ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ କମିଟି ବୈଠକରେ କୃଷି ବିକାଶ ଲାଗି ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ଓ କୃଷି ଉନ୍ନତି ଯୋଜନାକୁ ଅନୁମୋଦନ ପ୍ରଦାନ କରାଯାଇଛି। ଏହି ଦୁଇ ସ୍କିମ୍‌ କାର୍ଯ୍ୟକାରୀ କରିବା ଲାଗି ୧,୦୧,୩୨୧.୬୧ କୋଟି ଟଙ୍କାର ଅଟକଳ ଧାର୍ଯ୍ୟ କରାଯାଇଛି। ସେଥିରେ କେନ୍ଦ୍ରର ଭାଗ ୬୯,୦୮୮.୯୮ କୋଟି ଟଙ୍କା ହୋଇଥିବା ବେଳେ ରାଜ୍ୟଗୁଡ଼ିକ ୩୨,୨୩୨.୬୩ କୋଟି ଟଙ୍କା ଖର୍ଚ୍ଚ କରିବେ। ରାଷ୍ଟ୍ରୀୟ କୃଷି ବିକାଶ ‌ଯୋଜନା ପାଇଁ ୫୭,୦୭୪.୭୨ କୋଟି ଟଙ୍କା ଓ କୃଷି ଉନ୍ନତି ‌ଯୋଜନା ପାଇଁ ୪୪,୨୪୬.୮୯ କୋଟି ଟଙ୍କାର ଅଟକଳ ଧାର୍ଯ୍ୟ କରାଯାଇଛି। ରାଜ୍ୟମାନଙ୍କ ସହଯୋଗରେ ଏହି ଯୋଜନାଗୁଡ଼ିକୁ କାର୍ଯ୍ୟକାରୀ କରାଯିବ। ରାଷ୍ଟ୍ରୀୟ କୃଷି ବିକାଶ ‌ଯୋଜନାରେ ସ୍ଥାୟୀ କୃଷିର ପ୍ରସାର କରାଯିବ। ସେହିପରି କୃଷି ଉନ୍ନତି ଯୋଜନାରେ ଖାଦ୍ୟ ନିରାପତ୍ତା ଓ କୃଷିରେ ଆତ୍ମନିର୍ଭରଶୀଳ ହେବା ଉପରେ ଗୁରୁତ୍ବ ଦିଆଯିବ। ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ମୃତ୍ତିକା ସ୍ବାସ୍ଥ୍ୟ ପରିଚାଳନା, ‌ବୃଷ୍ଟିପୁଷ୍ଟ ଅଞ୍ଚଳ ବିକାଶ, ଆଗ୍ରୋ ଫରେଷ୍ଟ୍ରି, ପରମ୍ପରାଗତ କୃଷି ବିକାଶ ଯୋଜନା, କୃଷି କାର୍ଯ୍ୟ‌ର ଯାନ୍ତ୍ରିକୀକରଣ, ପର୍‌ ଡ୍ରପ୍ ମୋର୍ କ୍ରପ୍, ଫସଲ ବିବିଧୀକରଣ କାର୍ଯ୍ୟକ୍ରମ ଓ କୃଷି ଷ୍ଟାର୍ଟଅପ୍ ପ‌ାଇଁ ପ୍ରୋତ୍ସାହନ ପାଣ୍ଠିକୁ ସାମିଲ କରାଯାଇଛି। 

Advertisment

ସେହିପରି କ୍ୟାବିନେଟ୍‌ ବୈଠକରେ ଜାତୀୟ ତୈଳବୀଜ ମିସନକୁ ଅନୁମୋଦନ ପ୍ରଦାନ କରାଯାଇଛି। ୨୦୨୩-୨୪ରୁ ୨୦୩୦-୩୧ ମଧ୍ୟରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ମିସନ ପାଇଁ ୧୦୧୦୩ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଏଥିରେ ସୋରିଷ, ବାହାମ, ‌ସୋୟାବିନ, ସୂର୍ଯ୍ୟମୁଖୀ ଓ ରାଶି ଉତ୍ପାଦନ ବଢ଼ାଇବାକୁ ଉଦ୍ୟମ କରାଯିବ। ୨୦୨୨-୨୩ରେ ପ୍ରାଥମିକ ତୈଳବୀଜ ଉତ୍ପାଦନ ପରିମାଣ ୩୯ ନିୟୁତ ଟନ୍ ଥିଲା। ଏହି ମିସନରେ ତାହାକୁ ୨୦୩୦-୨୧ ସୁଦ୍ଧା ୬୯.୭ ନିୟୁତ ଟନ୍‌‌ରେ ପହଞ୍ଚାଇବା ଯୋଜନା ରହିଛି। ଏଥି ସହିତ ଦେଶ ଭିତରେ ଖାଇବା ତେଲ ଉତ୍ପାଦନକୁ ୨୪.୪୫ ନିୟୁତ ଟନ୍‌କୁ ବଢ଼ାଇବାକୁ ମଧ୍ୟ ଲକ୍ଷ୍ୟ ରଖାଯାଇଛି। ଗୁଣାତ୍ମକ ତୈଳବୀଜ ଯୋଗାଣକୁ ନିଶ୍ଚିତ କରିବା ଲାଗି ଏହି ମିସନରେ ଅନ୍‌ଲାଇନ୍ ୫ ବର୍ଷିଆ ରୋଲିଂ ବୀଜ ଯୋଜନା ଆରମ୍ଭ ହେବ। ଦେଶରେ ୬୫ ନୂଆ ବୀଜ ହବ୍ ଏବଂ ୫୦ ବୀଜ ଗୋଦାମ ସ୍ଥାପନ ହେବ। ୩୪୭ଟି ଜିଲ୍ଲାରେ ୬୦୦ରୁ ଅଧିକ ଭାଲ୍ୟୁ ଚେନ୍ କ୍ଲଷ୍ଟର ବିକାଶ କରାଯିବ।