ନୂଆଦିଲ୍ଲୀ: ଉତ୍ସବ ଋତୁ ଆସିଯାଇଥିବା ବେଳେ ନିଜ ପରିବାର ସହ ତାହାକୁ ପାଳନ କରିବା ଲାଗି ଦେଶର କୋଣଅନୁକୋଣରେ କାମ କରୁଥିବା ଲୋକମାନେ ଘରକୁ ଫେରିଥାନ୍ତି। ତେଣୁ ବର୍ଷର ଅନ୍ୟ କୌଣସି ସମୟ ତୁଳନାରେ ଏହି ସମୟରେ ବିମାନ ଯାତ୍ରାର ଚାହିଦା ବହୁତ ବଢ଼ିଯାଏ। ତାହାର ଫାଇଦା ନେଇ ଏୟାରଲାଇନ୍ସଗୁଡ଼ିକ ଟିକଟ ଦରରେ ଅହେତୁକ ବୃଦ୍ଧି କରୁଛନ୍ତି। ସେଭଳି ଅଭ୍ୟାସଠାରୁ ଦୂରେଇ ରହିବା ଓ ଯାତ୍ରୀଙ୍କୁ ଶୋଷଣ ନ କରିବାକୁ ଏୟାରଲାଇନ୍ସଗୁଡ଼ିକୁ ଆହ୍ବାନ ଦିଆଯାଇଛି।ଏ ସମ୍ପର୍କରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡ଼ୁ କହିଛନ୍ତି ଯେ ବିମାନ ଟିକଟ ଦାମ୍‌ ଉପରେ ନିତିଦିନିଆ ନଜର ରଖାଯାଇଛି।

Advertisment

ଉତ୍ସବ ସମୟରେ ଯାତ୍ରୀଙ୍କୁ ଶୋଷଣ ନ କରିବାକୁ ଏୟାରଲାଇନ୍ସଗୁଡ଼ିକୁ କୁହାଯାଇଛି। ଏଦିଗରେ ଯାହା ସମ୍ଭବ ସେହି ପଦକ୍ଷେପ ସରକାର ଗ୍ରହଣ କରୁଛନ୍ତି ବୋଲି ସେ କହିଛନ୍ତି। ତେବେ ମନ୍ତ୍ରୀ ଏହା ସ୍ପଷ୍ଟ କରିଛନ୍ତି ଯେ ବିମାନ ଟିକଟ ମୂଲ୍ୟ ବଜାରରେ ଥିବା ଚାହିଦା ଅନୁସାରେ ନିର୍ଧାରିତ ହୋଇଥାଏ। ତେଣୁ ଏହାର ସର୍ବୋଚ୍ଚ ସୀମା ନିର୍ଧାରଣ କରିବାର କୌଣସି ବ୍ୟବସ୍ଥା ନାହିଁ। ଟିକଟ ଦାମ୍ ନିର୍ଧାରଣଙ୍କୁ ସରକାର ନିୟନ୍ତ୍ରଣମୁକ୍ତ କରିଛନ୍ତି। ବିମାନ ଚଳାଚଳ ମନ୍ତ୍ରୀ ଭାବେ ଦାୟତ୍ବ ନେବା ପରଠାରୁ ଶ୍ରୀ ନାଇଡୁ ବିମାନ ଯାତ୍ରାକୁ ସୁଲଭ ରଖିବା ଉପରେ ଗୁରୁତ୍ବ ଦେଉଛନ୍ତି।