ଅଫ୍‌ଲାଇନ୍‌ରେ ସର୍ବାଧିକ ୨୦୦ ଟଙ୍କା ପେମେଣ୍ଟ୍‌ କରିହେବ: ଇଣ୍ଟରନେଟ୍ ଓ ଟେଲିକମ୍ ସଂଯୋଗ ବିନା କାମ କରିବ

ମୁମ୍ବାଇ: ସ୍ବଳ୍ପ ମୂଲ୍ୟର ପେମେଣ୍ଟ୍ କରୁଥିବା ଗ୍ରାହକମାନଙ୍କୁ ଡିଜିଟାଲ୍ ପେମେଣ୍ଟ୍‌ ବ୍ୟବସ୍ଥାରେ ସାମିଲ କରିବା ଲାଗି ଅଫ୍‌ଲାଇନ୍ ପେମେଣ୍ଟ୍ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି। ଏହାର ପରୀକ୍ଷଣ ୨୦୨୦ ସେପ୍ଟେମ୍ବରରୁ ୨୦୨୧ ଜୁଲାଇ ମଧ୍ୟରେ କରାଯାଇଥିଲା। ସେଥିରୁ ଯେଉଁ ଶିକ୍ଷା ଓ ଅନୁଭୂତି ମିଳିଥିଲା ସେହି ଆଧାରରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଅଫ୍‌ଲାଇନ୍ ପେମେଣ୍ଟ୍‌ ଲାଗି ଫ୍ରେମ୍‌ୱର୍କ ଜାରି କରାଯାଇଛି। ଅଫଲାଇନ୍ ପେମେଣ୍ଟ୍‌ ହେଉଛି ସେହି ବ୍ୟବସ୍ଥା ଯେଉଁଥିପାଇଁ ଇଣ୍ଟରନେଟ୍‌ କିମ୍ବା ଟେଲିକମ୍ ସଂଯୋଗ ଦରକାର ନାହିଁ। ଗ୍ରାହକମାନେ କାର୍ଡ, ୱାଲେଟ୍‌ ଓ ମୋବାଇଲ୍ ଫୋନ୍ ଜରିଆରେ ଏହି ‌ପେମେଣ୍ଟ୍‌ କରିପାରିବେ। ବିଶେଷ କରି ଇଣ୍ଟରନେଟ୍ ଓ ଟେଲିକମ୍ ସଂଯୋଗ ଭଲ ଭାବେ ପହଞ୍ଚିନଥିବା ଦୁର୍ଗମ ଓ ଦୂରଦୂରାନ୍ତ ଅଞ୍ଚଳଗୁଡ଼ିକରେ ଡିଜିଟାଲ୍ ପେମେଣ୍ଟ୍‌ର ପ୍ରସାର କରିବା ଲାଗି ଅଫ୍‌ଲାଇନ୍ ପେମେଣ୍ଟ୍‌ର ପରିକଳ୍ପନା କରାଯାଇଛି। ଏହି ବ୍ୟବସ୍ଥାରେ ଜଣେ ଗ୍ରାହକ ଥରକେ ସର୍ବାଧିକ ୨୦୦ ଟଙ୍କାର ପେମେଣ୍ଟ୍‌ କରିପାରିବେ ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ଏହି ପେମେଣ୍ଟ୍‌ କେବଳ ସାମ୍ନା ସାମ୍ନି ଥିବା ବେଳେ ହୋଇପାରିବ। ଅର୍ଥାତ ବ୍ୟବସାୟୀ ଓ ଗ୍ରାହକଙ୍କ ଉପସ୍ଥିତିରେ ପେମେଣ୍ଟ୍‌ ହେବ। କୌଣସି ଏକ ନିର୍ଦିଷ୍ଟ ସମୟରେ ମୋଟ କାରବାର ୨୦୦୦ ଟଙ୍କାରୁ ଅଧିକ ହେବ ନାହିଁ। ଅଧିକ ପେମେଣ୍ଟ୍‌ କରିବା ଲାଗି ଅନ୍‌ଲାଇନ୍ ମାଧ୍ୟମ ଗ୍ରହଣ କରିବାକୁ ପଡ଼ିବ।

ଅଫ୍‌ଲାଇନ୍ ପେମେଣ୍ଟ୍‌ ସୁବିଧା ପ୍ରଦାନ କରିବାକୁ ଚାହୁଥିବା ସଂସ୍ଥାଗୁଡ଼ିକ ଲାଗି ରିଜର୍ଭ ବ୍ୟାଙ୍କ କେତେକ ସର୍ତ୍ତ ଧାର୍ଯ୍ୟ କରିଛି ଯାହା ସେମାନଙ୍କୁ ପାଳନ କରିବାକୁ ପଡ଼ିବ। ତାହା ହେଉଛି ଏହି ‌ପେମେଣ୍ଟ୍‌ ସୁବିଧା ଲାଗି ଗ୍ରାହକଙ୍କ ଅନୁମତି ନେବାକୁ ହେବ। ପେମେଣ୍ଟ୍‌ ହେବା ମାତ୍ରେ ଗ୍ରାହକଙ୍କ ନିକଟକୁ ତାହାର ଆଲର୍ଟ ପଠାଇବାକୁ ପଡ଼ିବ। ପ୍ରତି କାରବାରର ସୂଚନା ପଠାଇବା ଯଦିଓ ବାଧ୍ୟତାମୂଳକ ନୁହେଁ କିନ୍ତୁ ସେବିଷୟରେ ସେମାନେ ଯେଭଳି ସୂଚନା ପାଇପାରିବେ ତାହାର ବ୍ୟବସ୍ଥା କରିବାକୁ ପଡ଼ିବ। ଗ୍ରାହକମାନେ କୌଣସି ଅସୁବିଧା ସାମ୍ନା କଲେ ତାହାର ସମାଧାନ ଲାଗି ଅମ୍ବଡସ୍‌ମ୍ୟାନ୍ ସ୍କିମ୍‌ ମାଧ୍ୟମରେ ଆବେଦନ କରିପାରିବେ। ରିଜର୍ଭ ବ୍ୟାଙ୍କ ଯେକୌଣସି ସମୟରେ ‌ଅଫ୍‌ଲାଇନ୍ ପେମେଣ୍ଟ୍‌ ପ୍ରଦାନକାରୀଙ୍କ ସେବା ବନ୍ଦ କରିପାରିବ କିମ୍ବା ସେଥିରେ ପରିବର୍ତ୍ତନ ଆଣିପାରିବ।

ସମ୍ବନ୍ଧିତ ଖବର