେଉଛନ୍ତି ସାଧାରଣ ବର୍ଗର। ପଞ୍ଜୀକରଣ କରିଥିବା ଶ୍ରମିକମାନଙ୍କ ମଧ୍ୟରୁ ୮୨.୦୬% ନିଜ ବ୍ୟାଙ୍କ ଖାତା ବିବରଣୀ ଦେଇଥିବା ବେଳେ ୧୭.୯୪% ଏହି ତଥ୍ୟ ଦେଇନାହାନ୍ତି।

ପଞ୍ଜୀକରଣ କରିଥିବା ଅଧାରୁ ଅଧିକ ଶ୍ରମିକଙ୍କ ବୟସ ୧୮ରୁ ୪୦ ବର୍ଷ ମଧ୍ୟରେ ରହିଛି। ୨୪.୪୯ପ୍ରତିଶତ ଶ୍ରମିକଙ୍କ ବୟସ ୪୦-୫୦ ବର୍ଷ ଭିତରେ ହୋଇଥିବା ବେଳେ ୧୪.୫୮% ଶ୍ରମିକଙ୍କ ବୟସ ୫୦ ବର୍ଷରୁ ଅଧିକ ରହିଛି। ମାତ୍ର ୨.୬୬ ପ୍ରତିଶତ ଶ୍ରମିକଙ୍କ ବୟସ ୧୬-୧୮ ବର୍ଷ ଭିତରେ ରହିଛି। ପୁରୁଷ ଓ ମହିଳା ଶ୍ରମିକମାନଙ୍କ ପଞ୍ଜୀକରଣ ପ୍ରାୟ ସମାନ ସ୍ତରରେ ରହିଛି। ପଞ୍ଜୀକରଣ କରିଥିବା ୫୧.୮୪% ଶ୍ରମିକ ପୁରୁଷ ହୋଇଥିବା ବେଳେ ୪୮.୧୫ ପ୍ରତିଶତ ହେଉଛନ୍ତି ମହିଳା ଶ୍ରମିକ।
ସର୍ବଭାରତୀୟ ସ୍ତରରେ ଇ-ଶ୍ରମ ପୋର୍ଟାଲ୍‌ରେ ଶ୍ରମିକଙ୍କ ପଞ୍ଜୀକରଣ ସଂଖ୍ୟା ୯ କୋଟି ୧୧ ଲକ୍ଷରୁ ଅଧିକ ହୋଇଛି। ପଶ୍ଚିମବଙ୍ଗରୁ ସର୍ବାଧିକ ଶ୍ରମିକ ଏହି ପୋର୍ଟାଲ୍‌ରେ ପଞ୍ଜୀକରଣ କରିଛନ୍ତି। ପଞ୍ଜୀକରଣ କରିଥିବା ମୋଟ ଶ୍ରମିକଙ୍କ ମଧ୍ୟରୁ ସର୍ବାଧିକ ୨୨୨.୯୧ ପ୍ରତିଶତ ପଶ୍ଚିମବଙ୍ଗର ହୋଇଥିବା ବେଳେ ୧୮.୯୩ ପ୍ରତିଶତ ଉତ୍ତରପ୍ରଦେଶ, ୧୩.୨ ପ୍ରତିଶତ ଓଡ଼ିଶା, ୧୦.୯୨ ପ୍ରତିଶତ ବିହାର ଓ ୫.୧ ପ୍ରତିଶତ ଶ୍ରମିକ ହେଉଛନ୍ତି ଝାଡ଼ଖଣ୍ଡର।

ଉଲ୍ଲେଖଯୋଗ୍ୟ ଯେ ଅଣ ସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କ ତଥ୍ୟକୁ ଏହି ପୋର୍ଟାଲ୍ ଜରିଆରେ ସଂଗ୍ରହ କରାଯାଉଛି। ଗତବର୍ଷ କୋଭିଡ୍ ମହାମାରୀ ବ୍ୟାପିବା ପରେ ଏହି ବର୍ଗରେ କାର୍ଯ୍ୟ କରୁଥିବା ଶ୍ରମିକମାନେ ସର୍ବାଧିକ ପ୍ରଭାବିତ ହୋଇଥିଲେ। ସାରା ଦେଶରେ ସେମାନଙ୍କୁ ପିଲା ଛୁଆଙ୍କୁ ଧରି ରାସ୍ତାରେ ଚାଲି ଚାଲି ଗାଁକୁ ଫେରୁଥିବାରୁ କରୁଣ ଦୃଶ୍ୟ ଦେଖିବାକୁ ମିଳିଥିଲା। ତେବେ ସେମାନଙ୍କ ନିକଟରେ ସରକାରୀ ସ୍କିମ୍‌ର ଲାଭ ପହଞ୍ଚାଇବା ଲାଗି କୌଣସି ନିର୍ଦିଷ୍ଟ ବ୍ୟବସ୍ଥା ନଥିଲା। କେତେ ଲୋକ ଅଣ ସଂଗଠିତ କ୍ଷେତ୍ରର ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି ତାହାର କୌଣସି ନିର୍ଦିଷ୍ଟ ତଥ୍ୟ ସରକାରଙ୍କ ପାଖରେ ନଥିଲା। ସେଥିପାଇଁ ସେମାନଙ୍କ ପାଖରେ ସରକାରୀ ଯୋଜନାର ଲାଭ ପହଞ୍ଚିପାରିନଥିଲା।

ସମ୍ବନ୍ଧିତ ଖବର