୨୭ ବର୍ଷର ବୈବାହିକ ଜୀବନରେ ପୂର୍ଣ୍ଣଚ୍ଛେଦ: ବିଲ୍‌, ମେଲିଣ୍ଡା ଗେଟ୍‌ସଙ୍କ ବିବାହ ବିଚ୍ଛେଦ

କର୍ପୋ‌େରଟ୍‌, ଦାତବ୍ୟ ଜଗତ ଚକିତ

ନୂଆଦିଲ୍ଲୀ: ବିଶ୍ବର ସବୁଠୁ ଚର୍ଚ୍ଚିତ ଧନୀ ଦମ୍ପତି ବିଲ୍ ଗେଟସ୍‌ ଓ ମେଲିଣ୍ଡା ଗେଟ୍‌ସ ନିଜ ୨୭ ବର୍ଷର ବୈବାହିକ ଜୀବନରେ ପୂର୍ଣ୍ଣଚ୍ଛେଦ ଟାଣିବାକୁ ନିଷ୍ପତ୍ତି ନେଇଛନ୍ତି। ଏବିଷୟରେ ବିଲ୍ ଗେଟ୍‌ସ ନିଜେ ଟ୍ବିଟର ଜରିଆରେ ସୂଚନା ଦେଇଛନ୍ତି। ବିଲ୍ ଗେଟ୍‌ସ ହେଉଛନ୍ତି ମାଇକ୍ରୋସଫ୍‌ଟର ପ୍ରତିଷ୍ଠାତା ଓ ବିଶ୍ବର ଚତୁର୍ଥ ବଡ଼ ଧନୀ। ତେବେ ‘ବିଲ୍ ଆଣ୍ଡ୍‌ ମେଲିଣ୍ଡା ଗେଟ୍‌ସ ଫାଉଣ୍ଡେସନ’ ଜରିଆରେ ସାରା ବିଶ୍ବରେ ‌ସେମାନେ ଯେଉଁ ଦାତବ୍ୟ କାର୍ଯ୍ୟ କରୁଛନ୍ତି ତାହାକୁ ମିଳିତ ଭାବେ ଜାରି ରଖିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। କିଛି ମାସ ପୂର୍ବରୁ ଆମାଜନ୍‌ର ମୁଖ୍ୟ ଜେଫ୍‌ ବେଜୋସ୍‌ ଓ ତାଙ୍କ ପତ୍ନୀ ମାକେଞ୍ଜି ସ୍କଟ୍‌ଙ୍କ ବିବାହ ବିଚ୍ଛେଦ ହୋଇଥିଲା। ଜଣେ ଟିଭି ଉପସ୍ଥାପିକାଙ୍କ ସହ ଜେଫ୍‌ଙ୍କ ଲୁଚାଛପା ପ୍ରେମ୍ ହିଁ ବିବାହ ବିଚ୍ଛେଦର ପ୍ରମୁଖ କାରଣ ଥିଲା। କିନ୍ତୁ ବିଲ୍‌ ଗେଟସ୍‌ଙ୍କ ବିବାହ ବିଚ୍ଛେଦର କାରଣ କ’ଣ ତାହା ଜଣାପଡ଼ିନାହିଁ।

ବିଲ୍ ଗେଟସ୍‌ ଟ୍ବିଟର୍‌ରେ ଲେଖିଛନ୍ତି ଯେ ବହୁତ ଭାବିବା ପରେ ଏବଂ ସମ୍ପର୍କକୁ ନେଇ ଅନେକ ବିଚାର କରିବା ପରେ ଆମେ ପରସ୍ପର ଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ। ଗତ ୨୭ ବର୍ଷ ଭିତରେ ଆମେ ତିନି ସନ୍ତାନଙ୍କ ଲାଳନପାଳନ କରିଛୁ ଏବଂ ଏକ ଫାଉଣ୍ଡେସନ ଗଠନ କରିଛୁ ଯାହା ସାରା ବିଶ୍ବରେ ଲୋକମାନଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରୁଛି। ଏବେବି ଆମର ସେହି ଲକ୍ଷ୍ୟ ଉପରେ ବିଶ୍ବାସ ରହିଛି ଓ ଆମେ ସେଥିପାଇଁ ମିଳିତ ଭାବେ କାର୍ଯ୍ୟ ଜାରି ରଖିବୁ। କିନ୍ତୁ ଜୀବନର ପରବର୍ତୀ ସମୟରେ ଦମ୍ପତି ଭାବେ ଏକତ୍ର ରହିପାରିବୁ ବୋଲି ଆମର ବିଶ୍ବାସ ନହିଁ ବୋଲି ବିଲ୍ ଲେଖିଛନ୍ତି। ବିଲ୍ ଓ ମେଲିଣ୍ଡା ଉଭୟ ମାଇକ୍ରୋସଫ୍‌ଟରେ କାର୍ଯ୍ୟ କରୁଥିଲେ। ‌୧୯୮୭ରେ କଂପାନିର ଏକ ରାତ୍ରୀଭୋଜନ କାର୍ଯ୍ୟକ୍ରମରେ ଊଭୟଙ୍କ ଦେଖା ହୋଇଥିଲା। ଜୀବନରେ ଏକ ସଙ୍ଗେ ଆଗକୁ ବଢ଼ିବା ଲାଗି କହିବା ପାଇଁ ବିଲ୍‌କୁ କିଛି ମାସ ସମୟ ଲାଗଥିଲା ବୋଲି ଏକ ସାକ୍ଷାତକାରରେ ଅତୀତରେ ମେଲିଣ୍ଡା କହିଥିଲେ। ଏକ ହ୍ବାଇଟ୍‌ବୋର୍ଡରେ ବିଲ୍‌ ଗେଟସ୍‌ ଲାଭ ଓ କ୍ଷତିର ହିସାବ କରିବା ପରେ ୧୯୯୪ରେ ଉଭୟ ହାୱାଇରେ ବିବାହ କରିଥିଲେ। ସେମାନଙ୍କ ବୈବାହିକ ଜୀବନ ଦୀର୍ଘ ବର୍ଷ ପର୍ଯ୍ୟନ୍ତ ସୁରୁଖୁରୁରେ ଚାଲିିଥିଲା। ମାତ୍ର ୨୦୧୫ରେ ଉଭୟ ଅଲଗା ଅଲଗା ପଥ ବାଛିଥିଲେ। ବିଲ୍‌ ଗେଟ୍‌ସ ବ୍ରେକ୍‌ଥ୍ରୁ ଏନର୍ଜି ନାମକ କଂପାନି ସ୍ଥାପନ କରିଥିଲେ ଯାହା ପାଣିପାଗ ପରିବର୍ତ୍ତନର ପ୍ରଭାବକୁ ରୋକିବା ଦିଗରେ କାର୍ଯ୍ୟ କରୁଛି। ମେଲିଣ୍ଡା ‘ପାଇଭଟାଲ୍ ଭେଞ୍ଚର୍ସ’ ନାମକ ସଂସ୍ଥା ସ୍ଥାପନ କରିଥିଲେ ଯାହା ସମାନତା ଆଣିବା ଦିଗରେ କାର୍ଯ୍ୟ କରୁଛି।

୧୯୭୫ରେ ପଲ୍ ଆଲେନ୍‌ଙ୍କ ସହ ମିଶି ମାଇକ୍ରୋସଫ୍‌ଟକୁ ବିଲ୍ ଗେଟ୍‌ସ ପ୍ରତିଷ୍ଠା କରିଥିଲେ ଓ ନିଜେ ୨୦୦୦ ମସିହା ପର୍ଯ୍ୟନ୍ତ କଂପାନିର ସିଇଓ ଭାବେ ଦାୟିତ୍ବ ନିର୍ବାହ କରିଥିଲେ। ଏହା ପରେ ଷ୍ଟିଭ୍ ବାଲ୍‌ମର୍‌ଙ୍କୁ କଂପାନି ସମ୍ଭାଳିବାର ଦାୟିତ୍ବ ଦେଇଥିଲେ। ୨୦୦୦ ମସିହାରେ ସେ ବିଲ୍ ଆଣ୍ଡ୍‌ ମେଲିଣ୍ଡା ଗେଟ୍‌ସ ଫାଉଣ୍ଡେସନ ସ୍ଥାପନ କରିଥିଲେ। ଉଭୟ ବିଲ୍‌ ଓ ତାଙ୍କ ପତ୍ନୀ ମେଲିଣ୍ଡା ହେଉଛନ୍ତି ଏହି ଫାଉଣ୍ଡେସନର ସହ-ଅଧ୍ୟକ୍ଷ ଓ ଟ୍ରଷ୍ଟି। ୨୦୦୮ରେ ବିଲ୍ ଗେଟ୍‌ସ ମାଇକ୍ରୋସଫ୍‌ଟରୁ ବିରତି ନେଇ ଅଧିକାଂଶ ସମୟ ଫାଉଣ୍ଡେସନକୁ ଦେଇଥିଲେ। ବିବାହ ବିଚ୍ଛେଦ ଯୋଗୁଁ ‌ଏବେ ତାଙ୍କ ସମ୍ପତ୍ତିର କିଭଳି ଭାଗବଣ୍ଟା ହେବ ତାହାକୁ ନେଇ ସମସ୍ତଙ୍କ ମନ‌ରେ ପ୍ରଶ୍ନ। ବିଲ୍‌ଙ୍କ ସମ୍ପତ୍ତି ପରିମାଣ ହେଉଛି ୧୩,୦୫୦ କୋଟି ଡଲାର। ବିଲ୍ ଆଣ୍ଡ୍‌ ମେଲିଣ୍ଡା ଗେଟ୍‌ସ ଫାଉଣ୍ଡେସନ ପାଖରେ ୪୩୩୦ କୋଟି ଡଲାରର ସମ୍ପତ୍ତି ରହିଛି। ସବୁ ସମ୍ପତ୍ତି ଦୁଇ ଭାଗ ହେଲେ ବିଲ୍‌ ଗେଟ୍‌ସ ବିଶ୍ବର ଚତୁର୍ଥ ଧନୀ ବ୍ୟକ୍ତିର ମାନ୍ୟତା ହରାଇବେ।

ସମ୍ବନ୍ଧିତ ଖବର