ଅର୍ଥନୀତିର ତ୍ରୟମାସ ଫଳାଫଳ ଉପରେ ନଜର, ଆଜି ପ୍ରକାଶ ପାଇବ

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୟମାସ ପାଇଁ ଦେଶର ଜିଡିପି ରିପୋର୍ଟ ଆସନ୍ତାକାଲି ପ୍ରକାଶ ପାଇବ। ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶ ପାଇବାକୁ ଥିବା ଏହି ରିପୋର୍ଟ ଉପରେ ଅର୍ଥନୀତିଜ୍ଞମାନଙ୍କ ବିଶେଷ ନଜର ରହିଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ଦେଶର ଜିଡିପି ଅଭିବୃଦ୍ଧି ବିଯୁକ୍ତ ୨୩.୯ ପ୍ରତିଶତ ରହିଥିଲା। କରୋନା ମହାମାରୀ ପାଇଁ ଅର୍ଥନୀତି ଏତେମାତ୍ରାରେ ସଂକୁଚିତ ହୋଇଥିଲା। ତେବେ ଦ୍ବିତୀୟ ତ୍ରୟମାସରେ ଅର୍ଥନୀତି ଅପେକ୍ଷାକୃତ ଭାବେ କମ୍‌ ସଂକୋଚନ ହେବ ବୋଲି କୁହାଯାଉଛି। ବିଭିନ୍ନ ସଂସ୍ଥା ଓ ବିଶେଷଜ୍ଞଙ୍କ ପକ୍ଷରୁ ଏ ନେଇ ଭିନ୍ନ ଭିନ୍ନ ଆକଳନ ମଧ୍ୟ କରାଯାଇଛି। ତେବେ କାହାର ଆକଳନ ଠିକ୍ ହେଉଛି ତାହା ଉପରେ ଏବେ ଚର୍ଚ୍ଚା ହେଉଛି।

ରିଜର୍ଭ ବ୍ୟାଙ୍କ ପକ୍ଷରୁ ଚଳିତମାସରେ କରାଯାଇଥିବା ଆକଳନରେ ଭାରତର ଅଭିବୃଦ୍ଧି ଦ୍ବିତୀୟ ତ୍ରୟମାସରେ ବିଯୁକ୍ତ ୮.୬ ପ୍ରତିଶତ ରହିବ ବୋଲି କୁହାଯାଇଛି। ସେହିଭଳି ରେଟିଂ ଏଜେନ୍ସି ଇକ୍ରା ପକ୍ଷରୁ କରାଯାଇଥିବା ଆକଳନରେ ଭାରତର ଜିଡିପି ଅଭିବୃଦ୍ଧି ଦ୍ବିତୀୟ ତ୍ରୟମାସରେ ବିଯୁକ୍ତ ୯.୫ ପ୍ରତିଶତ ରହିବ ବୋଲି କୁହାଯାଇଛି। ଏସ୍‌ବିଆଇ ରିସର୍ଚ୍ଚ ପକ୍ଷରୁ ହୋଇଥିବା ଆକଳନରେ ଜିଡିପି ଅଭିବୃଦ୍ଧି ଦ୍ବିତୀୟ ତ୍ରୟମାସରେ ବିଯୁକ୍ତ ୧୦.୭ ପ୍ରତିଶତ ରହିବ ବୋଲି ସୂଚନା ଦିଆଯାଇଛି। ମୁଡିସ୍‌ ପକ୍ଷରୁ କରାଯାଇଥିବା ଆକଳନରେ ଜିଡିପି ଅଭିବୃଦ୍ଧି ବିଯୁକ୍ତ ୧୦.୫ ପ୍ରତିଶତ ରହିବ। ତେବେ କ୍ରିସିଲ ପକ୍ଷରୁ କରାଯାଇଥିବା ଆକଳନରେ ଭାରତର ଜିଡିପି ଅଭିବୃଦ୍ଧି ଦ୍ବିତୀୟ ତ୍ରୟମାସରେ ସର୍ବାଧିକ ବିଯୁକ୍ତ ୧୨ ପ୍ରତିଶତ ରହିବ ବୋଲି କୁହାଯାଇଛି। ତେଣୁ ଏସବୁ ମଧ୍ୟରୁ କାହାର ଆକଳନ ଠିକ୍ ହେଉଛି ତାହା ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ।

ସମ୍ବନ୍ଧିତ ଖବର