ଭୁବନେଶ୍ବର: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪-୨୫ ଆର୍ଥିକ ବର୍ଷରେ ଆୟକର ଦୃଷ୍ଟିରୁ ଏକ ସନ୍ତୁଳିତ ବଜେଟ୍‌ ଉପସ୍ଥାପନ କରିଛନ୍ତି ବୋଲି ଆୟକର ଆୟୁକ୍ତ, ଭୁବନେଶ୍ବର ଅବନୀକାନ୍ତ ନାୟକ କହିଛନ୍ତି। ଗୁରୁବାର ଫିକି ଓଡ଼ିଶା ପକ୍ଷରୁ ଆୟୋଜିତ ବଜେଟ୍ ପରବର୍ତ୍ତୀ ଅନୁଶୀଳନ ଅଧିବେଶନକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ପୁଞ୍ଜି ବ୍ୟୟକୁ ନେଇ ଯେଉଁ ଘୋଷଣା କରାଯାଇଛି ତାହା ଅଭିବୃଦ୍ଧିକୁ ଆହୁରି ଆଗକୁ ବଢ଼ାଇବାରେ ସହାୟକ ହେବ। ଆଞ୍ଜେଲ ଟିକସକୁ ଉଚ୍ଛେଦ କରାଯାଇଥିବାରୁ ତାହାର ଲାଭ ଷ୍ଟାର୍ଟଅପ୍ ଉଦ୍ୟୋଗ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ସଂସ୍ଥା (ଏମ୍ଏସ୍‌ଏମ୍ଇ)ଗୁଡ଼ିକୁ ମିଳିବ। ଉଭୟ ଦୀର୍ଘକାଳୀନ ଓ ସ୍ବଳ୍ପକାଳୀନ ପୁଞ୍ଜି ଲାଭ ଟିକସରେ ହୋଇଥିବା ବୃଦ୍ଧି ଯୋଗୁଁ ଶିଳ୍ପ ଦ୍ବାରା ନିୟମ ପାଳନ ଆହୁରି ସହଜ ହୋଇପାରିବ ବୋଲି ସେ କହିଛନ୍ତି। ଫିକି ଓଡ଼ିଶାର ପୂର୍ବତନ ଅଧ୍ୟକ୍ଷା ତଥା ସମ୍ବାଦ ଗ୍ରୁପ୍‌ର ପରିଚାଳନା ନିର୍ଦ୍ଦେଶିକା ମୋନିକା ନୈୟାର ପଟ୍ଟନାୟକ କହିଛନ୍ତି ଯେ କେନ୍ଦ୍ରୀୟ ବଜେଟ୍‌ରେ ଅର୍ଥମନ୍ତ୍ରୀ ଟିକସ, ଭିତ୍ତିଭୂମି ଓ ଉପଯୋଗିତା ବଢ଼ାଇବା ଉପରେ ଜୋର ଦେଇଛନ୍ତି। ଭିତ୍ତିଭୂମି ସଂକ୍ରାନ୍ତରେ ଯେଉଁ ଘୋଷଣା କରାଯାଇଛି ତାହାର ଲାଭ ମହିଳାମାନଙ୍କୁ ମିଳିବ। ଏହି ଅବସରରେ ସେ ସମ୍ବାଦ ଓ ଫିକି ସହଯୋଗିତାରେ ଆୟୋଜିତ ହେଉଥିବା ଓଡ଼ିଶା-୫୦ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ। ରାଜ୍ୟର ମହିଳାମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ମାଛ ଚାଷ, ଛତୁ ଚାଷ, ଖଲିପତ୍ର ତିଆରି କରିବା ଓ ଅଗରବତୀ ଉତ୍ପାଦନ ଉପରେ ତାଲିମ ଦିଆଯାଉଥିବା ସେ କହିଛନ୍ତି। ମହିଳାମାନଙ୍କ ମଧ୍ୟରେ ଆର୍ଥିକ ସାକ୍ଷରତା ବଢ଼ାଇବା ଉପରେ ସେ ଜୋର ଦେଇଥିଲେ। ରାଜ୍ୟର ମହିଳା ଉଦ୍ୟୋଗୀମାନେ ସେମାନଙ୍କ ଉତ୍ପାଦିତ ସାମଗ୍ରୀକୁ ବଜାରରେ ପହଞ୍ଚାଇବା ଲାଗି ସରକାରଙ୍କଠାରୁ ସହଯୋଗ ଚାହୁଛନ୍ତି ବୋଲି ସେ କହିଥିଲେ।

Advertisment

ଏହି ଅବସରରେ ବି-ୱାନ୍ ବିଜନେସ୍ ହାଉସ୍‌ର ନିର୍ଦ୍ଦେଶକ ରାଜେନ ପାଢ଼ୀ କହିଛନ୍ତି ଯେ ବିଶ୍ବ ଅର୍ଥନୀତି ପ୍ରତି ଭାରତର ଅବଦାନ ବଢ଼ୁଛି ଏବଂ ତାହା ୧.୮ ପ୍ରତିଶତକୁ ବୃଦ୍ଧି ପାଇଛି। ଆତ୍ମନିର୍ଭର ଭାରତ ଓ ପ୍ରୋତ୍ସାହନ ଭିତ୍ତିକ ଉତ୍ପାଦନ (ପିଏଲ୍‌ଆଇ) ସ୍କିମ୍‌କୁ ବିଶ୍ବ ଅର୍ଥନୀତି ସହ ସମନ୍ବିତ କରିବାର ଆବଶ୍ୟକତା ରହିଛି। ଅର୍ଥନୀତି ପ୍ରତି ଏମ୍ଏସ୍‌ଏମ୍ଇର ଗୁରୁତ୍ବପୂର୍ଣ୍ଣ ଯୋଗଦାନ ସମ୍ପର୍କରେ ଆଲୋଚନା କରି ସେ କହିଛନ୍ତି ଯେ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି)କୁ ଏହି କ୍ଷେତ୍ରର ଅବଦାନ ୨୮ ପ୍ରତିଶତ ଥିବା ବେଳେ ରପ୍ତାନିକୁ ୪୯ ପ୍ରତିଶତ ଅବଦାନ ରହିଛି। ବଜେଟ୍‌ରେ କ୍ରେଡିଟ୍ ଗ୍ୟାରେଣ୍ଟି ସ୍କିମ୍‌ର ସମ୍ପ୍ରସାରଣ ଓ ମୁଦ୍ରା ଋଣ ସୀମାକୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯିବାକୁ ନେଇ ଯେଉଁ ଘୋଷଣା କରାଯାଇଛି ତାହାର ଲାଭ ଏମ୍ଏସ୍‌ଏମ୍ଇ କ୍ଷେତ୍ରକୁ ମିଳିବ। ସେହିପରି, ଟେରା ବ୍ଲକ୍ ମେସିନାରିର ପରିଚାଳନା ନିର୍ଦ୍ଦେଶକ ସଞ୍ଜୀବ ମହାପାତ୍ର କହିଛନ୍ତି ଯେ ସରକାର ଘୋଷଣା କରୁଥିଲେ ମଧ୍ୟ ବ୍ୟାଙ୍କଗୁଡ଼ିକ ବିନା ବନ୍ଧକରେ ଏମ୍ଏସ୍‌ଏମ୍ଇମାନଙ୍କୁ ମିଆଦୀ ଋଣ ଦେଉନାହାନ୍ତି। ଏ କ୍ଷେତ୍ରରେ ରାଜ୍ୟ ସରକାର ହସ୍ତକ୍ଷେପ କରିବା ଦରକାର। ଏକ କମିଟି ଗଠନ କରି ବ୍ୟାଙ୍କଗୁଡ଼ିକ ସହ ଆଲୋଚନା ହେବା ଦରକାର। ଏମ୍ଏସ୍‌ଏମ୍ଇ କ୍ଷେତ୍ର ଆଗକୁ ବଢ଼ିବା ଲାଗି ଅଣ ବନ୍ଧକଭିତ୍ତିକ ମିଆଦୀ ବ୍ୟାଙ୍କ ଋଣ ଆବଶ୍ୟକ ବୋଲି ସେ କହିଛନ୍ତି। ବିଭିନ୍ନ କ୍ଲଷ୍ଟର୍‌ରେ ସିଡ୍‌ବି ଶାଖା ଖୋଲିବା, ୧୦୦୦ ଶିଳ୍ପ ପାର୍କ ସ୍ଥାପନ କରିବା ନେଇ ବଜେଟ୍‌ରେ ହୋଇଥିବା ଘୋଷଣା ସ୍ବାଗତଯୋଗ୍ୟ ବୋଲି ସେ କହିଛନ୍ତି।

ଏହି ଅବସରରେ ପ୍ରାଇସ୍‌ ୱାଟରହାଉସ୍‌ର ଆସୋସିଏଟ୍ ପାର୍ଟନର ଦୀପାରୁଣ ମୁଖାର୍ଜୀ ଓ ସତ୍ୟନାରାୟଣ ଗୁପ୍ତା ବଜେଟ୍‌ର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ଫିକି ଓଡ଼ିଶାର ଅଧ୍ୟକ୍ଷ ପଙ୍କଜ ସତିଜା ସ୍ବାଗତ ଭାଷଣ ପ୍ରଦାନ କରି କ୍ୟାନସର ଔଷଧ, ସୁନା, ରୁପା ଏବଂ ମୋବାଇଲ୍‌ ଉପକରଣ ଉପରେ ସୀମା ଶୁଳ୍କରେ କରାଯାଇଥିବା ହ୍ରାସର ସୁଦୂର ପ୍ରସାରୀ ଲାଭ ମିଳିବ ବୋଲି କହିଛନ୍ତି। ଗୁରୁତ୍ବପୂ୍ର୍ଣ୍ଣ ଖଣିଜ ଉପରୁ ଟିକସ କୋହଳ କରାଯାଇଥିବାରୁ ଧାତବ ଶିଳ୍ପ ଲାଭବାନ ହେବ। ଏହା ବ୍ୟତୀତ ବଜେଟ୍‌ରେ କରାଯାଇଥିବା ବହୁ ଘୋଷଣା ଦ୍ବାରା ଭିତ୍ତିଭୂମି କ୍ଷେତ୍ର ସୁଦୃଢ଼ ହେବ‌ ବୋଲି ସେ କହିଛନ୍ତି। ଫିକିର ସହକାରୀ ନିର୍ଦ୍ଦେଶକ ଶ୍ରୀହରି ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।