ଆକାଶରେ ଉଡ଼ିବ ଡ୍ରୋନ୍‌ ଟ୍ୟାକ୍ସିି: ଜାରି ହେଲା ଡ୍ରୋନ୍‌ ଉଡ଼ାଣ ନିୟମ

ଆବେଦନ ପାଇଁ ୫ଟି ଫର୍ମ, ୪ ପ୍ରକାର ଫି’ ଦେବାକୁ ପଡ଼ିବ

ନୂଆଦିଲ୍ଲୀ: ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଡ୍ରୋନ୍ ନିୟମ ୨୦୨୧ ଜାରି କରାଯାଇଛି। ଏଥିରେ ଅନେକ ବ୍ୟବସ୍ଥାର ସରଳୀକରଣ କରାଯାଇଛି। ପୂର୍ବରୁ ଡ୍ରୋନ୍ ଉଡ଼ାଣ ଅନୁମତି ହାସଲ କରିବା ଲାଗି ୨୫ଟି ଫର୍ମ ଓ ୭୧ ପ୍ରକାର ଫି’ ଦାଖଲ କରିବାକୁ ପଡ଼ୁଥିଲା। ଏବେ ଫର୍ମ ସଂଖ୍ୟା ୫କୁ ଓ ଫି’ ସଂଖ୍ୟା ୪କୁ ହ୍ରାସ କରାଯାଇଛି। କେତେକ ଫି’ରେ ବଡ଼ ଧରଣର ହ୍ରାସ ଘଟିଛି। ରିମୋଟ୍‌ ପାଇଲଟ୍‌ ଲାଇସେନ୍ସ ଫି’ ୩୦୦୦ ଟଙ୍କାରୁ ୧୦୦ ଟଙ୍କାକୁ ହ୍ରାସ କରାଯାଇଛି। ‌ଡ୍ରୋନ୍‌ର ଓଜନ ୩୦୦ କେଜିରୁ ୫୦୦ କେଜିକୁ ବୃଦ୍ଧି କରାଯାଇଛି।

ଫଳରେ ଦେଶରେ ଡ୍ରୋନ୍ ଟ୍ୟାକ୍ସି ଚଳାଚଳ ପାଇଁ ବାଟ ଫିଟିଛି। ନୂଆ ଡ୍ରୋନ୍ ନିୟମ ଦେଶରେ ନବସୃଜନ ଓ ବ୍ୟବସାୟର ନୂଆ ସମ୍ଭାବନା ସୃଷ୍ଟି କରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଏହି ନିୟମକୁ ସେ ଏକ ଐତିହାସିକ କ୍ଷଣ ଭାବେ ବର୍ଣ୍ଣନା କରିଛନ୍ତି ଏବଂ କହିଛନ୍ତି ଯେ ଏଥିରେ ମଞ୍ଜୁରି ଓ ପ୍ରବେଶ ପ୍ରତିବନ୍ଧକ ଆଦିକୁ ଅନେକାଂଶରେ ହ୍ରାସ କରାଯାଇଛି। ଏହି ନିୟମ ଦେଶର ଷ୍ଟାର୍ଟଅପ୍‌ ଓ ଯୁବପିଢ଼ଙ୍କୁ ଏହି କ୍ଷେତ୍ରରେ କାର୍ଯ୍ୟ କରିବାର ସୁଯୋଗ ପ୍ରଦାନ କରିବ ବୋଲି ସେ କହିଛନ୍ତି। ନିୟମ ଅନୁଯାୟୀ, ଦେଶରେ ଏକ ଇଣ୍ଟରଆକ୍ଟିଭ୍ ମହାକାଶ ମାନଚିତ୍ର ପ୍ରସ୍ତୁତ କରାଯିବ। ତାହାକୁ ସବୁଜ, ହଳଦିଆ ଓ ଲାଲ୍‌ ଭଳି ବର୍ଗରେ ଭାଗ କରାଯିବ। ଗ୍ରିନ୍‌ ଜୋନ୍‌ରେ ଡ୍ରୋନ୍‌ ଉଡ଼ାଣ ଲାଗି ଅନୁମତି ନେବାକୁ ପଡ଼ିବନି। ଏହାର ଅର୍ଥ ହେଉଛି ୪୦୦ ଫୁଟ କିମ୍ବା ୧୦୦ ମିଟର ଭିତରେ ଡ୍ରୋନ୍ ଉଡ଼ାଇ ହେବ କିମ୍ବା ତାହା ଲାଲ୍ କିମ୍ବା ହଳଦିଆ ଜୋନ୍‌ ହୋଇନଥିବ। ‌ହଳଦିଆ ଜୋନ୍‌କୁ ବିମାନ ବନ୍ଦର ପରିଧିର ୪୫ କିମିରୁ ହ୍ରାସ କରି ୧୨ କିମି କରାଯାଇଛି। ଅଣ ବାଣିଜ୍ୟିକ କାର୍ଯ୍ୟରେ ବ୍ୟବହାର ହେବାକୁ ଥିବା ଅଣୁ ଡ୍ରୋନ୍ ଓ ନାନୋ ଡ୍ରୋନ୍ ଉଡ଼ାଣ ଲାଗି ଲାଇସେନ୍ସ ନେବାକୁ ପଡ଼ିବନି। ଭାରତୀୟ ଡ୍ରୋନ୍ କଂପାନିରେ ବିଦେଶୀ ମାଲିକାନା ଉପରେ କୌଣସି ଅଙ୍କୁଶ ରହିବ ନାହିଁ।

ସମ୍ବନ୍ଧିତ ଖବର