ଭୁବନେଶ୍ବର: ନୀଳାଦ୍ରିବିଜେ ଅବସରରେ ଓଡ଼ିଶା ଟେଲିଭିଜନ ଗ୍ରୁପ୍ ପକ୍ଷରୁ ହାତବୁଣା ଇକତ ଶାଢ଼ିର ନୂଆ ଅନୁଷ୍ଠାନ ଇକତନ ଆରମ୍ଭ କରାଯାଇଛି। ଇକତନ ନାମର ଅର୍ଥ ହେଉଛି ବାନ୍ଧି ରଖିବା। ଏହା ପୁରୁଣା ଓ ନୂଆ ବୟନ କାରିଗର ପରମ୍ପରାକୁ ବାନ୍ଧି ରଖି ଏକ ବ୍ରାଣ୍ଡ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି। କମ୍ପାନିର ଇ-କମର୍ସ ପ୍ଲାଟ୍ଫର୍ମ www.ikatan.com ମଧ୍ୟ ଆରମ୍ଭ ହୋଇଛି। ଇକତନ ଗ୍ରାହକମାନଙ୍କୁ ବର୍ଷ ବର୍ଷର ଅଭିଜ୍ଞତା ହାସଲ କରିଥିବା କୁଶଳୀ ବୁଣାକାରଙ୍କ ଦ୍ୱାରା ପ୍ରସ୍ତୁତ ଶତ ପ୍ରତିଶତ ମୌଳିକ ଓ ହାତବୁଣା ରେଶମୀ ଇକତ ଶାଢ଼ି ପ୍ରଦାନ କରିବ।
ଏଥିପାଇଁ କମ୍ପାନି ବିଶ୍ବସ୍ତରୀୟ ଡିଜାଇନର ବିଭୁ ମହାପାତ୍ରଙ୍କ ସହ ସହଯୋଗିତା ସ୍ଥାପନ କରିଛି। ଏହି ଅବସରରେ ଇକତନର ପ୍ରତିଷ୍ଠାତା ଜଗି ମଙ୍ଗତ ପଣ୍ଡା କହିଛନ୍ତି ଯେ ଇକତନ ଆମ ପାଇଁ କେବଳ ଏକ ବ୍ରାଣ୍ଡ ନୁହେଁ। ଏକ ମହାନ ଉଦ୍ଦେଶ୍ୟ ରଖିଥିବା ଏକ ପ୍ଲାଟ୍ଫର୍ମ। ଏଥିରେ ପ୍ରତ୍ୟେକ ଶାଢ଼ିରୁ ମିଳୁଥିବା ମୂଲ୍ୟ ସିଧାସଳଖ କାରିଗର ସମାଜ ଉଦ୍ଦେଶ୍ୟରେ ସମର୍ପିତ। ଏହାଦ୍ୱାରା ଭବିଷ୍ୟତରେ କାରିଗରଙ୍କ ଜୀବିକା ନିର୍ବାହରେ ଉନ୍ନତି ଓ ତାଲିମରେ ପରିବର୍ତ୍ତନ ଆସିବା ସହିତ ସ୍ଥାନୀୟ କୌଶଳକୁ ସଂରକ୍ଷିତ କରିବାରେ ସହାୟକ ହେବ ବୋଲି ସେ କହିଛନ୍ତି।